ରେଳବାଇରେ ଚାକିରୀ କରାଇ ଦେବାକୁ କହି ୧୪ଲକ୍ଷ ଟଙ୍କା ଠକେଇ, ୩ ଭାଇ-ଭଉଣୀ ଗିରଫ

ଝାରସୁଗୁଡା ୨୫।୧୦: ଦିନକୁ ଦିନ ନୂଆ ନୂଆ ତରିକାରେ ଲୋକଙ୍କୁ ଠକିବାକୁ ମାଷ୍ଟରପ୍ଲାନ୍ କରୁଛନ୍ତି ଠକ ଦଳ । ଝାରସୁଗୁଡାର ପୁରୁଣାବସ୍ତି ବାବୁପଡାରେ ରହୁଥିବା ରାଜେଶ କୁମାର ବାଦି ନିଜର ଦୁଇ ଭଉଣୀ ରାଜେଶ୍ବରୀ ବାଦି ଓ ଝରଣା ବାଦିଙ୍କ ସହ ମିଶି ଲୋକଙ୍କୁ ଠକିବା ସହ ନକଲି ନୋଟ୍ ପ୍ରସ୍ତୁତ କରିବାକୁ ଯାଇ ବରଗଡରେ ରହୁଛନ୍ତି । ନକଲି ଫେସବୁକ ଆଇଡି ଖୋଲି ଲୋକଙ୍କୁ ଲୋଭର ଜାଲରେ ପକାଇ କରୁଛନ୍ତି ଲୁଟ୍ । ଏହିଭଳି ଝାରସୁଗୁଡା ଜିଲ୍ଲା ସଦର ବ୍ଲକର ଚିଚିଣ୍ଡା ଗାଁର ମାନସ ରଞ୍ଜନ ପଟେଲଙ୍କୁ ରେଳବାଇରେ ଚାକିରୀ କରାଇ ଦେବାକୁ କହି ୧୪ ଲକ୍ଷ ଟଙ୍କା ଠକି ନେଇ ଫେରାର ହେବା ପରେ ବରଗଡରୁ ୩ ଭାଇ ଭଉଣୀଙ୍କୁ ଗିରଫ କରିଛି ଝାରସୁଗୁଡା ପୋଲିସ ।

ରେଳବାଇରେ ଚାକିରୀ କରାଇବାକୁ କହି ଗତ ୨୨ ତାରିଖରେ ମାନସଙ୍କୁ ଝାରସୁଗୁଡାର ଏକ ହୋଟେଲକୁ ଡକାଇ ସେମାନଙ୍କୁ ହୋଟେଲର ୨୧୨ ନମ୍ବର  କୋଠରୀକୁ ନେଇ ୧୪ ଲକ୍ଷ ଟଙ୍କା ନେବା ପରେ ଟଙ୍କା ଗଣିବାକୁ କହି ରୁମ୍ ବାହାରୁ ମାନସଙ୍କୁ ତାଲା ପକାଇ ଫେରାର ହୋଇଯାଇଥିଲେ । ହୋଟେଲ ସିସିଟିଭିରେ କଏଦ ଭିଜୁଆଲରେ କିପରି ଦୁଇ ଭଉଣୀ ୧୪ ଲକ୍ଷ ତଙ୍କା ନେଇ ଭଦ୍ର ମହିଳାଙ୍କ ପରି ହୋଟେଲ ବାହାରକୁ ଯାଉଛନ୍ତି ଦେଖିବାକୁ ମିଳିଛି । ଏ ସଂପର୍କରେ ଝାରସୁଗୁଡା ଥାନାରେ ମାମଲା ହେବା ପରେ ପୋଲିସ ପୋଲିସ ଘଟଣାର ତଦନ୍ତ କରି ସେଦିନ ଠକେଇ ପାଇଁ ନକଲି ନମ୍ବର ପ୍ଲେଟରେ ବ୍ୟବହାର କରିଥିବା ଇଣ୍ଡିଗୋ କାର୍ ସହ ସେମାନଙ୍କ ନିକଟରୁ ୧୩ ଲକ୍ଷ ଟଙ୍କା ଜବତ କରିଛି । ସେମାନଙ୍କ ନିକଟରୁ ଅନେକ ନକଲି ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ୩ଟି ମୋବାଇଲ ଫୋନ୍, ଗୋଟିଏ ଲାପଟପ୍, ଛୋଟ ଲାମିନେସନ ମେସିନ୍ ସହ ବହୁ ଆପତ୍ତିଜନକ ଦସ୍ତାବିଜକୁ ଜବତ କରି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏ ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ଝାରସୁଗୁଡା ଏସପି ସୂଚନା ଦେଇଛନ୍ତି ।

Spread the love