୬ ମାସରେ ୪ ଶହ ଲୋକ କଲେ ଦୁଷ୍କର୍ମ

ମୁମ୍ୱାଇ, ୧୫/୧୧: ମହାରାଷ୍ଟ୍ରର ବିଡ ଜିଲ୍ଲାରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ୬ ମାସ ମଧ୍ୟରେ ଜଣେ ନାବାଳିକାଙ୍କୁ ୪ ଶହ ଲୋକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଫଳରେ ଏବେ ନାବାଳିକା ଜଣକ ଗର୍ଭବତୀ ରହିଛନ୍ତି । କୁହାଯାଉଛି ଯେ, ନାବାଳିକା ଝିଅଟିର ମାଆଙ୍କର ୨ ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିଲା । ଏହାପରେ ଝିଅଟିକୁ ଜଣେ ବ୍ୟକ୍ତିଙ୍କ ସହ ବିବାହ କରିଦିଆଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ, ପୀଡ଼ିତା ନାବାଳିକାର ବାପା ଜଣେ ଦିନ ମଜୁରିଆ । ସେ ଏହି କାରଣରୁ ଝିଅଟିର ବିବାହ କରାଇ ଦେଇଥିଲେ । ଶାଶୁଘରେ ଗୋଟିଏ ବର୍ଷ ଶ୍ୱଶୁରଙ୍କ ନିର୍ଯ୍ୟାତନା ସହିଥିଲେ । ଏହା ଅସହ୍ୟ ହେବାରୁ ସେ ନିଜ ବାପ ଘରକୁ ଫେରିଆସିଥିଲେ । ପରେ ସେ ଚାକିରୀ ଖୋଜିବା ପାଇଁ ଆମ୍ବେଜୋଗାଇ ସହରକୁ ଚାଲିଯାଇଥିଲେ । ସହରରେ ଦୁଇଜଣ ବ୍ୟକ୍ତି ତାଙ୍କ ସହ ପ୍ରଥମେ ଦୁଷ୍କର୍ମ କରିଥିଲେ ।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସେହି ଲୋକମାନେ ଚାକିରୀ ଦେବାକୁ କହି ଯୌନ ଶୋଷଣ କରିଥିଲେ । ଖାଲି ସେତିକି ନୁହେଁ ପୋଲିସ୍‌ କର୍ମୀଙ୍କ ସହିତ ଅନ୍ୟ ବ୍ୟକ୍ତିମାନେ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିଲେ । ପାଖାପାଖି ୪ ଶହ ଲୋକ ତାଙ୍କୁ ଦୁଷ୍କର୍ମ କରିଥିବା ସେ କହିଛନ୍ତି । ଯେଉଁ କାରଣରୁ ସେ ଏବେ ଗର୍ଭବତୀ ଅଛନ୍ତି । ପୀଡ଼ିତା ୨ ମାସର ଗର୍ଭବତୀ ଥିବା ଜଣାପଡ଼ିଛି । ବାଲ୍‌କଲ୍ୟାଣ ସମିତି ଗର୍ଭପାତ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ବେଳେ ପୋଲିସ୍‌ ଏନେଇ ମାମଲା ଦାଏର କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି । ଏଥିରେ ଜଡ଼ିତ ୪ ଜଣଙ୍କୁ ଗିରଫ କରାଯାଇଛି ।

Spread the love