ଇମାମୀ ନଗରରେ ନବଯୌବନ ଉଭାଯାତ୍ରା ସମ୍ପନ୍ନ

ରେମୁଣା: ରେମୁଣା ବାଲଗୋପାଲପୁର ଶିଳ୍ପା‌ଞ୍ଚଳସ୍ଥିତ ଇମାମୀ ନଗର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ସ୍ନାନଯାତ୍ରା ଠାରୁ ଜ୍ବରରେ ପଡ଼ି ଅଣସରପିଣ୍ତରେ ଅବସ୍ଥାନ କରୁଥିବା ମହାପ୍ରଭୁ ନବଯୌବନ ପ୍ରାପ୍ତ ହୋଇଛନ୍ତି। ଶ୍ରୀକ୍ଷେତ୍ର ରୀତିନୀତି ଅନୁଯାୟୀ ୧୫ ଦିନ ଧରି ନାନାଦି ଗୁପ୍ତସେବା ଓ ଔଷଧୀୟ ଉପଚାର ପରେ ଆଜି ହଜାର ହଜାର ସମବେତ ଭକ୍ତଙ୍କୁ ମହାପ୍ରଭୁ ନବଯୌବନ(ଉଭାଯାତ୍ରା) ଦର୍ଶନ ଦେଇଛନ୍ତି। ମହାପ୍ରଭୁଙ୍କୁ ୧୫ଦିନ ଧରି ଦେଖିନଥିବା ଭକ୍ତମାନଙ୍କ ମଧ୍ୟରେ ଗୁରୁବାର ଦିନ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଏତେଦିନ ପରେ ମହାପ୍ରଭୁଙ୍କୁ ଦେଖି ହଜାର ହଜାର ଭକ୍ତ ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ। ଅନୁରୂପ ଭାବେ ମହାପ୍ରଭୁ ବି ଭକ୍ତଙ୍କ ମନବୁଝି ଆଶୀଷ ଢାଳିଦେଇଥିଲେ। କାର୍ଯ୍ୟକ୍ରମକୁ ଇମାମୀ ନଗର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ତଥା ଇମାମୀ ଗ୍ରୁପ୍ରର ଅନ୍ୟତମ ନିର୍ଦ୍ଦେଶକ ସୁଶୀଲ କୁମାର ଗୋୟେଙ୍କାଙ୍କ ତତ୍ତ୍ବାବଧାନରେ ଅତ୍ୟାଧୁନିକ ଆଲୋକ ଓ ପୁଷ୍ପସଜ୍ଜା ସାଙ୍ଗକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶଙ୍ଖ ହୁଳହୁଳି, କରତାଳି, ମୃଦଙ୍ଗ ଓ ଜୟଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଉଠିଥିଲା ଇମାମୀ ନଗର।

ସେହିପରି ଆଜି (ଶୁକ୍ରବାର) ସମସ୍ତ ରୀତିନୀତି ସାଙ୍ଗକୁ ୧୦. ୪୯ ଘଟିକାରେ ପହଣ୍ତି ବିଜେ, ଅପରାହ୍ନ ୨ ଘଟିକା ୫ ମିନିଟ୍‌ ସମୟରେ ଛେରାପହରା, ୪ ଘଟିକା ୩ ମିନିଟ୍‌ରେ ରଥଟଣା, ସନ୍ଧ୍ୟା ୮ ଘଟିକାରେ ଭକ୍ତିମୟ ପରିବେଶରେ ଗୁଣ୍ତିଚା ମନ୍ଦିରରେ ଶ୍ରୀଜିଉ ପ୍ରବେଶ କରିବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ ରଖି ସେମାନଙ୍କ ସୁରକ୍ଷା ନିମନ୍ତେ ସିସିଟିଭି କ୍ୟାମେରା, ସ୍ବାସ୍ଥ୍ୟସେବା, ପାନୀୟଜଳ, ପ୍ରସାଦସେବନ ତଥା ଜିଲ୍ଲା ପ୍ରଶାସନ ଓ ରେମୁଣା ପୁଲିସ୍‌ ପକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।

କାର୍ଯ୍ୟକ୍ରମରେ ଇମାମୀ ଗ୍ରୁପ୍‌ର ସ୍ଥାୟୀ ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକ ଚାୱଲା, ସ୍ଥାନୀୟ ମନ୍ଦିରର ପ୍ରଶାସନିକ ଅଧିକାରୀ ନିଖିଲ ରଞ୍ଜନ ଦାସସାମନ୍ତରାୟ, ସ୍ଥାନୀୟ କାଗଜକଳର ଉପଦେଷ୍ଟା ଏମ୍‌ବିଏସ୍‌ ନାୟାର, ସଭାପତି ଆଶିଷ ଅବିନାଶ ଗୁପ୍ତା, ମୁଖ୍ୟ ସଂଚାଳକ ଡ. ୟୁସୁଫ୍ ଅଲ୍ଲୀ ସୋଲାଙ୍କି, ରାଜେଶ କୁମାର ମିତ୍ତଲ ଡିଜିଏମ୍ ଦେବବ୍ରତ ହୋତା, ଡିଜିଏମ୍ ରମେଶ ଚନ୍ଦ୍ର ଖୁଣ୍ଟିଆ, ଏଜିଏମ୍‌ ଓମ୍ ପ୍ରକାଶ ଶର୍ମା ମନ୍ଦିରର ମୁଖ୍ୟ ପୂଜକ ପ୍ରଦୀପ୍ତ କୁମାର ମିଶ୍ର ପ୍ରମୁଖ ବହୁ ବରିଷ୍ଠ ଅଧିକାରୀଙ୍କ ଦ୍ବାରା କାର୍ଯ୍ୟ ସମ୍ପନ୍ନ ହୋଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ ମନୋଜ କୁମାର ପାଢ଼ୀ ଏକ ପ୍ରେସ୍‌ ବିବୃତ୍ତିରେ ପ୍ରକାଶ କରିଛନ୍ତି।

Spread the love