ଆଗାମୀ ଦିନରେ ଭାରତ–ଋଷ ସମ୍ପର୍କନୂଆ ଉଚ୍ଚତାକୁ ଯିବ – ଧର୍ମେନ୍ଦ୍ର ପ୍ରଧାନ

 ଆଗାମୀ ଦିନରେ ଭାରତ–ଋଷ ସମ୍ପର୍କ ନୂଆ ଉଚ୍ଚତାକୁ
ଯିବ ବୋଲି ମଙ୍ଗଳବାର ୠଷ ଗଣମାଧ୍ୟମର ଏକ ପ୍ରତିନିଧି ମଣ୍ଡଳି ସହ ଆଲୋଚନା କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରତିନିଧି ମଣ୍ଡଳିଙ୍କ ସହ ସାକ୍ଷାତ୍ ଆଲୋଚନା କରିବା ସମୟରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ଷ ୨୦୧୯ରେ ଭାରତ ଏବଂ ଋଣ ଦ୍ୱିପାକ୍ଷିକ ସମ୍ପର୍କ ନୂଆ ସ୍ତରକୁ ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦୁଇ ଦେଶ ମଧ୍ୟରେ ଋଣନୈତିକ ସହଯୋଗ ସୁଦୃଢ ହୋଇଛି । ସେହିପରି ଭାରତୀୟ ଇସ୍ପାତ୍ କ୍ଷେତ୍ରକୁ ମଜବୁତ୍ କରିବାରେ ମଧ୍ୟ ଋଷର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଭାରତ ମଧ୍ୟ ସବୁଠୁ ଅଧିକ ଋଷରୁ ଉଚ୍ଚ କ୍ଷମତା ବିଶିଷ୍ଟ କୋକିଂ କୋଲ୍ ଆମଦାନୀ କରିଥାଏ । ଯାହା ଭାରତୀୟ ଇସ୍ପାତ୍ କ୍ଷେତ୍ରରେ ସହାୟକ ହୋଇଥାଏ ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଋଷର ମୋସ୍କୋ ଏବଂ ଭ୍ଲାଡିଭୋଷ୍ଟକ ଗସ୍ତ ସମୟରେ ଋଷ ଏବଂ ଭାରତ
ମଧ୍ୟରେ କୋକିଂ କୋଲ୍ କ୍ଷେତ୍ରରେ ବ୍ୟବସାୟିକ ସମ୍ପର୍କ ମଜବୁତ୍ ହୋଇପାରିବାର କ୍ଷମତା ଥିବା ସେ ଅନୁଭବ କରିଥିଲେ । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ମଧ୍ୟ ଋଷ ସହ ସମ୍ପର୍କ ଭଲ ରହିଛି । ହାଇଡ୍ରୋକାର୍ବନ କ୍ଷେତ୍ରକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ।
ଦୁଇ ଦେଶ ମଧ୍ୟରେ ଉର୍ଜା ସେତୁ ସଂଯୋଗ ସ୍ଥାପନ ହୋଇଛି । ତୈଳ ଏବଂ ଗ୍ୟାସରେ ଋଷ ସବୁଠୁ ଅଧିକ
ଉତ୍ପାଦନ କରୁଥିବା ବେଳେ ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଉର୍ଜା ଉପଭୋକ୍ତା ରାଷ୍ଟ୍ର ହୋଇସାରିଛି ।
ଭାରତର ତୈଳ ଏବଂ ଗ୍ୟାସ ଆବଶ୍ୟକତାକୁ ପୂରଣ କରିବାରେ ଋଷର ଭୂମିକା ରହିଥିବା ସେ ପ୍ରକାଶ କରିଛନ୍ତି । ଭାରତ ଗ୍ୟାସ ଆଧାରିତ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି । ପ୍ରାକୃତିକ ଗ୍ୟାସ ଯୋଗାଣ ଏବଂ ବିକାଶ ପାଇଁ ଦେଶରେ ୬୦ ବିଲିୟନ ଡଲାର ପୁଞ୍ଜିନିବେଶ କରାଯାଇଛି । ଋଷରୁ ଏଲଏନଜି ଆମଦାନୀ ହେଉଥିବାରୁ ଉର୍ଜା ସୁରକ୍ଷାରେ ସ୍ଥିରତା ରହୁଛି ।
ଅପରପକ୍ଷରେ ଋଷର ଏଲଏନଜି ଏବଂ ଅଶୋଧିତ ତୈଳ ପାଇଁ ଭାରତ ନୂଆ ସମୁଦ୍ର ପଥ ସନ୍ଧାନରେ
ରହିଛି । ଏହି ପଥ ଋଷରୁ ରପ୍ତାନୀ ହେଉଥିବା ଏଲଏନଜି ଦରକୁ ଆହୁରି ହ୍ରାସ କରିବା ସହ ସମୟ ମଧ୍ୟ ବଂଚାଇବ । ଋଷ ଏବଂ ପୂର୍ବ ଭାରତ ମଧ୍ୟରେ ଏକ ସମୁଦ୍ର ପଥ ତିଆରି ହେଲେ କୋକିଂ କୋଲ୍‌ ଯୋଗାଣରେ ମଧ୍ୟ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭାରତୀୟ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ବିଶେଷତଃ ଗ୍ୟାସ ବ୍ୟବସାୟ, ଗ୍ୟାସ ଭିତିଭୂମି ଏବଂ ପେଟ୍ରୋକେମିକାଲରେ ପୁଞ୍ଜିନିବେଶ କରିବା ପାଇଁ ଋଷର କମ୍ପାନୀ ମାନଙ୍କୁ ନିମନ୍ତ୍ରଣ କରିଛନ୍ତି ।

Spread the love