ଜନ୍ମମାଟିକୁ ଫେରିବ ସହିଦ ରାଣାପ୍ରତାପଙ୍କ ପାର୍ଥିବଶରୀର

ଭୁବନେଶ୍ୱର ୧୧।୧୨:  ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ଓଡ଼ିଆ ଯବାନ ରାଣା ପ୍ରତାପଙ୍କ ପ୍ରାର୍ଥିବ ଶରୀର । ତାମିଲନାଡ଼ୁ କୁନ୍ନୁର ବିମାନ ଦୁର୍ଘଟଣାରେ ସହିଦ ବାୟୁସେନାର ଜୁନିଅର ଓ୍ବାରେଣ୍ଟ ଅଫିସର ରାଣା ପ୍ରତାପ ଦାସଙ୍କ ପାର୍ଥିବ ଶରୀରକୁ ଅପେକ୍ଷା କରିଛନ୍ତି ଗାଁଲୋକ , ଆତ୍ମୀୟ ସ୍ବଜନ ଓ ପରିବାର ।

ଖବର ଅନୁଯାୟୀ, ଆଜି ଅପରାହ୍ନ ସୁଦ୍ଧା ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସହିଦ ରାଣାପ୍ରତାପଙ୍କ ମରଶରୀର ପହଞ୍ଚିବ।ଏହା ପରେ ତାଙ୍କ ଜନ୍ମମାଟି ତାଳଚେର କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁକୁ ନିଆଯିବ । ପାର୍ଥିବ ଶରୀର ଗାଁ ପରିକ୍ରମା କରାଯିବା ପରେ ଗାଁରେ ହିଁ ଶତ୍କାର ହେବ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ରାଣା ପ୍ରତାପଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ। ଗାଁର ପ୍ରବେଶ ପଥରେ ଏକ ଅସ୍ଥାୟୀ ଶ୍ମଶାନ ପ୍ରସ୍ତୁତ କରାଯାଇଛି ।

୨୦୧୭ ମସିହା ଜାନୁଆରୀରେ ଯେଉଁ ସ୍ଥାନରେ ରାଣା ପ୍ରତାପଙ୍କ ବାହାଘର ଭୋଜି ଭାତ ଆୟୋଜନ ହୋଇଥିଲା , ସେହି ସ୍ଥାନରେ ଏବେ ତାଙ୍କର ଦଶାହ କାର୍ଯ୍ୟ ପାଇଁ ପ୍ରସ୍ତୁତି ଚାଲିଛି । ତାମିଲନାଡ଼ୁ କୁନ୍ନୁରଠାରେ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ୍ ରାୱତଙ୍କ ସହ ଓଡ଼ିଆ ଯବାନ ରାଣାପ୍ରତାପ ଦାସ ସହିଦ ହୋଇଥିଲେ। ତାଳଚେରର ରାଣାପ୍ରତାପ ବାୟୁସେନା ବିଭାଗରେ ଜୁନିଅର ଵାରେଣ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିଲେ।

Spread the love