ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ନବୀନ ବାବୁ, ନିଜ ଛାଇକୁ ଦେଖିଲେ ଡରୁଛନ୍ତି: ମନମୋହନ ସାମଲ

ରାୟଗଡା / ଭୁବନେଶ୍ୱର, ତା.୧୫/୦୯: ଜଙ୍ଗଲ, ଖଣିଜ, ଜଳସମ୍ପଦ, ସୁଦୀର୍ଘ ବେଳାଭୂମି ଇତ୍ୟାଦି ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶା ରାଜ୍ୟ । ଓଡ଼ିଶା ଧନୀ କିନ୍ତୁ ଦୁର୍ଭାଗ୍ୟର ବିଷୟ ଓଡ଼ିଶାର ଲୋକେ ଗରିବ । କୃଷି ପ୍ରାଧାନ୍ୟ ଓଡିଶାରେ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା ଏବଂ ପରବର୍ତୀ ସମୟରେ ୧୦ ଲକ୍ଷ ହେକ୍ଟର ଚାଷ ଜମି ଜଳସେଚନ କରାଯିବାର ବାରମ୍ବାର ଘୋଷଣା କରି ସୁଦ୍ଧା ଆଜି ପର୍ଯ୍ୟନ୍ତ ଗୋଟିଏ ଇଂଚ ଚମି ଜଳସେଚିତ କରିବାରେ ବିଫଳ ହୋଇଛି ୨୩ ବର୍ଷର ଅପାରଗ ଶାସକ ବିଜୁ ଜନତା ଦଳ । ମହିଳା, ଶିଶୁ, ଯୁବକ, ଚାଷୀ, ଶ୍ରମିକ ସମସ୍ତେ ପ୍ରତାରଣାର ଶିକାର ହେଉଛନ୍ତି । ଛାତ୍ର, ଶିକ୍ଷକ, କୃଷକମାନେ ନିଜ ନ୍ୟାର୍ଯ୍ୟ ଦାବୀ ନେଇ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଉବୁଟୁବୁ ବିଜେଡି ସରକାର ରାଜ୍ୟବାସୀଙ୍କ ସମସ୍ୟାର ସମାଧାନ ପାଇଁ ଆଦୈା ଚିନ୍ତିତ ନୁହନ୍ତି । ଓଡ଼ିଶାରେ ଲୋକପ୍ରତିନିଧିର ସରକାର ଚାଲୁନାହିଁ ବରଂ ଲିଜ୍‌ରେ ସରକାର ଚାଲିଛି । ଓଡ଼ିଶାରେ ଯେଉଁ ଏକଛତ୍ରବାଦୀ, ଲିଜ୍‌ରେ ଥିବା ସରକାର ଚାଲିଛି, ତାର ଆଗାମୀ ଦିନରେ ବିସ୍ପୋରଣ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ରାୟଗଡାଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ଓଡିଶାର ଚାଷୀମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ରହିଛି, ଯାହାକି ଅତ୍ୟନ୍ତ ଲଜ୍ଜାଜନକ । କେନ୍ଦ୍ରରେ ମୋଦି ସରକାର ଶାସନକୁ ଆସିବା ପରେ ଅନେକ କୃଷକକଲ୍ୟାଣ ଯୋଜନାକୁ ସଫଳ ଭାବେ ରୂପାୟନ କରିଛନ୍ତି । କିନ୍ତୁ, ଓଡିଶାରେ ବିଜେଡି ସରକାର ଏ ସମସ୍ତ ଯୋଜନାର ସୁଫଳକୁ ଚାଷୀମାନଙ୍କ ନିକଟରେ ପହଂଚାଇବାରେ ବିପଳ ହୋଇଛନ୍ତି । ଚାଷୀମାନଙ୍କୁ ଉତ୍ପାଦିତ ଶସ୍ୟର ଉଚିତ୍ ମୂଲ୍ୟ ନମିଳିବାରୁ ଅଭାବୀ ବିକ୍ରୀର ଶିକାର ହୋଇ ଆର୍ତୀକ ସଂକଟର ସମ୍ମୁଖୀନ ହେଉଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ମିଳୁନାହିଁ । ଜଙ୍ଗଲଭରା ଓ ଆଦିବାସୀବହୁଳ ରାୟଗଡା ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ସଂପୂର୍ଣ୍ଣ ଆର୍ଥୀକ ସହାୟତା ସତ୍ୱେ ‘ଫରେଷ୍ଟ ମାଇନର୍ ପ୍ରଡକ୍ଟ’ ବା ଲଘୁଜାତ ବନଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଦେବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ସେହିପରି ଚାଷଜମିକୁ ଜଳସେଚିତ କରାଇବାରେ ବିଫଳ ହେଲେ । ରାୟଗଡାର ‘ପାଣିଡଙ୍ଗର ଜଳସେଚନ ପ୍ରକଳ୍ପ’ର ଶିଳାନ୍ୟାସ ହୋଇଛି କିନ୍ତୁ ତାହା କିଛି କାର୍ଯ୍ୟରେ ଲାଗିନାହିଁ । ରାୟଗଡାରେ କୃଷକଙ୍କ ପାଖରୁ ଧାନକିଣା ଠିକ୍‌ଭାବରେ ହେଉନାହିଁ କି ମଣ୍ଡିଖୋଲୁ ନାହିଁ । ଫଳରେ କୃଷକ ଧାନର ଉଚିତ ମୂଲ୍ୟ ପାଇବାରୁ ବଂଚିତ ହେଉଛନ୍ତି । ରାୟଗଡାରେ କୃଷିଭିତିକ ଶିଳ୍ପବ୍ୟବସ୍ଥାର ଆବଶ୍ୟକତା ଅଛି । ୨୩ବର୍ଷ ନବୀନ ସରକାର ଚାଷୀଙ୍କ ପାଇଁ ଜଳସେଚନ, ଶୀତଳଭଣ୍ଡାର କରିବାରେ ଫେଲ ମାରିଛି । ଏହା ହୋଇଥିଲେ ରାୟଗଡା ଅଂଚଳର ଲୋକଙ୍କ ଜୀବନଧାରା ବଦଳି ଯାଆନ୍ତା ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ଫୋକସରେ ସର୍ବଦା ଓଡିଶା ରହିଆସିଛି । କଂଗ୍ରେସ ନେତୃତ୍ୱ ୟୁପିଏ ଶାସନରେ (୨୦୦୪-୧୪) ୧୦ବର୍ଷରେ ଓଡ଼ିଶାକୁ ମାତ୍ର ୨ଲକ୍ଷ ୮୩ ହଜାର କୋଟି ଟଙ୍କା ମିଳିଥିବାବେଳେ ମୋଦି ସରକାର ଅମଳରେ ଗତ ୯ବର୍ଷରେ ଓଡ଼ିଶାକୁ ୧୮ଲକ୍ଷ ୮୩ହଜାର କୋଟି ଟଙ୍କାର ଆର୍ଥୀକ ଅନୁଦାନ ଓ ସହାୟତା ମିଳିଛି । ମାତ୍ର ଓଡିଶା କିମ୍ବା ଓଡିଶାବାସୀଙ୍କ ସ୍ଥିତିରେ କୈାଣସି ପରିବର୍ତନ ଆସିନାହିଁ । ରାଜ୍ୟ ସରକାର ଗାଁମାନଙ୍କରେ ପଲ୍ଲୀସଭା, ଗ୍ରାମସଭା ନକରି ମନମାନିରେ କାର୍ଯ୍ୟ କରୁଛନ୍ତି । ଗଣତନ୍ତ୍ରକୁ ବିଶ୍ୱାସ ଓ ମାନିବା ସ୍ଥିତିରେ ନାହାନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନିଜେ ଜନତାଙ୍କ ଅଭିଯୋଗ ନଶୁଣି ତାଙ୍କ ସଚିବଙ୍କୁ ପଠାଉଛନ୍ତି । ବିଜୁ ଜନତା ଦଳ ରାଜନୈତିକ ବ୍ୟବସ୍ଥାକୁ ନଷ୍ଟ କରୁଛି । ନବୀନ ବାବୁ ଏବେ ନିଜ ଛାଇକୁ ଦେଖି ଡରୁଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।
ରାଜ୍ୟ ସରକାର ଛାତ୍ରନେତାଙ୍କୁ ଡରି କଲେଜ ନିର୍ବାଚନ ବନ୍ଦ କରିଛନ୍ତି । ଦୀର୍ଘ ୭ବର୍ଷ ହେବ ଶିକ୍ଷକଙ୍କୁ ଭଣ୍ଡାଉଛି ନବୀନ ସରକାର । ରାଜ୍ୟର ଶିକ୍ଷକଙ୍କ ୫ପ୍ରକାର ବେତନ ବ୍ୟବସ୍ଥା ନକରି ସମସ୍ତଙ୍କୁ ସମାନ ବେତନ ଦିଅନ୍ତୁ । ମୋଦି ସରକାର ଶିକ୍ଷକଙ୍କ ପାଇଁ ଟଙ୍କା ଦେଉଛନ୍ତି ତାହାକୁ ଶିକ୍ଷକଙ୍କୁ ଦେବାର ଅସୁବିଧା କେଉଁଠି? ଓଡ଼ିଶାରେ ଏବେ ଅରାଜକତା ବ୍ୟାପିଛି ଫଳରେ ଲୋକଙ୍କ ଭିତରେ ଅସନ୍ତୋଷ ନିଆଁ ସୃଷ୍ଟି ହୋଇଛି । ଓଡ଼ିଶାର ଅନ୍ୟାୟ, ଅନିତି, ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରକୁ ଜନତା ସହ୍ୟ କରିବେ ନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି ।
ଆସନ୍ତା ୧୭ତାରିଖ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ “ବିଶ୍ୱକର୍ମା ଯୋଜନା”ର ଶୁଭାରମ୍ଭ ହେବ । ସାରା ଦେଶର ୭୦ଟି ଜାଗାରେ ଏହି କାର୍ଯ୍ୟକ୍ରମ କରାଯିବ ଓ ୩୦ଲକ୍ଷ କୁଶଳୀ କାରିଗରଙ୍କୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବେ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ଅନୁସୁଚିତ ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସଂପାଦକ କାଳିରାମ ମାଝୀ, ରାୟଗଡା ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଜୈନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love