ଦୋଷ ଲଦି ଦେବାରେ ପିଏଚଡି ହାସଲ କରିଥିବା ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନେ ସତ କଥା ଶୁଣିଲେ ଚମକି ପଡୁଛନ୍ତି : ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ

ଦୀର୍ଘ ୨୩ ବର୍ଷ ଧରି ନିରୁଙ୍କଶ ଶାସନ କ୍ଷମତାରେ ଥିବା ସତ୍ୱେ ଓଡିଶାର ସଠିକ୍ ବିକାଶ କରିବାରେ ବିଫଳ ହୋଇଛି ଦୁର୍ନୀତିଗ୍ରସ୍ତ ଶାସକ ବିଜେଡି । ନିଜ ଅପାରଗତା ଓ ବିଫଳତାକୁ ଲୁଚାଇବା ପାଇଁ ସବୁବେଳେ ଅନ୍ୟ ଉପରକୁ ଦୋଷ ଲଦି ଦେବାରେ ପିଏଚଡି ହାସଲ କରିଥିବା ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନେ ସତ କଥା ଶୁଣିଲେ ଚମକି ପଡୁଛନ୍ତି । ଦୁର୍ନୀତିଗ୍ରସ୍ତ ଶାସକ ବିଜେଡି ପାଇଁ ବିକାଶମୂଳକ କାର୍ଯ୍ୟ ପ୍ରାଧାନ୍ୟ ନୁହେଁ ବରଂ ମିଛ କଥା କହି ରାଜ୍ୟବାସୀଙ୍କ ସହ ପ୍ରତାରଣା କରିବା ଅଭ୍ୟାସରେ ପରିଣତ ହୋଇଛି ବୋଲି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦିକା ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ।

ଅତୀତରେ କଂଗ୍ରେସ ସରକାର ଅମଳରେ ଓଡିଶା ରାଜ୍ୟ ସର୍ବଦା ଅବହେଳିତ ହୋଇଆସୁଥିଲା । ପୂର୍ବଦ୍ୟୋୟର ବିକାଶକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସୁଥିବା ମୋଦି ସରକାର ଚଳିତ ବର୍ଷ ବଜେଟରେ ଓଡିଶାକୁ ରେଳବାଇ କ୍ଷେତ୍ରରେ ବିକାଶ ପାଇଁ ଅଗ୍ରାଧିକାର ଦେଇଛନ୍ତି । ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ରେଳବାଇ କ୍ଷେତ୍ରରେ ସର୍ବଦା ଅବହେଳିତ ହୋଇ ଆସୁଥିବା ଓଡିଶାର ଭାଗ୍ୟ ବଦଳିଛି । ରେଳ ବଜେଟରେ ୨୦୧୪ ମସିହାରୁ କ୍ରମାଗତ ଭାବେ ଓଡିଶାର ଅନୁଦାନ ବୃଦ୍ଧି ପାଇଚାଲିଛି । ୨୦୦୯ରୁ ୨୦୧୪ ଭିତରେ ଓଡିଶାକୁ ହାରାହାରି ୮୩୮ କୋଟି ଟଙ୍କା ଥିବାବେଳେ କେବଳ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୦୦୧୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏପରିକି ରାଜ୍ୟ ସରକାର ଚଳିତ ବର୍ଷ ରେଳ ବଜେଟରେ ୮୪୦୦ କୋଟି ଟଙ୍କା ପ୍ରଦାନ କରିବାକୁ ଦାବୀ କରିଥିବାବେଳେ ମୋଦି ସରକାର ୧୦୦୧୨ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି, ଯାହାକି ୨୦ ପ୍ରତିଶତ ଅଧିକ । ରାଜ୍ୟର ୫୭ଟି ରେଳଷ୍ଟେସନକୁ ଅମୃତ ଭାରତ ଷ୍ଟେସନରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଡ. ବିଶ୍ୱାଳ କହିଛନ୍ତି ।
ବର୍ତମାନ ରାଜ୍ୟର ପ୍ରତ୍ୟେକ ଜିଲ୍ଲାକୁ ରେଳପଥ ସହ ସଂଯୋଗ କରାଯିବାର କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି । ଅନ୍ୟ ପଟେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଓଡିଶାରେ ରେଳବାଇ ବିକାଶ ସଠିକ୍ ଭାବେ ହୋଇପାରୁନାହିଁ । ନିଜ ଆଡୁ ସହଯୋଗର କୈାଣସି ହାତ ବଢାଉ ନାହାନ୍ତି ରାଜ୍ୟ ସରକାର । ଅନେକ ସ୍ଥାନରେ ରାଜ୍ୟ ସରକାରଙ୍କ ତରଫରୁ ଜମି ଅଧିଗ୍ରହଣ ଅଫିସର ନଥିବା କାରଣରୁ ଜମି ଅଧିଗ୍ରହଣ ହୋଇପାରୁନାହିଁ ଏବଂ ଜମି ଅଧିଗ୍ରହଣରେ ବାଧକ ସାଜୁଛନ୍ତି ଖୋଦ୍ ରାଜ୍ୟ ସରକାର । କାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଁ ନେଇଯିବେ, ସେହି ଭୟରେ ବିଜେଡି ନେତାମାନେ ମିଛ ପ୍ରହେଳିକା ସୃଷ୍ଟି କରୁଛନ୍ତି । ଶାସକ ବିଜେଡିର ଅପାରଗତା କାରଣରୁ କେନ୍ଦ୍ରୀୟ ଅନୁଦାନ ଫେରିଯିବା କଣ ଲଜ୍ଜାକର ନୁହେଁ ବୋଲି ପ୍ରଶ୍ନ କରିବା ସହିତ ଏ ସମସ୍ତ ପ୍ରହେଳିକାର ସ୍ୱପ୍ନରୁ ବାହାରକୁ ଆସି ଶାସକ ବିଜେଡି ରାଜ୍ୟର ପ୍ରଗତି ଓ ବିକାଶକୁ ତ୍ୱରାନ୍ୱିତ କରନ୍ତୁ ବୋଲି ଡ. ବିଶ୍ୱାଳ କହିଛନ୍ତି ।

Spread the love