ବିଜେଡି ଛାଡ଼ି ଭର୍ତ୍ତୃହରି ମହତାବ ଅପରିପକ୍ୱତାର ପରିଚୟ ଦେଇଛନ୍ତି: ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ

କଟକ: କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ ବିଜେଡି ଛାଡ଼ିବା ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି, ଏତେ ବର୍ଷ ଦଳରେ ରହି ବିଜେଡି ଛାଡ଼ିବା ଭର୍ତ୍ତୃହରି ଙ୍କ ଅପରିପକ୍ୱତାର ପରିଚୟ। ବିଜେପି ଟିକେଟ୍ ଆଶାରେ ସେ ଦଳ ଛାଡ଼ିଛନ୍ତି। ବିଜେଡି ଛାଡ଼ିବା ନେଇ ସେ ଯେଉଁ କାରଣ କହିଛନ୍ତି ତାହା ସବୁ ମିଛ। ମେଣ୍ଟ ହେବ କି ନାହିଁ ସେ କହିବାକୁ କିଏ, ସେ ନିଷ୍ପତ୍ତି ନେବାକୁ ଦଳରେ ଅନ୍ୟ ପଦାଧିକାରୀ ରହିଛନ୍ତି। ଦେବାଶିଷ ସାମନ୍ତରାୟ ଆହୁରି କହିଛନ୍ତି, ଚାର୍ଜଫ୍ରେମ୍ ହେବା ଆଇନର କଥା। ବିଜେଡିର ଏଥିରେ କୌଣସି ଭୁମିକା ନାହିଁ।

ସୂଚନାଯୋଗ୍ୟ, କଟକ ସାଂସଦ ଭର୍ତ୍ତୃହରି ମହତାବ୍‌ ଶୁକ୍ରବାର ବିଜୁ ଜନତା ଦଳ (ବିଜେଡି) ଛାଡ଼ିଥିଲେ। ସେ ନିଜର ଇସ୍ତଫାପତ୍ରକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ। ଏଥି ସହିତ ଶ୍ରୀ ମହତାବ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। କଟକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଜେ ଶ୍ରୀ ମହତାବ୍‌ ଏହି ସୂଚନା ଦେଇଥିଲେ।

ଦଳ ଛାଡ଼ିବା ଅବସରରେ ଶ୍ରୀ ମହତାବ୍‌ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ, ମୋର ଅଭିଜ୍ଞତା ଅନୁସାରେ ୧୭ତମ ଲୋକସଭାରେ ସାଂସଦ ଭାବେ ବିଜେଡିର ପ୍ରତିନିଧି ଭାବେ ଠିକ୍‌ ଭାବେ ଦଳପାଇଁ କାମ କରିଛି। ନିକଟରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। କିନ୍ତୁ ଏହି ସମୟରେ ବିଜେଡି ପାଖରୁ ଦୂରେଇ ରହୁଛି। ଏହାର କାରଣ ଓ ଉତ୍ତର ହେଲା ବିଜେଡିରେ ବହୁ ପରିବର୍ତ୍ତନ ହୋଇସାରିଛି। ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ବିଜେଡି ଗଠନ ହୋଇଥିଲା। ପ୍ରଥମେ ଯେଉଁ ଭଲ କାମ ହେଉଥିଲା, ସେଥି ପାଇଁ ଓଡ଼ିଶାବାସୀ ବିଜେଡିକୁ ସମର୍ଥନ ଦେଉଥିଲେ। କିନ୍ତୁ ବିଗତ କିଛି ବର୍ଷରେ ଦଳର ସଂଚାଳନା ଓ ପରିଚାଳନା ଯେଉଁଭଳି ଭାବେ ଚାଲିଛି, ସେ ବାବଦରେ ବହୁ ଥର କହିଛି। କିନ୍ତୁ ତାହା ସଫଳ ହେଲା ନାହିଁ। ତେଣୁ ଦଳ ଠାରୁ ଦୂରେଇ ଗଲେ ଅଧିକ ପ୍ରଖର ଭାବେ କାମ କରିପାରିବି।ବିଜେଡିରେ ମୋର ଅନୁଭବକୁ ପ୍ରକାଶ କରିବା ପାଇଁ ବାଧା ଦିଆଯାଉ ଥିଲା। ଯଦି କିଛି କହୁଥିଲି, ତାକୁ ସମାଲୋଚନା କରାଯାଉଥିଲା। ତେଣୁ ଦଳରୁ ଦୂରେଇ ଯିବାର ଭଲ ବୋଲି ଚିନ୍ତା କଲି। ତେଣୁ ବିଜେଡିରୁ ମୁଁ ଇସ୍ତଫା ଦେଇଛି। ଦଳକୁ ସଂଶୋଧନ କରିବା ପାଇଁ ବହୁ ଉଦ୍ୟମ କରିଛି। କିନ୍ତୁ କିଛି ଲାଭ ହେଲା ନାହିଁ। ଆଉ ଗୋଟେ କଥା ହେଲା ଯେ, ଧୈର୍ଯ୍ୟର ଏକ ସୀମା ରହିଥାଏ। କିନ୍ତୁ ମୋ ପାଇଁ ଏହି ସୀମା ଅତିକ୍ରାନ୍ତ କରିଯାଇଛି।

ଉଲ୍ଲେଖଯୋଗ୍ୟ ୬୭ ବର୍ଷୀୟ ଭର୍ତ୍ତୃହରି ମହତାବ୍ କଟକରୁ ପ୍ରଥମ ଥର ପାଇଁ ୧୯୯୮ରେ ସାଂସଦ ହୋଇଥିଲେ। ଏହାର ପର ଠାରୁ ଏପର୍ଯ୍ୟନ୍ତ ୬ ଥର ସାଂସଦ ହୋଇଛନ୍ତି। ୨୦୧୭ ମସିହାରେ ସେ ଆଉଟ୍‌ଷ୍ଟାଣ୍ଡିଂ ପାର୍ଲାମେଣ୍ଟାରିଆନ୍ ଆୱାର୍ଡ ଗ୍ରହଣ କରିଥିଲେ। ସେହିପରି ସେ ସଂସଦ ରତ୍ନ ପୁରସ୍କାର ଗ୍ରହଣ କରିଥିଲେ।

Spread the love