ପୁଣି କରୋନା ଭ୍ୟାକସିନ୍‌ ଉପରେ ପ୍ରଶ୍ନ ଉଠାଇଲେ ବାବା ରାମଦେବ

ନୂଆଦିଲ୍ଲୀ ୩୦/୫: ଯୋଗଗୁରୁ ବାବା ରାମଦେବ ପୁଣି ଚର୍ଚ୍ଚାରେ। ଏଲୋପାଥିକୁ ନେଇ ବିବାଦୀୟ ବୟାନ ଦେବା ପରେ ଏବେ ଭ୍ୟାକସିନ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି । କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ରାମଦେବ ଟିକା ନେବେ ନାହିଁ ବୋଲି କହିଛନ୍ତି। ତାଙ୍କ ମତରେ ସେ ଯୋଗ ଏବଂ ଆୟୁର୍ବେଦର ଡବଲ୍‌ ଡୋଜ୍‌ ନେଉଛନ୍ତି ତେଣୁ ତାଙ୍କୁ କରୋନା ଟିକାର କୌଣସି ଆବଶ୍ୟକତା ନାହିଁ।  ଦୀର୍ଘ ବର୍ଷ ହେଲା ସେ ଯୋଗାଭ୍ୟାସ କରୁଛନ୍ତି । ତାଙ୍କ ଠାରେ ସଂକ୍ରମଣ ଭୟ ନାହିଁ। ତେଣୁ ତାଙ୍କୁ କରୋନା ଭ୍ୟାକସିନର ଆବଶ୍ୟକତା ନାହିଁ ବୋଲି ରାମଦେବ କହିଛନ୍ତି।

ଭାଇରସ୍‌ର ଯେତେ ବି ଭାରିଏଣ୍ଟ ଆସିଲେ ତାଙ୍କୁ ସଂକ୍ରମଣ ହେବ ନାହିଁ । କାରଣ ତାଙ୍କୁ ଯୋଗ ସଂକ୍ରମଣରୁ ବଞ୍ଚାଇ ରଖିବ ବୋଲି ଦାବି କରିଛନ୍ତି ବାବା। କରୋନାକୁ ମାତ ଦେବାକୁ ହେଲେ ଲୋକମାନଙ୍କୁ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ପଡ଼ିବ ବୋଲି ମଧ୍ୟ ରାମଦେବ ପରାମର୍ଶ ଦେଇଛନ୍ତି। ଭୂତାଣୁର ସବୁ ପ୍ରକାର ଭାରିଏଣ୍ଟରୁ ବଞ୍ଚିବାକୁ ହେଲେ ଲୋକଙ୍କୁ ଯୋଗ ଉପରେ ଭରସା କରିବାକୁ ପଡ଼ିବ। ପୁଣି ଥରେ ଏ​‌ଲୋପାଥି ଚିକିତ୍ସା ଉପରେ ପ୍ରଶ୍ନ ଉଠାଇ ବାବା ରାମଦେବ କହିଛନ୍ତି, ସର୍ଜରୀ ସାଇନ୍ସ ନୁହେଁ ଏହା ଏକ ସ୍କିଲ୍‌ (କୌଶଳ)।

ଆଗାମୀ ଦିନରେ ଲୋକେ ଆୟୁର୍ବେଦ ଚିକିତ୍ସା ଉପରେ ଅଧିକ ଭରସା କରିବେ ବୋଲି ମଧ୍ୟ ସେ କହିଛନ୍ତି। କରୋନା ଟିକା ଉପରେ ପ୍ରତିକ୍ରିୟା ରଖି ରାମଦେବ କହିଛନ୍ତି, ଭ୍ୟାକସିନ୍‌ ଶତ ପ୍ରତିଶତ ପ୍ରଭାବଶାଳୀ ନୁହେଁ। ଟିକା ନେବା ପରେ ବି ଲୋକେ କରୋନାରେ ସଂକ୍ରମିତ ହେଉଛନ୍ତି। ମେଡିକାଲ୍‌ ଏମର୍ଜେନ୍ସିରେ ଏଲୋପାଥି ଚିକିତ୍ସା ପଦ୍ଧତି ଫଳପ୍ରଦ କିନ୍ତୁ ଲକ୍ଷ ଲକ୍ଷ ବର୍ଷ ହେଲା ଲୋକେ ଆୟୁର୍ବେଦ ଉପରେ ଭରସା କରିଆସୁଛନ୍ତି। ଗତ କିଛି ମାସରେ କରୋନା ଯୋଗୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି କାରଣ ଏଲୋପାଥି ଦ୍ବାରା ପ୍ରତି ରୋଗର ଚିକିତ୍ସା ସମ୍ଭବ ନୁହେଁ ବୋଲି ରାମଦେବ କହିଛନ୍ତି।

ଏହା ସହ ସେ ସରକାରଙ୍କ ଠାରେ ଦାବି କରିଛନ୍ତି ଆୟୁର୍ବେଦ ମାଧ୍ୟମରେ ଶଲ୍ୟ ଚିକିତ୍ସା ପାଇଁ ଅନୁମତି ଦିଆଯାଉ। ଯୋଗ, କରୋନିଲ୍‌, ଆୟୁର୍ବେଦର ଚେର ମୂଳି ସହିତ ସଠିକ୍‌ ଖାଦ୍ୟପେୟ ଦ୍ବାରା କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ ଲୋକେ। କିନ୍ତୁ ଏଲୋପାଥିରେ ଆଣ୍ଟିବାୟୋଟିକ୍‌ ଔଷଧ ଦିଆଯାଉଛି ଯାହା ଦ୍ବାରା ଶରୀରରେ କୂପ୍ରଭାବ ପଡ଼ୁଛି ବୋଲି ରାମଦେବ ଅଭିଯୋଗ କରିଛନ୍ତି।

Spread the love