ଏ ବର୍ଷ ରଥଯାତ୍ରା ‍ବନ୍ଦ: ସୁପ୍ରିମକୋର୍ଟ

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ପୁରୀ ବି ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି। ଏଭଳି ସ୍ଥିତିରେ ରଥଯାତ୍ରା ହେଲେ ସାମାଜିକ ଦୂରତା ନିୟମ ଭଙ୍ଗ ହେବା ସହ କରୋନା ସଂକ୍ରମଣ ଆହୁରି ବେକାବୁ ହେବାର ଆଶଙ୍କା ରହିଛି। ତେଣୁ ସୁପ୍ରିମକୋର୍ଟ ଏସବୁ କଥାକୁ ବିଚାରକୁ ନେଇ ଚଳିତ ବର୍ଷ ରଥଯାତ୍ରାକୁ ବନ୍ଦ କରିବାକୁ କହିଛନ୍ତି।

ମାମଲାର ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ “ସୁପ୍ରିମକୋର୍ଟ ପୁରୀ ମନ୍ଦିରରେ କିଛି ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଅନ୍ତୁ। ବିନା ଶ୍ରଦ୍ଧାଳୁରେ ବିଭିନ୍ନ ନୀତିକାନ୍ତି କରାଯାଇପାରିବ।”ଓଡ଼ିଶା ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ନିଜର ପକ୍ଷ ରଖି କହିଥିଲେ ଯେ “ଯେତେବେଳେ କି ପର୍ବପର୍ବାଣୀ ହେବ। ଲୋକମାନେ ନିଶ୍ଚିତ ଭାବେ ଏକାଠି ହେବେ।” ଜଷ୍ଟିସ ବୋବଡେ ଆଇନଜୀବୀ ସାଲଭେଙ୍କ କଥା ଏକମତ ହୋଇ କହିଥିଲେ ଯେ ଆମେ ପୂର୍ବରୁ ମଧ୍ୟ ଦେଖୁଛି ଯେ ଯେତେବେଳେ ବି କୌଣସି କାର୍ଯ୍ୟକ୍ରମକୁ ଅନୁମତି ମିଳୁଛି, ଲୋକମାନେ ପ୍ରବଳ ଭିଡ଼ କରୁଛନ୍ତି। ତେଣୁ କରୋନା ମହାମାରୀ ମଧ୍ୟରେ ପୁରୀ ରଥଯାତ୍ରାକୁ ଆମେ ଅନୁମତି ଦେଇପାରିବୁ ନାହିଁ। ବୃହତର ସ୍ୱାର୍ଥ ଓ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କୋର୍ଟ ରଥଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନେଉଛନ୍ତି।

ସୂଚନାଯୋଗ୍ୟ, ଆସନ୍ତା ୨୩ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥାଯାତ୍ରା ଅନୁଷ୍ଠିତ ହେବାର ଥିଲା। ଏଥିପାଇଁ ସବୁ ପ୍ରକାରର ପରମ୍ପରା ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ଏପରିକି ମହାପ୍ରଭୁଙ୍କ ରଥ ନିର୍ମାଣ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା।

Spread the love