ଧାମନଗର ଉପନିର୍ବାଚନରେ ପରାଜୟ ପରେ ବିଜେଡିର ମାନସ ମନ୍ଥନ, ରାଜୁ ଦାସ୍‌ଙ୍କ ଘରବାହୁଡା ନେଇ ଚର୍ଚ୍ଚା

ତିହିଡି ୧୦/୧୧: ଧାମନଗର ଉପନିର୍ବାଚନରେ ବିଜେଡିର ପରାଜୟକୁ ନେଇ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଏ ପର୍ଯ୍ୟନ୍ତ ଚାଲିଛି ମାନସ ମନ୍ଥନ । ଏଭଳି ସ୍ଥିତିରେ ପ୍ରାକ୍ତନ ବିଧାୟକ ତଥା ବିଜେଡି ଟିକେଟ୍‌ରୁ ବଞ୍ଚିତ ହୋଇ ସ୍ୱାଧୀନ ପ୍ରାର୍ଥୀ ଭାବେ ଉପନିର୍ବାଚନ ଲଢ଼ିଥିବା ରାଜେନ୍ଦ୍ର ଦାସଙ୍କୁ ଚର୍ଚ୍ଚା ଥମୁନି । ରାଜୁଙ୍କ ଭବିଷ୍ୟତ ରାଜନୈତିକ କାର୍ଯ୍ୟପନ୍ଥା ଉପରେ ରହିଛି ସମସ୍ତଙ୍କ ନଜର ।

କୁହାଯାଉଛି ରାଜୁଙ୍କୁ ଫେରାଇ ନେବାକୁ ଚିନ୍ତା କରୁଛି ବିଜେଡି । ଭୋଟ ଗଣତି ଦିନ ରାଜୁଙ୍କ ବଡ଼ଭାଇ ମନିନ୍ଦ୍ର ଦାସଙ୍କ ହୃଦଘାତରେ ଦେହାନ୍ତ ହୋଇଥିଲା । ତେଣୁ ବଡ଼ଭାଇଙ୍କ ଶୁଦ୍ଧିକ୍ରିୟା ପରେ ଦଳ ମିଶ୍ରଣ ପର୍ବ କରିବ ଓ ରାଜୁଙ୍କୁ ଫେରାଇ ଆଣି ପୁଣି ଥରେ ଜିଲ୍ଲାରେ ସଂଗଠନକୁ ସଜାଡ଼ି ୨୦୨୪ ସାଧାରଣ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବ ।

ବିଜେଡିର ଜଣେ ରାଜ୍ୟ ଉପସଭାପତି ଗତକାଲି ରାଜୁଙ୍କ ସହ ଏନେଇ ଫୋନରେ କଥା ହେବା ସହ ବଡ଼ଭାଇଙ୍କ ବିୟୋଗରେ ରାଜୁଙ୍କୁ ସମବେଦନା ଜଣାଇଥିବା ସୂଚନା ମିଳିଛି । ଏଥିସହ ଧାନମନଗର ଉପନିର୍ବାଚନରେ ଦଳର ପରାଜୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିବା ଜଣାପଡ଼ିଛି । ଉପନିର୍ବାଚନରେ ଦଳର ପରାଜୟକୁ ନେଇ ବିଜେଡି ନେତା ଓ କର୍ମୀମାନେ ସମୀକ୍ଷା ଜାରି ରଖିଛନ୍ତି । କାହା ପଞ୍ଚାୟତରୁ କେତେ ଭୋଟ୍‌ କମିଲା ଓ ତା’ର କାରଣକୁ ନେଇ ପର୍ଯ୍ୟାଲୋଚନା ଚାଲିଛି ।

ଭୋଟ ଗଣତି ବେଳେ ତିହିଡି ୧୩ ପଞ୍ଚାୟତର ଗଣତି ଅଷ୍ଟମ ରାଉଣ୍ଡ ପର୍ଯ୍ୟନ୍ତ ବିଜେପି ପ୍ରାର୍ଥୀଙ୍କୁ ଲିଡ୍‌ ଦେଇ ଚାଲିଥିଲା ଓ ରାଜୁଙ୍କ ଭୋଟ୍‌ ସଂଖ୍ୟା ବଢାଇ ଚାଲିଥିଲା । ତେଣୁ ଗଣତି ବେଳେ ଶାସକ ଦଳ ନେତାଙ୍କ ହୃଦ୍‌କମ୍ପନ ବଢ଼ି ଚାଲିଥିଲ।। । ନିର୍ବାଚନ ପରେ ଏବେ ଚର୍ଚ୍ଚା ଚାଲିଛି ବିଜେଡିକୁ ଫେରିବେ ରାଜୁ । ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଦଳ ତାଙ୍କୁ ଫେରାଇ ନେଇପାରେ । ଏଥିସହ ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗୁରୁ ଦାୟିତ୍ୱ ଦେଇପାରେ ।

ଅନ୍ୟପକ୍ଷରେ ଯଦି ରାଜୁ ଦଳକୁ ଫେରନ୍ତି ଓ ଭଦ୍ରକ ଜିଲ୍ଲାର ସାଂଗଠନିକ ଓ ଅନ୍ୟାନ୍ୟ କ୍ଷେତ୍ରରେ ଦାୟିତ୍ୱ ବହନ କରନ୍ତି, ତେବେ କାହାର କ୍ଷତି ଓ କାହାର ଲାଭ ହେବ ତାହା ବି ଚର୍ଚ୍ଚା ଚାଲିଛି । ନିର୍ବାଚନ ବେଳେ ରାଜୁ ଖୋଲାଖୋଲି ଭାବେ ଯେଉଁ ଚକ୍ରାନ୍ତକାରୀଙ୍କ କଥା କହୁଥିଲେ, ସେହି ନେତାଙ୍କ ସାଙ୍ଗରେ ରହିବେ ନା ସେମାନଙ୍କଠାରୁ ଦୂରେଇ ରହିବେ ତାହା ଆଉ ଏକ ପ୍ରସଙ୍ଗ । ସେହିପରି ଯଦି ରାଜୁ ବିଜେଡିକୁ ନଫେରନ୍ତି ତେବେ ସ୍ୱାଧୀନ ରହିବେ ନା ଅନ୍ୟ କୌଣସି ଦଳକୁ ଡେଇଁବେ ତାହା ଉପରେ ରହିଛି ରାଜନୈତିକ ସମୀକ୍ଷକଙ୍କ ନଜର ।

Spread the love