ବାତ୍ୟା ପ୍ରଭାବିତଙ୍କୁ ମିଳିବ ୭ ଦିନ ରିଲିଫ୍

ଭୁବନେଶ୍ୱର ୨୬।୦୫: ବାତ୍ୟା  ୟାସ୍‌ର ଟଳିଲା ବଡ ବିପଦ।  ହେଲେ ପଛରେ ଲୋକଙ୍କ ପାଇଁ ଛାଡି ଦେଇଗଲା ଅନେକ ଦୁଃଖ। ଆଶା ଅନୁଯାୟୀ କ୍ଷତି ହୋଇନଥିବା କୁହାଯାଉଥିଲେ ମଧ୍ୟ ଲୋକେ ବହୁତ ପ୍ରଭାବିତ ହୋଇଛନ୍ତି। ଏବେ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ତରଫରୁ ପ୍ରଭାବିତଙ୍କ ଉଦ୍ଧାର ଓ ରିଲିଫ ପାଇଁ ଯଥା ସମ୍ଭବ ଉଦ୍ୟମ ଜାରି ରହିଛି। ଏହିକ୍ରମରେ ବାତ୍ୟା କ୍ଷୟକ୍ଷତି ନେଇ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା କରିଛନ୍ତି। ବୈଠକରେ ବାତ୍ୟା ପ୍ରଭାବିତଙ୍କୁ ୭ ଦିନ ରିଲିଫ୍ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି।

୧୨୮ଟି ପ୍ରଭାବିତ ଗାଁ ଲୋକଙ୍କୁ ୭ ଦିନ ଯାଏଁ ରିଲିଫ୍ ମିଳିବ। କ୍ଷତିଗ୍ରସ୍ତ ହୋଇଥିବା ମୁଖ୍ୟରାସ୍ତାକୁ ୨୪ ଘଣ୍ଟା ମଧ୍ୟରେ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୮୦ ପ୍ରତିଶତ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ମୁକାବିଲା ଲାଗି ପ୍ରଶାସକ, ପଞ୍ଚାୟତ ପ୍ରତିନିଧି, ପୋଲିସ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

ବାତ୍ୟା ସ୍ଥିତି ନେଇ ଏସଆରସି ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ଆଜି ସକାଳ ୯ଟାରେ ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଝାଡଖଣ୍ଡ ଆଡେ ମୁହାଁଇଛି। ଉପକୂଳ ଅଞ୍ଚଳରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଅନେକ ସ୍ଥାନରେ ଗଛ ଓ ବିଜୁଳି ଖୁଣ୍ଟ ଉପୁଡି ରାସ୍ତା ବନ୍ଦ ହୋଇ ଯାଇଛି। ବାତ୍ୟା ପ୍ରକୋପ ଥମିବା ପରେ ପୁନରୁଦ୍ଧାର କାମ ଜୋରଦାର ଗତିରେ ଚାଲିଛି। ଅନେକ ସ୍ଥାନରୁ ଗଛ ହଟାଇ ରାସ୍ତା ସଫା କରାଗଲାଣି। ଆସନ୍ତାକାଲି ସକାଳ ସୁଦ୍ଧା ବାଲେଶ୍ଵର ଓ ଭଦ୍ରକରେ ବିଦ୍ୟୁତ୍ ସ୍ଵାଭାବିକ ହୋଇଯିବ।

ଏସଆରସି କହିଛନ୍ତି, ବାତ୍ୟା ପାଇଁ ସାଢେ ଛଅ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସର୍ବାଧିକ ମୟୂରଭଞ୍ଜରୁ ଏକ ଲକ୍ଷ ସ୍ଥାନାନ୍ତର କରାଯାଇଥିଲା। ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କ ସ୍ଵାସ୍ଥ୍ୟ ଯାଞ୍ଚ କରିବ। ସମୁଦ୍ର  ଜୁଆର ଯୋଗୁଁ ବାଲେଶ୍ଵର, ଭଦ୍ରକର ୧୨୦ ଗାଁ ପାଣି ପଶିଥିଲା ବୋଲି ପ୍ରଦୀପ ଜେନା କହିଛନ୍ତି।

Spread the love