ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ କରୋନାରେ ପରଲୋକ

ନିରବି ଗଲା ନିହାଣର ସ୍ଵର। ଅଧାରେ ରହିଗଲା ଦ୍ଵିତୀୟ କୋଣାର୍କର ପରିକଳ୍ପନା। ବିଶିଷ୍ଟ ସ୍ଥପତି, ଭାସ୍କର୍ଯ୍ୟ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ କରୋନାରେ ପରଲୋକ ଘଟିଛି। ରବିବାର ଅପରାହ୍ନ ୩ଟା ୪୯ରେ ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । କିଛି ଦିନ ତଳେ ତାଙ୍କ ସ୍ବାସ୍ଥ୍ୟସେବା ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏ ନେଇ ଭୁବନେଶ୍ଵର ଏମ୍ସ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ଗତ ୨୨ ତାରିଖରେ ଏମ୍ସରେ ସେ ଭର୍ତ୍ତି ହୋଇଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।

ରଘୁନାଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ଵିଟ୍ କରି ଲେଖିଛନ୍ତି ଯେ, ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଶିଳ୍ପୀ ତଥା ସାଂସଦ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାର କଳା ଓ ଐତିହ୍ୟକୁ ସମୃଦ୍ଧ କରିବା ଦିଗରେ ତାଙ୍କ ଅତୁଳନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଶିଳ୍ପୀ ତଥା ସାଂସଦ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାର କଳା ଓ ଐତିହ୍ୟକୁ ସମୃଦ୍ଧ କରିବା ଦିଗରେ ତାଙ୍କ ଅତୁଳନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।
୧୯୪୩ ମସିହା ମାର୍ଚ୍ଚ ୨୪ରେ ଜନ୍ମ ଗ୍ରହଣ କରିଥିବା ରଘୁନାଥ ମହାପାତ୍ର ପ୍ରସ୍ତର କାରୁକାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୭୫ ମସିହାରେ ପଦ୍ମଶ୍ରୀ, ୨୦୦୧ ମସିହାରେ ପଦ୍ମ ଭୂଷଣ ଏବଂ ୨୦୧୩ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ। ଏହା ପୂର୍ବରୁ ୧୯୬୪ରେ ସେ ଜାତୀୟ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ। ରଘୁନାଥଙ୍କ ବିୟୋଗ ରାଜ୍ୟ ତଥା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି।

ଗତ ମେ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ କରି ରଘୁନାଥଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ମହାପାତ୍ରଙ୍କ ପୁଅଙ୍କ ସହିତ ଫୋନ ଯୋଗେ ସ୍ବାସ୍ଥ୍ୟବସ୍ଥା ପଚାରିବୁଝିଥିଲେ ନରେନ୍ଦ୍ର ମୋଦୀ।

୧୯୪୩ ମସିହା ମାର୍ଚ୍ଚ ୨୪ରେ ବିଶିଷ୍ଟ ସ୍ଥପତି ରଘୁରାନ ମହାପାତ୍ର ପୁରୀ ପଥୁରିଆ ସାହିରେ ଜନ୍ମ ଗ୍ରହଣ କରିଥିଲେ। ଦ୍ଵିତୀୟ କୋଣାର୍କ ମନ୍ଦିରର ପରିକଳ୍ପନା କରିଥିବା ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କୁ ସ୍ଥପତି କ୍ଷେତ୍ରରେ ଅତୂଳନୀୟ ଯୋଗଦାନ ହେତୁ ରାଷ୍ଟ୍ରପତିଙ୍କ ଦ୍ଵାରା ରାଜ୍ୟସଭାକୁ ୨୦୧୮ ଜୁଲାଇ ୧୪ରେ ମନୋନୀତ କରିଥିଲେ। ମାତ୍ର ଅଷ୍ଟମ ଶ୍ରେଣୀ ଯାଏଁ ପଢିଥିବା ରଘୁନାଥ ମହାପାତ୍ର ଭାରତୀୟ ସ୍ଥପତ୍ୟ କଳାକୁ କେବଳ ଓଡ଼ିଶା କି ଦେଶରେ ନୁହେଁ ବିଶ୍ବ ଦରବାରରେ ପରିଚିତ କରାଇବାରେ ବଡ ଅବଦାନ ରଖିଥିଲେ । ୨୦୨୦ ରେ ସେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆଇସିସିଆର ମେମ୍ବର ଭାବେ ମନୋନୀତ ହୋଇଥିଲେ । ସେହିଭଳି ସେ ୧୯୬୩ରୁ ଭୁବନେଶ୍ବରରେ ହ୍ୟାଣ୍ଡିକ୍ରାଫ୍ଟ ଟ୍ରେନିଂ ଓ ଡିଜାଇନିଂ ସେଣ୍ଟରରର ବରିଷ୍ଠ ଇନଷ୍ଟ୍ରକଟର ଭାବେ କାର୍ଯ୍ୟ କରିଥିଲେ । ୨୦୧୬ ରେ ସେ ଲଳିତ କଳା ଏକାଡେମୀର ସଭାପତି ଭାବେ କାର୍ଯ୍ୟ ତୁଲାଇଥିଲେ ।
ରଘୁନାଥ ମହାପାତ୍ରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତି କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି । ଅମର ଆତ୍ମାର ସଦଗତି କାମନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ଲେଖିଛନ୍ତି ସେ ଗଭୀର ଭାବେ ଦୁଃଖିତ ଓ ମର୍ମାହତ । ରଘୁନାଥଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସଂପର୍କ ନିବିଡ ଥିଲା। ରାଜ୍ୟ ଓ ଦେଶ ଜଣେ ମହାନ ଶିଳ୍ପୀଙ୍କୁ ହରାଇଲା ବୋଲି ସେ ଲେଖିଛନ୍ତି । ରାଜ୍ୟର ଅନେକ ବିଶିଷ୍ଟ ବ୍ୟକ୍ତି ଏନେଇ ଶୋକ ପ୍ରକାଶ କରିଛନ୍ତି। ସୋଆ ପ୍ରତିଷ୍ଠାତା ମନୋଜ ରଞ୍ଜନ ନାୟକ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

Spread the love