ନବରଙ୍ଗପୁରଠାରେ ଅନୁଷ୍ଠିତ କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ

ଭୁବନେଶ୍ୱର/ନବରଙ୍ଗପୁର,ତା.୨୨/୦୨: ଓଡିଶା ସହ ମୋର ଭାବନାତ୍ମକ ସଂପର୍କ ରହିଛି । କଂଗ୍ରେସ ସରକାର ସମୟରେ ଏଇଠୁ ଭାରତ ସୁରକ୍ଷା ଯାତ୍ରା ଆରମ୍ଭ କରିଥିଲୁ । ମହାପ୍ରଭୁ ଜଗନ୍ନାଥଙ୍କ ମାଟିରୁ ହିଁ ମୁଁ ଭାରତ ସୁରକ୍ଷା ଯାତ୍ରା ଆରମ୍ଭ କରିଥିଲି । ଏଥର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଦରକାର । ଲୋକସଭା ଓ ବିଧାନସଭା କ୍ଷେତ୍ରରେ ବିଜେପି ଭଲ ପ୍ରଦର୍ଶନ କରିବ । କେନ୍ଦ୍ରରେ ତୃତୀୟ ଥର ମୋଦି ସରକାର ଏବଂ ଓଡ଼ିଶାରେ ମଧ୍ୟ ବିଜେପି ସରକାର ଗଠନ ହେବ ବୋଲି ଆଜି ନବରଙ୍ଗପୁରଠାରେ ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ।

ମୋଦି ସରକାର ୧୦ବର୍ଷରେ ଓଡ଼ିଶାକୁ ୧୮ଲକ୍ଷ କୋଟି ଦେଇଛନ୍ତି । ଏହି ଟଙ୍କା ପ୍ରତ୍ୟେକ ଲୋକଙ୍କ ସେବାରେ ଲାଗିବା ଦରକାର । ବିଜେପି ଏକମାତ୍ର ଦଳ “ଯାହା କହେ, ସେୟା ହିଁ କରି ଦେଖାଏ” । ବିଜେପିର ନିର୍ବାଚନୀ ଇସ୍ତାହାର ଦେଖନ୍ତୁ, ସବୁ ପ୍ରତିଶ୍ରୁତିକୁ କାମରେ ଲଗାଇଛି ବିଜେପି । ମୋଦିଜୀ ନିର୍ବାଚନ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି । ଜାମ୍ମୁ କାଶ୍ମୀରରୁ ୩୭୦ଧାରା ଉଚ୍ଛେଦ, ତିନ୍ ତଲାକ ଉଚ୍ଛେଦ, ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପ୍ରତିଷ୍ଠାର ଯେଉଁ ପ୍ରତିଶ୍ରୁତି ମୋଦି ଦେଇଥିଲେ ତାହା ପାଳନ କରିଛନ୍ତି । ମୋଦିଜୀ ଶାସନକୁ ଆସିବା ପରେ ୨୫କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି । ୧୧କୋଟି ଲୋକଙ୍କ ପାଇଁ ଶୌଚାଳୟ, ୪କୋଟିଙ୍କୁ ପକ୍କା ଘର ମିଳିଛି । ଓଡିଶାରେ ୩୦ଲକ୍ଷ ଲୋକଙ୍କୁ ପକ୍ମା ଘର ମିଳିଛି । ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କୁ ସ୍ୱାସ୍ଥ୍ୟ ସୁବିଧା ମିଳୁଛି । ମେଡିକାଲ କଲେଜ, ଇଂଜିନିୟରିଂ କଲେଜ ବଢ଼ିଛି । ଜନତାଙ୍କ ସେବା କରିବା ଆମ ପ୍ରଧାନମନ୍ତ୍ରୀଙ୍କ ଏକମାତ୍ର ଉଦ୍ଦେଶ୍ୟ । ଦେଶ ଗଠନ ପାଇଁ ହିଁ କେବଳ ରାଜନୀତି କରୁଛି ବିଜେପି । ସେତେବେଳେ ଆତଙ୍କବାଦ, ନକ୍ସଲବାଦ ସର୍ବତ୍ର ରହିଥିଲା । ଆଜି ଆତଙ୍କବାଦ କେଉଁଠି ରହିଛି, ଆପଣମାନେ ଜାଣିଛନ୍ତି । ଏବେ ନକ୍ସଲବାଦ କେବଳ କିଛି ଜିଲ୍ଲାରେ ସୀମିତ ରହିଛି । ପୁଲୱାମା ଘଟଣା ପରେ ମୁହଁତୋଡ ଜବାବ ଦେଇଥିଲା ଆମ ଦେଶ ଭାରତ । ଶ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ଚିତ୍ର ବଦଳିଛି । ମୋଦିଜୀଙ୍କ ବାର୍ତା ନେଇ ବିଜେପିର ସମସ୍ତ କର୍ମୀ ଓ କାର୍ଯ୍ୟକର୍ତା ବୁଥ୍‌ସ୍ତରକୁ ଯିବାକୁ ଶ୍ରୀ ସିଂହ ଆହ୍ୱାନ ଦେଇଛନ୍ତି ।
କଂଗ୍ରେସ ଲମ୍ବା ସମୟ ପର୍ଯ୍ୟନ୍ତ ଦେଶବାସୀଙ୍କୁ ଧୋକା ଦେଇଛି । ଓଡିଶାରେ କଂଗ୍ରେସ ସରକାର ଖାଲି ଶିଳାନ୍ୟାସ କରି ଚାଲିଥିଲା । ଆମ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ନୁହେଁ, କାର୍ଯ୍ୟ ପୂରଣ କରୁଛନ୍ତି । ଯେଉଁଠି ଶିଳାନ୍ୟାସ, ସେଇଠି କାମ ସାରି ଉଦ୍‌ଘାଟନ ବି କରିଛନ୍ତି । କଂଗ୍ରେସ ସରକାରରେ ୧୭ବର୍ଷରେ ୧୮ହଜାର କିମି ରାସ୍ତା କରିଥିଲା, କିନ୍ତୁ ଗତ ୧୦ ବର୍ଷରେ ମୋଦି ସରକାର ୩୦ହଜାର କିମି ରାସ୍ତା କରିଛି । ଓଡିଶା ସହ ବିଜେପି ସରକାର ଭେଦଭାବ କରିନି । ଯେଉଁ କାମ ପୂରଣ ହୋଇନି, ମୋଦିଙ୍କ ୩ୟ ପାଳିରେ ନିଶ୍ଚିତ ହେବ ବୋଲି ଆଜି ନବରଙ୍ଗପୁର ଜିଲ୍ଲାରେ ଭାରତୀୟ ଜନତା ପାର୍ଟିର ବିଜୟ ସଂକଳ୍ପ ସମାବେଶରେ ଶ୍ରୀ ସିଂହ କହିଛନ୍ତି ।
ଦଳର ସମସ୍ତ କାର୍ଯ୍ୟକର୍ତା ଦୈନିକ ଦଳ ପାଇଁ ୧୨ଘଂଟା, ପରିବାର ପାଇଁ ୧୨ଘଂଟା ଦିଅନ୍ତୁ । କୌଣସି କ୍ଷେତ୍ରରେ ବି କାର୍ଯ୍ୟକର୍ତା ପଛଘୁଂଚା ଦିଅନ୍ତୁ ନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି । ଆଗାମୀ ୬୦ଦିନ ଆମକୁ ଜୀଜାନ୍ ଲଗାଇ ଦେବାକୁ ପଡିବ । ଏହାପରେ ଦକ୍ଷିଣ ଓଡ଼ିଶାର ୪ଟି ଲୋକସଭା ଆସନରୁ ସ୍ଥିତି ଆକଳନ କରି ଏଗୁଡିକୁ ସଶକ୍ତ କରିବାକୁ କହିଛନ୍ତି ଶ୍ରୀ ସିଂହ ।
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ଓଡ଼ିଶା ନୁହେଁ ବରଂ ଦେଶର ପ୍ରତ୍ୟେକ ରାଜ୍ୟ ତୃତୀୟଥର ପାଇଁ ମୋଦିଜୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଛନ୍ତି । ଭ୍ରଷ୍ଟାଚାରୀ ବିଜେଡି ସରକାର ଓଡ଼ିଶାର ବିକାଶ ପାଇଁ ବାଧକ ସାଜିଛି । ଚାଷ, ଜଳସେଚନ, ଚାକିରୀ, ଶିଳ୍ପ ଇତ୍ୟାଦି କ୍ଷେତ୍ରରେ ଓଡ଼ିଶା ବହୁ କ୍ଷେତ୍ରରେ ପଛରେ ରହିଛି । ବିଜେପି ଓଡ଼ିଶାରେ ସରକାର ଗଢ଼ିଲେ ଧାନରେ କଟନ ଛଟନି ହେବନି କ୍ୱିଂଟାଲ ପିଛା ୩୧ଶହ ଦେବ, କୃଷି ଶିଳ୍ପ ସ୍ଥାପନ, ଜଳସେଚନ ବ୍ୟବସ୍ଥା ହେବ, ପର୍ଯ୍ୟଟନ ବିକାଶ ହେବ, ଦେଢ଼କୋଟି ଓଡ଼ିଆ ଲୋକ ଚାକିରି ପାଇବେ, ୪୦ଲକ୍ଷ ପରିବାର ଚିଣ୍ଡଫଣ୍ଡ ହରାଇଥିବା ଟଙ୍କା ଫେରାଇବୁ । ବିଜେପି ସରକାର ହେଲେ ଓଡ଼ିଶା ଲୋକଙ୍କ ସମସ୍ତ ଆବଶ୍ୟକତା ପୂରଣ କରିବ ।
ଏହି ବିଜୟ ସଂକଳ୍ପ ସମାବେଶରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ରାଜ୍ୟର ବହୁ ବରିଷ୍ଠ ନେତୃବୃନ୍ଦ ସହ ଆଲୋଚନା କରିବା ପରେ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ବଲାଙ୍ଗିର ୪ଲୋକସଭା କ୍ଷେତ୍ରର କୋର୍ କମିଟି ସଦସ୍ୟ, ବିଧାନସଭାସ୍ତରୀୟ କୋର୍ କମିଟି, ଲୋକସଭା ପ୍ରବାସ ସଂଚାଳନ ସମିତି ଟିମ୍‌, ବିଧାନସଭା ପ୍ରବାସ ସଂଚାଳନ ସମିତି ଟିମ୍‌, ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତା, ସମସ୍ତ ମୋର୍ଚ୍ଚା ସଭାପତି, ଜାତୀୟ/ରାଜ୍ୟସ୍ତରୀୟ କର୍ମକର୍ତା, ସମସ୍ତ ମଣ୍ଡଳ ସଭାପତି ଓ ପ୍ରଭାରୀ, ଲୋକସଭା/ବିଧାନସଭା ପ୍ରଭାରୀ, ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Spread the love