ପଞ୍ଚଭୂତରେ ବିଲୀନ ହେଲେ ଓଡିଆ ଯବାନ ରାଣା ପ୍ରତାପ

କୃଷ୍ଣଚନ୍ଦ୍ରପୁର ୧୧।୧୨: ପଞ୍ଚଭୂତରେ ବିଲୀନ ହେଲେ ଓଡିଆ ଯବାନ ରାଣା ପ୍ରତାପ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟି ତାଳଚେରର କୃଷ୍ଣଚନ୍ଦ୍ରପୁର ଗାଁରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି। ପୁତୁରା ଆତିସ ଦାସ ମୁଖାଗ୍ନି ଦେଇଛନ୍ତି। ଏହା ପୂର୍ବରୁ ରାଣା ପ୍ରତାପଙ୍କୁ ତୋପ ସଲାମୀ ଦିଆଯାଇଛି। ଶେଷ କୃତ୍ୟରେ ଅନେକ ମାନ୍ୟଗଣ ବ୍ୟକ୍ତି ସାମିଲ୍ ହୋଇଛନ୍ତି। ରାଣା ପ୍ରତାପ ଅମର ରହେ ଧ୍ଵନୀରେ ପ୍ରକମ୍ପିତ ହୋଇ ଉଠିଛି ପରିବେଶ। ସମସ୍ତଙ୍କ ଆଖି ଲୁହରେ ଛଳ ଛଳ ହୋଇ ଉଠିଛି। ଶେଷ କୃତ୍ୟ ସମୟରେ ଶହ ଶହ ଲୋକ ସାମିଲ୍ ହୋଇ ରାଣା ପ୍ରତାପଙ୍କୁ ବିଦାୟ ଦେଇଛନ୍ତି।

ଏକ ସ୍ଵତନ୍ତ୍ର ଯାନରେ ରାଣା ପ୍ରତାପଙ୍କ ମରଶରୀରକୁ ଭୁବନେଶ୍ଵରରୁ ନିଜ ଗାଁ ତାଳଚେର କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଅଣାଯାଇଥିଲା। ଗାଁରେ ମରଶରୀର ପହଞ୍ଚିବା ପରେ ହଜାର ସଂଖ୍ୟକ ଲୋକେ ରାସ୍ତାର ଉଭୟ ପାର୍ଶ୍ଵରେ ଛିଡା ହୋଇ ନିଜ ପ୍ରିୟ ଯବାନଙ୍କ ଶେଷ ଦର୍ଶନ କରିଛନ୍ତି। ପାର୍ଥିବ ଶରୀର ଗାଁ ପରିକ୍ରମା କରାଯିବା ପରେ ଗାଁରେ ସତ୍କାର ହୋଇଛି। ସମସ୍ତ ରାଜ୍ୟନୈତିକ ଦଳର ନେତା ସାମିଲ୍ ହୋଇଛନ୍ତି। ଗାଁର ପ୍ରବେଶ ପଥରେ ଏକ ଅସ୍ଥାୟୀ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଛି ।

ଏହା ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ଓଡିଆ ଯବାନ ରାଣା ପ୍ରତାପ ଦାସଙ୍କ ପାର୍ଥିବ ଶରୀର । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲା ରାଣାପ୍ରତାପଙ୍କ ପାର୍ଥିବ ଶରୀର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚି ଯବାନଙ୍କ ପାର୍ଥିବ ଶରୀରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ତାମିଲୁନାଡୁର କୁନ୍ନରୁରେ ବାୟୁସେନାର ହେଲିକପ୍ଟର କ୍ରାସ୍‌ ହୋଇଥିଲା । ଏଥିରେ ସିଡିଏସ ବିପିନ ରାଓ୍ଵତଙ୍କ ସମେତ ସେନାର ୧୩ ଅଧିକାରୀ ଓ କର୍ମଚାରୀଙ୍କ ପ୍ରାଣହାନୀ ଘଟିଥିଲା। ସିଡିଏସ୍ ବିପିନ୍ ରାୱତଙ୍କ ସହ ଓଡ଼ିଆ ଯବାନ ରାଣାପ୍ରତାପ ଦାସ ସହିଦ ହୋଇଥିଲେ।

୨୦୧୭ ମସିହା ଜାନୁଆରୀରେ ଯେଉଁ ସ୍ଥାନରେ ରାଣା ପ୍ରତାପଙ୍କ ବାହାଘର ଭୋଜି ଭାତ ଆୟୋଜନ ହୋଇଥିଲା , ସେହି ସ୍ଥାନରେ ଏବେ ତାଙ୍କର ଦଶାହ କାର୍ଯ୍ୟ ପାଇଁ ପ୍ରସ୍ତୁତି ଚାଲିଛି । ତାଳଚେରର ରାଣାପ୍ରତାପ ବାୟୁସେନା ବିଭାଗରେ ଜୁନିଅର ଓ୍ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିଲେ।

Spread the love