ବିଲୁଙ୍ଗ ହେଲା ରଙ୍ଗବତୀ

ପ୍ରସିଦ୍ଧ ଲୋକକଳା ଗୀତ ରଙ୍ଗବତୀ ବଦଳାଇ ଦେଇଛି ଗାଁର ନାଁ । ଯେଉଁ ପ୍ରସିଦ୍ଧ ସମ୍ବଲପୁରୀ ଗୀତ ଆଜି କେବଳ ଓଡ଼ିଶା ନୁହେଁ ସମଗ୍ର ବିଶ୍ୱରେ ବେଶ ପରିଚିତ, ଏବେ ସେଇ ଗୀତକୁ ନେଇ ଗାଁର ନାମକରଣ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଯେଉଁ ଗାଁ ଦିନେ ବିଲୁଙ୍ଗ ନାଁରେ ପରିଚିତ ଥିଲା ଏବେ ସେହି ଗାଁ ‘ରଙ୍ଗବତୀ ବିଲୁଙ୍ଗ’ ନାଁରେ ପରିଚିତ ହେବ । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ରଙ୍ଗବତୀ ହେଉଛି ଓଡ଼ିଶାର ଅନ୍ୟତମ ଜନମାନସର ପ୍ରସିଦ୍ଧ ସଂଗୀତ । ଏହି ଗୀତ ଖାଲି ଓଡ଼ିଶା ନୁହେଁ ବରଂ ବିଶ୍ୱରେ ବି ବେଶ ଲୋକପ୍ରିୟତା ସାଉଁଟି ପାରିଛି । ଏହି ରଙ୍ଗବତୀ ଗୀତର ସ୍ରଷ୍ଟା ହେଉଛନ୍ତି ମିତ୍ରଭାନୁ ଗୌନ୍ତିଆ । ତାଙ୍କ ଗାଁ ସମ୍ବଲପୁରର ବାମରା ବ୍ଲକର ବିଲୁଙ୍ଗ । ରଙ୍ଗବତୀ ଭଳି ମିତ୍ରଭାନୁ ବି ବେଶ ପ୍ରସିଦ୍ଧି ଲାଭ କରିଛନ୍ତି । ତେଣୁ ଗାଁର ନାଁ ରଙ୍ଗବତୀ କରିବା ପାଇଁ ସ୍ଥାନୀୟ ଲୋକମାନେ ସରକାରଙ୍କ ନିକଟରେ ଦାବି କରିଥିଲେ । ଏଭଳି ଏକ ପ୍ରସ୍ତାବ ରାଜସ୍ୱ ବିଭାଗକୁ ଦିଆଯାଇଥିଲା । ବୁଧବାର ରାଜସ୍ୱ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

Spread the love