ପାକିସ୍ତାନରୁ ଆସି ଗୁପ୍ତଚର କରୁଥିବା ହିନ୍ଦୁ ଶରଣାର୍ଥୀ ଗିରଫ

ନୂଆଦିଲ୍ଲୀ ୨୨।୮: ପାକିସ୍ତାନ ତାର ମନ୍ଦ ଷଡଯନ୍ତ୍ରରୁ ନିବୃତ୍ତ ହେଉନାହିଁ । କୌଣସି ନା କୌଣସି ପ୍ରକାରେ ସେ ମନ୍ଦ ଷଡଯନ୍ତ୍ର ନେଇ ଉଦ୍ୟମ ଜାରି ରଖିଛି । ଏବେ ପାକିସ୍ତାନର ଆଉ ଏକ ଚାଲ୍ ଧରାପଡିଯାଇଛି । ପାକିସ୍ତାନ ପାଇଁ ଗୁପ୍ତଚର କରୁଥିବା ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି । ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ବ୍ୟକ୍ତି ଜଣଙ୍କ ପାକିସ୍ତାନରୁ ଆସି ଭାରତର ନାଗରିକତ୍ବ ଗ୍ରହଣ କରିଥିବା ଜଣେ ହିନ୍ଦୁ ଶରଣାର୍ଥୀ । ଏହି ଶରଣାର୍ଥୀଙ୍କୁ ପାକିସ୍ତାନର ଗୁପ୍ତଚର ଅଭିଯୋଗରେ ଗିରଫ କରାଯାଇଛି ।

ରାଜସ୍ଥାନ ଗୁଇନ୍ଦା ବିଭାଗ ୪୬ ବର୍ଷ ବୟସ୍କ ଭାଗଚନ୍ଦଙ୍କୁ ଦିଲ୍ଲୀରୁ ଗିରଫ କରିଛି । ଅଭିଯୁକ୍ତ ୩ ବର୍ଷ ପୂର୍ବେ ଭାରତର ନାଗରିକତ୍ବ ଗ୍ରହଣ କରିଥିଲେ । ସେ ଦିଲ୍ଲୀରେ ରହି ଟ୍ୟାକ୍ସି ଚଳାଉଥିଲେ । ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା ଯେ, ଅଭିଯୁକ୍ତ ଜଣକ ପାକିସ୍ତାନୀ ହ୍ୟାଣ୍ଡେଲରଙ୍କ ସହ ଯୋଗାଯୋଗରେ ରହିଛନ୍ତି ଏବଂ ଦିଲ୍ଲୀରୁ ଗୁରୁତ୍ବପୂର୍ଣ୍ଣ ସୂଚନା ପାକିସ୍ତାନକୁ ପଠାଉଥିଲେ ।

ଏଡିଜି ଇଣ୍ଟେଲିଜେନ୍ସ ଉମେଶ ମିଶ୍ର କହିଛନ୍ତି ଯେ, ବ୍ୟକ୍ତି ଜଣଙ୍କ ପାକିସ୍ତାନୀ ହ୍ୟାଣ୍ଡେଲରଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ଦିଲ୍ଲୀର ସମ୍ବେଦନଶୀଳ ସ୍ଥାନ ବିଷୟରେ ପାକିସ୍ତାନକୁ ସୂଚନା ପଠାଉଥିଲେ । ଅଗଷ୍ଟ ୧୪ରେ ଗୁପ୍ତଚର ଅଭିଯୋଗରେ ଭିଲଓ୍ବାଡାରୁ ନାରାୟଣ ଲାଲ ଗାଡରୀଙ୍କୁ ଗିରଫ କରାଯାଇଥିଲା । ତାଙ୍କ ମୋବାଇଲରୁ ଜଣାପଡିଥିଲା ଯେ, ଦିଲ୍ଲୀର ସଞ୍ଜୟ କଲୋନୀ ଭାଟି ମାଇନ୍ସରେ ରହୁଥିବା ଭାଗଚନ୍ଦ ମଧ୍ୟ ତାଙ୍କ ସହ ସାମିଲ ଥିଲା ।

ପାକିସ୍ତାନୀ ହ୍ୟାଣ୍ଡେଲର ତାଙ୍କ ଆକାଉଣ୍ଟରେ ଟଙ୍କା ପଠାଉଥିଲେ । ଭାଗଚନ୍ଦ ଗତ ୩ ବର୍ଷ ହେବ ପାକିସ୍ତାନ ପାଇଁ ଗୁପ୍ତଚର କରୁଥିଲେ । ଅଟୋ ଚଳାଇବା ସମୟରେ ସେ ଦିଲ୍ଲୀର ବିଭିନ୍ନ ସ୍ଥାନର ଫଟୋ ଉଠାଇ ପାକିସ୍ତାନକୁ ପଠାଉଥିଲେ । ଗିରଫ ଅଭିଯୁକ୍ତ ୧୯୯୮ ମସିହାରେ ପରିବାର ସହ ଭିସା ନେଇ ଭାରତ ଆସିଥିଲେ । ଏଠାରେ ଆସି ଦିନ ମଜୁରିଆ ଭାବେ କାମ ଆରମ୍ଭ କରିଥିଲେ । ୩ ବର୍ଷ ପୂର୍ବେ ତାଙ୍କୁ ଭାରତର ନାଗରିକତ୍ବ ମିଳିଥିଲା । ଗୁଇନ୍ଦା ବିଭାଗର ଜଏଣ୍ଟ ଟିମ୍ ଭାଗଚନ୍ଦଙ୍କୁ ଜୟପୁରରେ ପଚରାଉଚରା କରୁଛି ।

Spread the love