ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ

ଭୁବନେଶ୍ୱର : ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ନୀତିନିର୍ଘଣ୍ଟ ହୋଇଯାଇଛି। ଜୁନ୍ ୨୪ରେ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ପଡୁଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। କରୋନା ସଙ୍କଟ ଟଳିନଥିବାରୁ ସ୍ନାନ ଯାତ୍ରା ରୀତିନୀତି ସହ ଜଡିତ ସମସ୍ତ ସେବାୟତ, ପୋଲିସ୍ କର୍ମଚାରୀ ଏବଂ ମନ୍ଦିର ଅଧିକାରୀଙ୍କ ଆରଟିପିସିଆର ପରୀକ୍ଷା ଚାଲୁଛି। ଏବେ ସୁଦ୍ଧା ୪୩୬ ସେବାୟତ ଓ ଅଧିକାରୀଙ୍କର ପରୀକ୍ଷା ସରିଥିବା ମନ୍ଦିର ପ୍ରଶାସନ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।

ସ୍ନାନ ଯାତ୍ରା ପାଇଁ ଜୁନ୍୨୪ ତାରିଖ ରାତି ଗୋଟାଏରୁ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ହେବ। ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ଜଳବିଜେ ଓ ଜଳଲାଗି ନୀତି ସମ୍ପନ୍ନ କରିବାକୁ ସ୍ଥିର କରାଯାଇଛି। ଦିନ ୧୦ଟା ୩୦ରୁ ୧୨ଟା ମଧ୍ୟରେ ଛେରାପହଁରା ହୋଇ ଶ୍ରୀଜିଉଙ୍କୁ ହାତୀବେଶ କରାଯିବ। ଜୁଲାଇ ୧୨ରେ ଶ୍ରୀଗୁଣ୍ଡିଚା ନୀତି ନିର୍ଘଣ୍ଟ ସ୍ଥିର ହୋଇଛି।

ରବିବାର ଦିନ ଭର୍ଚ୍ଚୁଆଲ ଜରିଆରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରୀଷନ କୁମାର, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ନିଯୋଗର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ହେବ। ଏଥିସହ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟ ଜଗନ୍ନାଥ ମନ୍ଦିରମାନଙ୍କରେ କେବଳ ରଥଯାତ୍ରା ନୀତିକାନ୍ତି କରାଯିବ।

Spread the love