ଅଯୋଧ୍ୟା ବିବାଦୀୟ ଜମିରେ ରାମମନ୍ଦିର

ଅଯୋଧ୍ୟାର ବିବାଦୀୟ ଜମିରେ ରାମମନ୍ଦିର ନିର୍ମାଣ ହେବ । ଆଜି ସୁପ୍ରିମକୋର୍ଟ ରାମମନ୍ଦିର ନିର୍ମାଣର ବାଟ ସଫା କରିଛନ୍ତି । ବିବାଦୀୟ ୨.୭୭ ଏକର ଜାଗାଟି ପ୍ରଭୁ ରାମଙ୍କର ଜନ୍ମଭୂମି । ସୁତରାଂ ତାହା ହିନ୍ଦୁ ମାନଙ୍କର ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ଉକ୍ତ ଜାଗା ସହ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୬୭ ଏକର ଜମିକୁ ରାମ ଜନ୍ମଭୂମି ନ୍ୟାସ୍ କୁ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଉକ୍ତ ଜମି ବାହାରେ ମସଜିଦ୍ ନିର୍ମାଣ ପାଇଁ ବିକଳ୍ପ ଜାଗା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁନି ୱାକଫ୍ ବୋର୍ଡକୁ ସେଥିପାଇଁ ୫ ଏକର ଜମି ପ୍ରଦାନ କରାଯିବ । ସୁପ୍ରିମକୋର୍ଟର ଏହି ଐତିହାସିକ ଫଇସଲା ସହ ୭୦ ବର୍ଷର ଅଯୋଧ୍ୟା ଜମି ବିବାଦରେ ଅନ୍ତ ଘଟିଛି ।
ସୁପ୍ରିମକୋର୍ଟ ମାନ୍ୟବର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଲଗାତର ୪୦ ଦିନ ଧରି ଖଣ୍ଡପୀଠ ଏହି ଐତିହାସିକ ମାମଲାର ମାରାଥନ ଶୁଣାଣି କରିବା ପରେ ଗତମାସ ୧୬ ତାରିଖରେ ରାୟକୁ ସଂରକ୍ଷିତ ରଖିଥିଲେ ।
ଅଯୋଧ୍ୟା ମାମଲାରେ ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ ଏକ ରାୟ ଦେଇଥିଲେ । ମାତ୍ର ଏହି ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ସମୁଦାୟ ୧୪ଟି ଆବେଦନ ଦାଖଲ କରାଯାଇଥିଲା । ଦୀର୍ଘ ୮ ବର୍ଷ ଧରି ଏହା ଉପରେ କୌଣସି ଶୁଣାଣି ହୋଇ ନ ଥିଲା । ଅନ୍ୟପକ୍ଷରେ ବିବାଦର ସମାଧାନ ଉଦ୍ୟମରେ ଚଳିତବର୍ଷ ସୁପ୍ରିମକୋର୍ଟ ଏକ ମଧ୍ୟସ୍ଥତା କମିଟି ଗଠନ କରିଥିଲେ । ମାତ୍ର ତାହା ବିଫଳ ହେବା ପରେ ସୁପ୍ରିମକୋର୍ଟ ମାମଲା ଉପରେ ଶୁଣାଣି କରିଥିଲେ ।
Spread the love