ଅଣାୟତ୍ତ ହେଉଛି ରାଜଧାନୀର ବସ୍ତି ସ୍ଥିତି, ସତର୍କ କରାଇଲା ବିଜେପି

ରାଜ୍ୟ ସରକାରଙ୍କ ଘୋଷଣାବାଜି ଓ କଟକଣା ସତ୍ତ୍ୱେ ରାଜଧାନୀ ଭୁବନେଶ୍ୱରରେ କରୋନା ମହାମାରୀ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ନିୟମିତ ଭାବେ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଆଜି ରେକର୍ଡ ପରିମାଣର ୨୧୫ଜଣ ଚିହ୍ନଟ ହୋଇଛନ୍ତି। ଏଥିରେ ଅଧିକାଂଶ ବସ୍ତି ଅଂଚଳର। ଯାହାକି ରାଜଧାନୀରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ସୃଷ୍ଟି କରିଛି। ଏପଟେ ଭୁବନେଶ୍ୱରରେ କରୋନା ସ୍ଥିତି ବିପର୍ଯ୍ୟସ୍ତ ହେବାକୁ ନେଇ ବିଜେପି ଉଦବେଗ ବ୍ୟକ୍ତ କରିବା ସହ ଦିଲ୍ଲୀ ଭଳି ମଡେଲ ଏଠାରେ କାର୍ଯ୍ୟକାରୀ ହେଉ ବୋଲି ଦାବି କରିଛି।

ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୫୦ଜଣ କ୍ୱାରେଣ୍ଟାଇନ ଓ ୬୫ଜଣ ବ୍ୟକ୍ତି ଲୋକାଲ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବିଏମସି ପକ୍ଷରୁ ଜାରି ମୋଟ୍ ସଂକ୍ରମିତ(ଉଭୟ କ୍ୱାରେଣ୍ଟାଇନ ଓ ଲୋକାଲ୍ କେସ)ଙ୍କ ତଥ୍ୟ ଅନୁସାରେ ମାଳି ସାହିରୁ ୪ଜଣ, ଆଇଗଣିଆ ଆଳୁଗଦିରୁ ୧୦ଜଣ, ୪ନମ୍ବର ମାର୍କେଟ୍ ସମେତ ୯ରୁ ଅଧିକ ବସ୍ତିରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସାଲିଆସାହିରୁ ମୋଟ ୧୪ଜଣ, ୟୁନିଟ୍ -୯ ବସ୍ତିରୁ ୧୯ଜଣ, ଏମଏଲଏ କଲୋନୀସ୍ଥିତ ୟୁନିଟ୍ -୪ ବସ୍ତିରୁ ୯ଜଣ, ବିଶେଶ୍ୱର ବସ୍ତିରୁ ୫ଜଣ, ଝରଣା ବସ୍ତିରୁ ୩ଜଣ, ସୀତାପୁର ବସ୍ତିରୁ ଜଣେ, ବରମୁଣ୍ଡା ଫାୟାରଷ୍ଟେସନ ନିକଟସ୍ଥ ବସ୍ତିରୁ ୪ଜଣ, ସୀତାପଲ୍ଲୀରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରେ ପ୍ରାୟ ୩୮୦ଟି ବସ୍ତି ରହିଥିବାବେଳେ ମାଳି ସାହି, ସାଲିଆସାହି ଭଳି ପ୍ରମୁଖ ବସ୍ତିରୁ ସଂକ୍ରମିତ ଚିହ୍ନଟ ହେବା ରାଜଧାନୀ ପାଇଁ ଚିନ୍ତାର କାରଣ ପାଲଟିଛି। ବିଶେଷକରି ରାଜଧାନୀ ଭୁବନେଶ୍ୱରର ୩୦ ପ୍ରତିଶତ ଜନସଂଖ୍ୟା ବସ୍ତିରେ ରହୁଥିବାବେଳେ ଅସ୍ୱସ୍ତିକର ପରିବେଶ ମଧ୍ୟରେ ରହିଥିବା ବସ୍ତିଗୁଡ଼ିକରେ ସଂକ୍ରମଣ ମାମଲା ବୃଦ୍ଧି ପାଇବା ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇବ।ଅନ୍ୟପକ୍ଷରେ ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭୁବନେଶ୍ୱର ସ୍ଥିତି ଅତି ଗମ୍ଭୀର ହୋଇଛି। କରୋନା ଏବେ ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ଭୁବନେଶ୍ୱରରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି। ଜନବହୁଳ ରାଜଧାନୀରେ ପ୍ରତିଦିନ ୨୦୦ରୁ ୩୦୦ ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି। ଲୋକାଲ କେସ୍ ବଢ଼ୁଛି। କରୋନା ନିୟନ୍ତ୍ରଣ ଓ ମୁକାବିଲାରେ ଦିଲ୍ଲୀ ଏବେ ଦେଶ ପାଇଁ ମଡେଲ ସାଜିଛି। ତୁରନ୍ତ ରାଜ୍ୟ ସରକାର ସବୁ ବସ୍ତିରେ ସାନିଟାଇଜ୍ କରନ୍ତୁ। ବସ୍ତିରେ ରହୁଥିବା ଲୋକମାନେ ସଚେତନ ନୁହଁନ୍ତି । ଆଗକୁ ପରିସ୍ଥିତି ଭୟାବହ ହେବାର ଆଶଙ୍କା ରହିଛି। ହୋମ୍ ଆଇସୋଲେସନ୍ ଲୋକେ ଅଧିକ ହଇରାଣ ହେଉଛନ୍ତି। ସେମାନେ ଘରେ ଓ ବାହାରେ ଅଛୁଆଁ ଅବସ୍ଥାରେ ରହୁଛନ୍ତି । ସେମାନଙ୍କର ମାନସିକ ସ୍ଥିତି ମଧ୍ୟ ଖରାପ ହେଉଛି। ସରକାର ଓ ପ୍ରଶାସନକୁ ଫୋନ୍ କଲେ ମଧ୍ୟ କୌଣସି ସୁଫଳ ମିଳୁନି। ପୂର୍ବରୁ କଣ୍ଟ୍ରାକ୍ଟ ଟ୍ରେସିଂ ଓ ଲୋକାଲ୍ ସଂକ୍ରମଣ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିଲା। ନିୟମିତ ସନ୍ଧ୍ୟାରେ ଗଣମାଧ୍ୟମକୁ ରିପୋର୍ଟ ମଧ୍ୟ ଦିଆଯାଉଥିଲା। ଏବେ କିନ୍ତୁ ସେଭଳି ବ୍ୟବସ୍ଥା ନାହିଁ। ରୋଗୀଙ୍କ ସେବା ଓ ଚିକିତ୍ସା ପ୍ରତି ମୁଖ୍ୟମନ୍ତ୍ରୀ ତୁରନ୍ତ ବିଶେଷ ଦୃଷ୍ଟି ଦିଅନ୍ତୁ। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ଯେଭଳି ଦିଲ୍ଲୀ ସମ୍ଭାଳିଲେ, ରାଜ୍ୟ ସରକାର ତାଙ୍କର ସହଯୋଗ ନିଅନ୍ତୁ ଓ ଦିଲ୍ଲୀ ଢ଼ାଂଚାରେ ମୁକାବିଲା କଲେ ଭୁବନେଶ୍ୱରରେ କରୋନା ସ୍ଥିତି ଉପରେ ନିୟନ୍ତ୍ରଣ ଆସିପାରିବ। ଦିଲ୍ଲୀର କରୋନା ମୁକାବିଲା ଶୈଳୀକୁ ଭୁବନେଶ୍ୱରରେ ମଡେଲ ଭାବେ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।ସୂଚନାଯୋଗ୍ୟ, ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଆଜିସୁଦ୍ଧା ୨୩୬୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୪୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୧୨ଜଣଙ୍କ ମୃତ୍ୟୁ ହୋଇଛି। ଏବେ ୧୨୦୯ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Spread the love