ଅଧୁରା ପ୍ରେମ ବାବଦରେ ମୁହଁ ଖୋଲିଲେ ରେଖା
ବିଗତ ସତୁରି ଓ ଅଶୀ ଦଶକରେ ବଲିଉଡ୍ରେ ରାଜୁତି କରିଥିବା ରେଖା ଏଭଳି ଜଣେ ଅଭିନେତ୍ରୀ ଯିଏ ମହିଳାମାନଙ୍କୁ ତାଙ୍କ ପରି ସ୍ବାଧୀନଚେତା ଓ ଅଧିକ ଶକ୍ତିଶାଳୀ ହେବାକୁ ପ୍ରେରଣା ଦେଇଆସିଛନ୍ତି। ତାଙ୍କର ଶେଷ ବଲିଉଡ୍ ସିନେମା ଥିଲା ୨୦୧୪ରେ ମୁକ୍ତିଲାଭ କରିଥିବା ‘ସୁପର ନାନୀ’। ସେବେଠାରୁ ସେ ବଡ଼ ପରଦାଠୁ ଦୂରରେ ରହିଥିଲେ ହେଁ ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ନିୟମିତ ଦେଖିବାକୁ ମିଳିଥାଏ। ତେବେ ପ୍ରଥମ ଥର ପାଇଁ ସମ୍ଭ୍ରାନ୍ତ ପତ୍ରିକା ‘ଭଗ୍’ର ଆରବ ସଂସ୍କରଣର ପ୍ରଚ୍ଛଦ ମଣ୍ଡନ କରିବା ଅବସରରେ ସେ ତାଙ୍କ ଦୁଇ ଦଶନ୍ଧି ଭିତରର ପ୍ରଥମ ସାକ୍ଷାତକାର ଦେଇ ବଡ଼ ପରଦାଠୁ ଦୂରେଇ ରହିବାର କାରଣ କହିଛନ୍ତି। ସେ ତାଙ୍କ ଅଧୁରା ପ୍ରେମ ଜୀବନ ସମ୍ପର୍କରେ ମଧ୍ୟ ମୁହଁ ଖୋଲିଛନ୍ତି। ମେଗାଷ୍ଟାର ଅମିତାଭ ବଚନଙ୍କ ସହିତ ତାଙ୍କର ପ୍ରେମ ବିଷୟ କାହାକୁ ଅଛପା ନାହିଁ। ନିଜ ଅଭିନୟ ଜୀବନ ବିଷୟରେ କହିଛନ୍ତି, ‘ମୁଁ ଫିଲ୍ମ କରେ କି ନକରେ, ଫିଲ୍ମ ମୋତେ କେବେ ବି ଛାଡ଼ି ନାହିଁ।
ସମୟ ଆସିଲେ ଠିକଣା ପ୍ରକଳ୍ପ ମୋ ପାଖକୁ ଆସି ପହଞ୍ଚିଯିବ। ମୋର ବ୍ୟକ୍ତିତ୍ବ ମୋର, କିନ୍ତୁ ମୋର ଅଭିନୟ ବ୍ୟକ୍ତିତ୍ବ ହେଉଛି ଦର୍ଶକଙ୍କର। ମୋର ସୌଭାଗ୍ୟ ଯେ ମୁଁ ଯାହା ଭଲ ପାଏ, ତାହା ବାଛିବାର ଅଧିକାର ମୋତେ ମିଳିଛି।’ ଏହି ସାକ୍ଷାତକାରରେ ରେଖାଙ୍କୁ ପଚରାଯାଇଥିଲା, ‘ଆପଣ ଜଣକୁ ଅତି ନିବିଡ଼ ଭାବରେ ଭଲ ପାଉଥିଲେ, ତାହା କ’ଣ କ୍ରମେ ଲୋପ ପାଇଯାଏ?’ ରେଖାଙ୍କର ଉତ୍ତର ଥିଲା, ‘ନା, ଥରେ ସମ୍ପର୍କ ବାନ୍ଧି ହୋଇଛି ମାନେ ତାହା ଚିର ଦିନ ପାଇଁ। ବେଳେ ବେଳେ ଆମେ ଅଧିକ ଆଶା କରୁ ଏବଂ ବେଳେ ବେଳେ ଯାହା ମିଳିଛି ସେତିକି ଯଥେଷ୍ଟ ହୋଇଥାଏ।’ ବୋଧେ ସମ୍ପର୍କକୁ ନେଇ ରେଖାଙ୍କ ଚିରସ୍ଥାୟୀ ଧାରଣା ଯୋଗୁଁ ତାଙ୍କର ଦୁଃଖଦ ପ୍ରେମ କାହାଣୀ ଆଜି ମଧ୍ୟ ଲୋକଙ୍କ ମନରେ ପ୍ରତିଧ୍ବନିତ ହୁଏ। ଏହି ୬୮ ବର୍ଷୀୟା କିଂବଦନ୍ତି ଅଭିନେତ୍ରୀଙ୍କ ‘ଭଗ୍’ ଫଟୋଗୁଡ଼ିକ ଏବେ ଇଣ୍ଟର୍ନେଟ୍ରେ ଖୁବ୍ ପ୍ରଶଂସିତ ହେଉଛି। ଫ୍ୟାସନ୍ ଡିଜାଇନର୍ ମନୀଷ ମଲହୋତ୍ରା ଏହି ଫଟୋସୁଟ୍ ପାଇଁ ରେଖାଙ୍କ ପୋଷାକଗୁଡ଼ିକୁ ଖୁବ୍ ଯତ୍ନର ସହ ପ୍ରସ୍ତୁତ କରିଛନ୍ତି।