ଦିଲ୍ଲୀ କ୍ରାଇମ୍‌-୨ ପରେ କମେଡି ଡ୍ରାମାରେ ନଜର ଆସିବେ ରସିକା ଦୁଗଲ

ମୁମ୍ବାଇ ୨୩।୦୯: ନିକଟରେ ମୁକ୍ତିପ୍ରାପ୍ତ ‘ଦିଲ୍ଲୀ କ୍ରାଇମ୍‌-୨’ର ସଫଳତାକୁ ନେଇ ଉତ୍ସାହିତ ରସିକା ଦୁଗଲ ଏବେ ନୂଆ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚାରେ । ଡ୍ରାମା-କମେଡି ‘ଲିଟିଲ୍‌ ଥୋମାସ୍‌’ରେ ସେ ନଜର ଆସିବେ । ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ କୌଶଲ ଓଜା ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ହାତକୁ ନେଇଛନ୍ତି । ଏହା ପୂର୍ବରୁ ଏକ କ୍ଷୁଦ୍ର ଫିଲ୍ମ ‘ଦ ମିନିଏଚରିଷ୍ଟ ଅଫ୍‌ ଜୁନାଗଡ଼’ରେ ରସିକା ଓ କୌଶଲ ଏକସଙ୍ଗେ କାମ କରିଥିଲେ ।

ନୂଆ ପ୍ରୋଜେକ୍ଟ ‘ଲିଟିଲ୍‌ ଥୋମାସ୍‌’ ବିଷୟରେ ରସିକା କହନ୍ତି, ଗାଁର ପରିବାର ଉପରେ ପର୍ଯ୍ୟବସିତ ଏକ ସୁନ୍ଦର କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ। ଫିଲ୍ମର ପ୍ରଡକ୍ସନ୍‌ କାମ ନିକଟରେ ଆରମ୍ଭ ହୋଇଛି। ମାସକ ପାଇଁ ମୁମ୍ବାଇ ଓ ଗୋଆରେ ଫିଲ୍ମ ସୁଟିଂ ହେବ। ରସିକାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ‘ମିର୍ଜାପୁର-୩’, ‘ଅଧୁରା’, ‘ସ୍ପାଇକ୍‌’, ‘ଲର୍ଡ କୁର୍‌ଜୋନ୍‌ କି ହବେଲି’ ଓ ‘ଫେରି ଫୋକ୍‌’। ଅନୁଭବ ପାଲ୍‌ଙ୍କ ଲିଖିତ ଏକ ଅନ୍ତର୍ଜାତୀୟ କମେଡି ଅଡିଓ ସିରିଜ୍‌ ‘ଦ ଏମ୍ପାୟର’ରେ ପୂର୍ବରୁ ତାଙ୍କୁ ସାଇନ୍‌ କରାଯାଇଛି। ଶ୍ରୀଜିତ ମୁଖର୍ଜୀଙ୍କ ନିର୍ଦ୍ଦେଶିତ ‘ଶେର୍‌ଦିଲ୍‌’ରେ ମଧ୍ୟ ସେ ନଜର ଆସିବେ। ଏଥିରେ ତାଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ନୀରଜ କବି ଓ ପଙ୍କଜ ତ୍ରିପାଠୀ ।

୨୦୦୭ ମସିହାରେ ମୁକ୍ତିପ୍ରାପ୍ତ ‘ଅନ୍‌ୱର’ରେ ଏକ ଛୋଟ ଭୂମିକା ଜରିଆରେ ପରଦାରେ ଏଣ୍ଟ୍ରି କରିଥିଲେ ରସିକା। ଏହା ପରେ ଅନେକ ଚର୍ଚ୍ଚିତ ତଥା ସଫଳ ଫିଲ୍ମରେ ସେ ଅଭିନୟର ସୁଯୋଗ ପାଇଲେ । ‘ନୋ ସ୍ମୋକିଙ୍ଗ୍‌’, ‘ଔରଙ୍ଗଜେବ୍‌’, ‘କିସ୍‌ସା’, ‘ଟ୍ରେନ୍‌ ଷ୍ଟେସନ୍‌’, ‘ତୁ ହୈ ମେରା ସନ୍‌ଡେ’, ‘ହମିଦ୍‌’ ଭଳି ଏକାଧିକ ପ୍ରୋଜେକ୍ଟରେ ତାଙ୍କ ନିଖୁଣ କାମକୁ ଦର୍ଶକ ପସନ୍ଦ କରିଛନ୍ତି । ୨୦୧୮ରେ ମୁକ୍ତିପ୍ରାପ୍ତ ଫିଲ୍ମ ‘ମଣ୍ଟୋ’ ଜରିଆରେ ସେ ଖୁବ୍‌ ପରିଚିତି ପାଇଥିଲେ। ଏବେ ସୁଦ୍ଧା ଏକାଧିକ ସଫଳ ଫିଲ୍ମର ଅଂଶ ହୋଇ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି ରସିକା।

Spread the love