ରାଜ୍ୟସଭାକୁ ୪୧ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ନୂଆଦିଲ୍ଲୀ : ରାଜ୍ୟସଭାକୁ ୧୧ ରାଜ୍ୟରୁ ୪୧ଜଣ ପ୍ରାର୍ଥୀ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଛନ୍ତି। ପ୍ରମୁଖ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ସଦ୍ୟ କଂଗ୍ରେସ ଛାଡ଼ିଥିବା କପିଳ ସିବଲ, କଂଗ୍ରେସର ପି. ଚିଦମ୍ବରମ୍‌, ଆରଜେଡିର ମିସା ଭାରତୀ, ଆରଏଲଡିର ଜୟନ୍ତ ଚୌଧରୀ ପ୍ରମୁଖ। ଉତ୍ତର ପ୍ରଦେଶରୁ ସମସ୍ତ ୧୧ ପ୍ରାର୍ଥୀଙ୍କ ସହ ତାମିଲନାଡ଼ୁରୁ ୬, ବିହାରରୁ ୫, ଆନ୍ଧ୍ର ପ୍ରଦେଶରୁ ୪ ଏବଂ ମଧ୍ୟ ପ୍ରଦେଶ, ଓଡ଼ିଶାରୁ ୩ ଲେଖାଏଁ ନିର୍ବାଚିତ ହୋଇଛନ୍ତି। ଛତିଶଗଡ଼, ପଞ୍ଜାବ, ତେଲଙ୍ଗାନା ଓ ଝାଡ଼ଖଣ୍ଡରୁ ୨ ଜଣ ଲେଖାଏଁ ଏବଂ ଉତ୍ତରାଖଣ୍ଡରୁ ୧ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରୁ ଆପ୍‌ର ୨, ଆରଜେଡିର ୨, ଜେଡି(ୟୁ)ର ୧, ବିଜେପିର ୧୪, ଏସ୍‌ପିର ୧, ଆରଏଲଡିର ୧, ଟିଆରଏସ୍‌ର ୨, କଂଗ୍ରେସର ୪, ବିଜେଡିର ୩, ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ୧, ୱାଇଏସ୍‌ଆର କଂଗ୍ରେସର ୪, ଡିଏମ୍‌କେର ୩, ଏଆଇଏଡିଏମ୍‌କେର ୨ ପ୍ରାର୍ଥୀ ବିଜୟୀ ହୋଇଥିବା ଘୋଷଣା କରାଯାଇଛି।
ଆସନ୍ତା ୧୦ରେ ମୋଟ ୫୭ଟି ଆସନ ପାଇଁ ନିର୍ବାଚନ ଧାର୍ଯ୍ୟ ହୋଇଥିବାବେଳେ ଅବଶିଷ୍ଟ ୧୬ ଆସନର ଫଳାଫଳକୁ ଅପେକ୍ଷା ରହିଛି।

Spread the love