ବାବା ରାମଦେବଙ୍କ ଟିଭି ଚ୍ୟାନେଲ୍‌କୁ ବିରୋଧ

ନୂଆଦିଲ୍ଲୀ ୨୨/୧୧: ଯୋଗଗୁରୁ ବାବା ରାମଦେବଙ୍କୁ ନେପାଳରେ ଶକ୍ତ ଝଟ୍‌କା ଲାଗିଛି। ଶୁକ୍ରବାର ଲଞ୍ଚ କରିଥିବା ନିଜର ଦୁଇଟି ଟିଭି ଚ୍ୟାନେଲକୁ ନେପାଳରେ ବିରୋଧ କରାଯାଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ଚେତାବନୀ ମିଳିଛି। ବାବା ରାମଦେବ କୌଣସି ପ୍ରକାର ଆଇନଗତ ପ୍ରକ୍ରିୟା ବିନା ହିଁ ଏହି ଟିଭି ଚ୍ୟାନେଲ୍‌ ଲଞ୍ଚ କରିଥିବା ନେଇ ଅଭିଯୋଗ ହୋଇଛି। ଯୋଗଗୁରୁ ବାବା ରାମଦେବ ଏବଂ ତାଙ୍କର ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣ ନେପାଳରେ ଶୁକ୍ରବାର ଦିନ ଆସ୍ଥା ନେପାଳ ଏପଂ ପତଞ୍ଜଳି ନେପାଳ ନାମରେ ଦୁଇଟି ଚ୍ୟାନେଲ୍‌ ଲଞ୍ଚ କରିଥିଲେ। ଏହି ଟିଭି ଚ୍ୟାନେଲ୍‌ ଲଞ୍ଚ ଅବସରରେ ନେପାଳ ପ୍ରଧାନମନ୍ତ୍ରୀ ବାହାଦୂର ଦେଉବା ଏବଂ ନେପାଳ କମ୍ୟୁନିଷ୍ଟ ପାର୍ଟି-ମାଓବାଦୀ କେନ୍ଦ୍ରର ଅଧ୍ୟକ୍ଷ ପୁଷ୍ପ କମଳ ଦହଲ ପ୍ରଚଣ୍ଡ ସାମିଲ ହୋଇଥିଲେ। କିନ୍ତୁ ଚ୍ୟାନେଲ୍‌ ଲଞ୍ଚ ହେବାର ୨ ଦିନ ପରେ ଅର୍ଥାତ ରବିବାର ନେପାଳର ଜଣେ ବରିଷ୍ଠ ଅଧିକାରୀ ଚେତାବନୀ ଦେଇ କହିଛନ୍ତି, ବିନା ଅନୁମତିରେ ବାବା ରାମଦେବ ଟିଭି ଚ୍ୟାନେଲ୍‌ ଲଞ୍ଚ କରିଛନ୍ତି। ଯଦି ସମସ୍ତ ପ୍ରକ୍ରିୟା ପୂରଣ ନହୁଏ ତେବେ  ଚ୍ୟାନେଲ୍‌ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ଏହା ସହ ନେପାଳର ସୂଚନା ଏବଂ ପ୍ରସାରଣ ବିଭାଗର ମହାନିର୍ଦେଶକ ଗୋଗନ ବାହାଦୂର ହମଲ କହିଛନ୍ତି ଯେ ବାବା ରାମଦେବ ଦୁଇଟି ଚ୍ୟାନେଲ୍‌ର ପଞ୍ଜିକରଣ ପାଇଁ ଆବେଦନ କରିନାହାଁନ୍ତି। କେବଳ ସେତିକି ନୁହେଁ ଚ୍ୟାନେଲ ଲଞ୍ଚ ପାଇଁ ଯେଉଁସବୁ ନିୟମ ରହିଛି ସେସବୁ କିଛି ପାଳନ କରାଯାଇ ନାହିଁ ବୋଲି ସେ କହିଛନ୍ତି। ଏନେଇ ଏକ ଯାଞ୍ଚ କମିଟି ଗଠନ କରାଯିବ। କେବଳ ପତଞ୍ଜଳି, ନେପାଳ ପକ୍ଷରୁ ମିଳିଥିବା ସୂଚନାକୁ ବିଶ୍ବାସକୁ ନିଆଯିବ ନାହିଁ।

ସମସ୍ତ ପ୍ରକ୍ରିୟା ସମ୍ପନ୍ନ ନକରି ଚ୍ୟାନେଲ ସଂଚାଳନ କଲେ କିମ୍ବା ଅନ୍ୟ କୌଣସି ପ୍ରସ୍ତୁତି କଲେ ଟିଭି ଚ୍ୟାନେଲ ବିରୋଧରେ ଆଇନଗତ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୋଗନ ବାହାଦୂର କହିଛନ୍ତି । ସେପଟେ ଚ୍ୟାନେଲର ପଞ୍ଜିକରଣ ଶେଷ ହୋଇଥିବା ବେଳେ ବାକି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ପତଞ୍ଜଳି ଯୋଗପୀଠ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । 

Spread the love