ଆହୁରି ମହଙ୍ଗା ହେବ ଆପଣଙ୍କ EMI ? ଆରବିଆଇ ଆସନ୍ତା ସପ୍ତାହରେ ପୁଣି ଥରେ ବୃଦ୍ଧି କରି ପାରନ୍ତି ସୁଧହାର
ନୂଆଦିଲ୍ଲୀ: ଦେଶରେ ମୁଦ୍ରାସ୍ଫୀତି ଯୋଗୁଁ ସରକାର ଦରବୃଦ୍ଧି ହ୍ରାସ ପାଇଁ ନିଜ ସ୍ତରରେ ଉଦ୍ୟମ ଚଳାଇଛନ୍ତି । ଏହା ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟିର ବୈଠକ ଆସନ୍ତା ସପ୍ତାହରେ ହେବାକୁ ଯାଉଛି । ଆରବିଆଇ ପୁଣି ଥରେ ସୁଧହାର ବଢାଇ ପାରନ୍ତି । ଏମିତି ହେଲେ ଲୋନର ଇଏମଆଇ ଆହୁରି ମହଙ୍ଗା ହୋଇପାରେ ।
୦.୪୦ ବଢିପାରେ ରେପୋ ରେଟ୍
ମୁଦ୍ରା ନୀତି କମିଟିର ବୈଠକ ଜୁନ ୬ରୁ ୯ ମଧ୍ୟରେ ହେବାକୁ ଯାଉଛି । ଗତ ଥର ଏପ୍ରିଲରେ ଅନୁଷ୍ଠିତ ବୈଠକରେ ରେପୋ ରେଟ୍ ଏବଂ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତନ କରାଯାଇନଥିଲା । ମାତ୍ର ମେ ମାସରେ ବସିଥିବା ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ସୁଧହାରରେ ୦.୪୦ ପ୍ରତିଶତ ବୃଦ୍ଧି କରିଥିଲେ। ପୁଣି ଥରେ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ୦.୪୦ ପ୍ରତିଶତ ବୃଦ୍ଧି କରି ପାରନ୍ତି ।ଯଦି ପୁଣି ଥରେ ସୁଧ ହାର ୦.୩୫ ରୁ ୦.୪୦ ପ୍ରତିଶତ ବୃଦ୍ଧି ଘଟେ ତେବେ ଆଗାମୀ ଦିନରେ ଋଣ ନେଇଥିବା ବ୍ୟକ୍ତିଙ୍କ ମାସିକିଆ କିସ୍ତିର ରାଶି ବଢିବାର ସମ୍ଭାବନା ରହିଛି । ରିପୋର୍ଟରେ ମୁଦ୍ରାସ୍ଫୀତି ବଢିବାର ଅନୁମାନ କରାଯାଇଛି । ଆର୍ଥିକ ବର୍ଷ ୨୦୨୨-୨୩ରେ ଖୁଚୁରା ମୁଦ୍ରାସ୍ପୀତି ହାରାହାରି ୬.୮ ପ୍ରତିଶତ ରହିପାରେ । ଆରବିଆଇର ୨ ରୁ ୬ ପ୍ରତିଶତ ନିର୍ଦ୍ଧାରିତ ଲକ୍ଷ୍ୟଠୁ ଏହା ଅଧିକ ରହିଛି । ଯଦି ଦରବୃଦ୍ଧି ଉଚ୍ଚସ୍ତରରେ ରହେ ତେବେ ଆରବିଆଇ ଚଳିତ ଆର୍ଥିକ ବର୍ଷରେ ସୁଧ ହାରକୁ ୫.୬୫ ପ୍ରତିଶତ ପର୍ଯ୍ୟନ୍ତ ନେଇ ପାରନ୍ତି । ବର୍ତମାନ ରେପୋ ରେଟ୍ ୪.୪୦ ପ୍ରତିଶତ ରହିଛି ।