ଦ୍ୱାଦଶ ଦିନରେ ପହଞ୍ଚିଲା ରଥ ନିର୍ମାଣ କାର୍ଯ୍ୟ

ପୁରୀ: ରଥ ଯାତ୍ରାକୁ ମାସେ ଓ କିଛିଦିନ ବାକିଥିବା ବେଳେ ରଥଖଳାରେ ରଥ ନିର୍ମାଣ  କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲିଛି। ଆଜି ଦ୍ୱାଦଶ ଦିନରେ ପହଞ୍ଚିଛି ରଥ ନିର୍ମାଣକାର୍ଯ୍ୟ।। ଆଜି ମୋଟ ୧୮୧ ଜଣ ସେବକ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ।

ସେଥିମଧ୍ୟରୁ ତିନିରଥର ମୋଟ ମହାରଣା ୭୭, ଭୋଇ ସେବକ ୬୭,କରତି ସେବକ ୪, ତୁମ୍ବ ବିନ୍ଧ କାରିଗର ୧, ପାହି ମହାରଣା ୨, ରୂପକାର  ସେବକ ୧୭, ଓଝା ସେବକ ୧୨, ରଥଖଳା ସହାୟକ(ପାଣିବାଲା)୧ ସେବ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ।

ନିର୍ମାଣକାରୀ ସେବକମାନେ ଆଜି ସକାଳ ୮ଟା ରେ ରଥଖଳାରେ ଉପସ୍ଥିତ ରହି ଉପସ୍ଥାନ ଦେଇଥିଲେ। ପରେ ରଥ କାମ ଆରମ୍ଭ କରିଥିଲେ। ଗତକାଲି ଶ୍ରୀ ନୃସିଂହ ଚତୁର୍ଦଶୀ ହୋଇଥିବାରୁ ବିଧିପ୍ରକାରେ ତିନିରଥର ମୁଖ୍ୟ ମହାରଣା ଯୋଗାଇ ଥିବା ଚଉପଟ ଗୁଜ କାଠରେ ତିନିରଥର ମୁଖ୍ୟ ରୂପକାର ସେବକମାନେ ଅନୁକୂଳ ପୂଜା ପୂର୍ବକ ଶ୍ରୀ ନୃସିଂହ ଦେବଙ୍କ ପ୍ରତିମା ଖୋଦେଇ ଶୁଭାନୁକୂଳ କରିଥିଲେ ।

ଆଜି ତିନିରଥର ରୂପକାର ସେବକମାନେ ବାରଗୋଟି ଗୁଜ କାଠରେ ମହାପ୍ରଭୁ ଶ୍ରୀନୃସିଂହ ଦେବଙ୍କ ପ୍ରତିମା ଖୋଦେଇ କରିଛନ୍ତି। ଏତତ୍ ବ୍ୟତୀତ ତିନିରଥର ମହାରଣା ମାନେ ଗୁଜ,କୁଡୁକା, ଜଳଯନ୍ତ୍ର, ତିଖ ଗୁଜ ନିର୍ମାଣ କରୁଛନ୍ତି। ତା ସହିତ ଆଜି ତିନିରଥର ଗୋଟିଏ ଗୋଟିଏ ତୁମ୍ବରେ ଅର ସଂଯୋଗ ହୋଇ ସିଙ୍ଘଡା ବାଡ଼ିଆ କାର୍ଯ୍ୟ କରିଥିଲେ ଭୋଇସେବକ। ତୁମ୍ବ ବିନ୍ଧ କାରିଗରମାନେ ତୁମ୍ବରେ ବିନ୍ଧ କାର୍ଯ୍ୟ କରି କରିଛନ୍ତି ।

ତାଳଧ୍ଵଜ ଚାଳି- ତାଳଧ୍ଵଜ ରଥର ମୋଟ ୧୧ ଗୋଟି କୋଣ ଗୁଜ ବା ସାଲଗୁଜ ରୁ ୭ଗୋଟି ଗୁଜ ଚଉପଟ କରି ତାଳଧ୍ଵଜ ରଥ ମହାରଣାମାନେ ରୂପକାର ସେବକଙ୍କୁ ଯୋଗାଇଥିଲେ। ଆଜି ତାଳଧ୍ଵଜ ରଥ ମହାରଣା ସେବକମାନେ ଆଉ ୪ ଗୋଟି ସାଲଗୁଜ ନିର୍ମାଣ ସହ, ଜଳଯନ୍ତ୍ର, କୁଡୁକା ନିର୍ମାଣ ଜରିରଖିଛନ୍ତି। ଏଥିସହ ଯନ୍ତା ପଟା ନିର୍ମାଣକାରୀ ସେଥିରେ ବିନ୍ଧକାର୍ଯ୍ୟ କରୁଛନ୍ତି। ତୁମ୍ବରେ ଅର ସଂଯୋଗ ପରେ ପଇ ପିନ୍ଧା ପାଇଁ  ଏହି ଯନ୍ତା ପଟାର ଆବଶ୍ୟକ ପଡିଥାଏ।

ଦେବଦଳନ ଚାଳି- ପ୍ରଥମେ ଦେବଦଳନ ରଥ ମହାରଣା ରଥର ୭ ଗୋଟି ଗୁଜ ନିର୍ମାଣ କରି ରୂପକାର ସେବକଙ୍କୁ ଯୋଗାଇଥିଲେ। ପରେ ଆଉ ୪ ଗୋଟି ଗୁଜ ଦେବଦଳନ ରଥ ମହାରଣାମାନେ ଯୋଗାଇବା ସହ,ତିଖଗୁଜ,ଜଳଯନ୍ତ୍ର ସହ ତୁମ୍ବରେ ସିଙ୍ଗଡ଼ା ବାଡ଼ିଆ ପାଇଁ ଅର ସାଲ କାମ ଚାଲୁ ରହିଛି।

ନନ୍ଦିଘୋଷ ଚାଳି- ନନ୍ଦିଘୋଷ ରଥର ମହାରଣା ସେବକମାନେ ୧୧ ଗୋଟି ଗୁଜ ଚଉପଟ କରି ରୂପକାର ସେବକଙ୍କୁ ଯୋଗାଇବା ସହ ଆରଯୁକ୍ତ ତୁମ୍ବରେ ପଇ ପିନ୍ଧାଇବା ପାଇଁ ଯନ୍ତାପଟା ନିର୍ମାଣ କରି ସେଥିରେ ବିନ୍ଧ ଖୋଳା କାର୍ଯ୍ୟ କରିଛନ୍ତି । ଏପଟେ ଦୋଳବେଦୀ ସ୍ଥିତ ଅସ୍ଥାଇ କମାର ଶାଳରେ ତିନିରଥର ଓଝା ସେବକମାନେ ତୁମ୍ବରେ ସଂଯୋଗ ପାଇଁ ପଂନ୍ଦାରୀ, ବଳା ସହ ଅରକଣ୍ଟା ପ୍ରସ୍ତୁତି ଜାରୀ ରଖିଛନ୍ତି।

Spread the love