ଭୁବନେଶ୍ବର ରେଳ ଷ୍ଟେସନ ନବୀକରଣ: ମାର୍ଚ୍ଚ ସୁଦ୍ଧା ପ୍ରଥମ ବିଲ୍‌ଡିଂ

ଭୁବନେଶ୍ବର: ଓଡ଼ିଶାବାସୀଙ୍କ ବହୁ ପ୍ରତୀକ୍ଷିତ ଭୁବନେଶ୍ବର ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ ଚାଲିଛି। ଏଥିପାଇଁ ରେଳଯାତ୍ରୀ ଏବେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷାରେ ଭିଜିବାକୁ ପଡ଼ୁଛି। ଆଶ୍ରୟ ନେବାକୁ ବି ଜାଗା ମିଳୁ ନାହିଁ। ଏଭଳି ସମସ୍ୟା ନଜରକୁ ଆସିବା ପରେ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ପ୍ରବେଶପଥର ପ୍ରଥମ ବିଲଡିଂ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୨୪ ମାର୍ଚ୍ଚ ସୁଦ୍ଧା ୪ ମହଲା ବିଶିଷ୍ଟ ଏହି ବିଲଡିଂ କାମ ଶେଷକରି ଯାତ୍ରୀଙ୍କୁ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିବା ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା କହିଛନ୍ତି। ୩୮୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟେସନ କାମ ୨୦୨୫ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ରେଳ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି। ବିଶ୍ବସ୍ତରୀୟ ହେବାକୁ ଥିବା ଏହି ଷ୍ଟେସନରେ ବିମାନବନ୍ଦର ପରି ସୁବିଧା ଉପଲବ୍ଧ ହେବ।

ରେଳ ଷ୍ଟେସନ୍‌ର ଦୁଇପାର୍ଶ୍ବ, ଯଥା ମାଷ୍ଟରକ୍ୟାଣ୍ଟିନ ଓ କଟକ ରୋଡ ପାର୍ଶ୍ବରେ ଥିବା ପ୍ରବେଶପଥର ବିକାଶ କରାଯିବ। ଉଭୟ ପାର୍ଶ୍ବରେ ଷ୍ଟେସନ ଭିତରକୁ ପ୍ରବେଶ ଲାଗି ଦୁଇଟି ବାଟ ରହିବ ଏବଂ ବାହାରକୁ ଆସିବା ଲାଗି ଯାତ୍ରୀଙ୍କ ଲାଗି ଗୋଟିଏ ବାଟ ରହିବ। ଷ୍ଟେସନ୍‌ରେ ଦୈନିକ ଯେପରି ୧ ଲକ୍ଷ ୪୩ ହଜାର ୪୫ଜଣ ରେଳଯାତ୍ରୀ ଚଳପ୍ରଚଳ ହୋଇପାରିବେ, ସେନେଇ ସୁବିଧା ଉପଲବ୍ଧ ରହିବ। ଏଥିସହ ପ୍ରତିଦିନ ଷ୍ଟେସନ୍‌ରୁ ୭୭ ହଜାର ୫୮୧ ଯାତ୍ରୀଙ୍କ ଯିବା ଲାଗି ବ୍ୟବସ୍ଥା ହେବ। ଷ୍ଟେସନକୁ ସଂଯୋଗ କରୁଥିବା ଫୁଟ୍‌ ଓଭରବ୍ରିଜ୍‌ଗୁଡ଼ିକର ଓସାର ଅଧିକ ରହିବ। ଫଳରେ ଯାତ୍ରୀମାନେ ସୁରୁଖୁରରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବେ। ମୁଖ୍ୟ ପ୍ରବେଶପଥ ବିଲଡିଂ ୧୧ ମହଲା ବିଶିଷ୍ଟ କରାଯିବ। ପ୍ରଥମ ପର୍ଯ୍ୟାୟରେ ଗ୍ରାଉଣ୍ଡ ଫ୍ଲୋର୍‌ ସହ ୪ ମହଲା କାମ ମାର୍ଚ୍ଚ ସୁଦ୍ଧା ଶେଷ କରି ଯାତ୍ରୀଙ୍କ ଅସୁବିଧା ଦୂର କରିବା ଦିଗରେ ପଦକ୍ଷେପ ନିଆଯାଉଥିବା ଶ୍ରୀ ଶର୍ମା ସୂଚନା ଦେଇଛନ୍ତି।

ଦ୍ବିତୀୟ ପର୍ଯ୍ୟାୟରେ ୭ ମହଲା ନିର୍ମାଣ କରାଯିବ। ଷ୍ଟେସନ୍‌ର ପୂର୍ବ ପାର୍ଶ୍ବରେ ଗ୍ରାଉଣ୍ଡ ଫ୍ଲୋର୍‌ ସହ ୪ ମହଲା ଓ ଗ୍ରାଉଣ୍ଡ ଫ୍ଲୋର୍‌ ସହ ୬ ମହଲା ବିଶିଷ୍ଟ ଦୁଇଟି ବିଲଡିଂ କରିବାକୁ ‌ରୂପ‌ରେଖ ପ୍ରସ୍ତୁତ ହୋଇଛି। ପ୍ରବେଶ ଓ ପ୍ରସ୍ଥାନ ପଥରେ ଉଚ୍ଚା ସଡ଼କ ରହିବ। ବିମାନବନ୍ଦର ପରି ଅପେକ୍ଷା ସ୍ଥଳରେ ସିଟ୍‌ଗୁଡ଼ିକ ମଧ୍ୟରେ ଫାଙ୍କା ସ୍ଥାନ ଛଡ଼ାଯିବ। ଲାଉଞ୍ଜ ରହିବ। ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରି ଲାଗି ଷ୍ଟଲ ମଧ୍ୟ ଖୋଲାଯିବ। ଯିବା ଆସିବା ଲାଗି ୪ଟି ଏକ୍ସାଲେଟର ରହିବ ଏବଂ ସେଠାକୁ ପ୍ରାକୃତିକ ଆଲୋକ ପଡ଼ିବାର ସୁବିଧା ଉପଲବ୍ଧ ହେବ। ପ୍ରବେଶ ପଥରୁ ପ୍ଲାଟଫର୍ମକୁ ଯିବା ଲାଗି ଯୋଗଯୋଗର ରାସ୍ତା ସୁଗମ ହେବ। ଭିଡ଼ ସମୟରେ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପ୍ରତି ମଧ୍ୟ ପ୍ରାଥମିକତା ଦିଆଯିବ। ଯାତ୍ରୀଙ୍କୁ ସୂଚନା ଦେବା ଲାଗି ବିମାନବନ୍ଦର ପରି ଡିସ୍‌ପ୍ଲେ ବୋର୍ଡ ଲାଗିବ। ଦିବ୍ୟାଙ୍ଗଙ୍କ ପାଇଁ ଯିବା ଆସିବା ଲାଗି ସୁବିଧା କରାଯିବ। ଷ୍ଟେସନ ଭିତରେ ରେଲୱେ ଅଫିସ୍‌, ପ୍ଲାଟଫର୍ମ, ଫୁଟ୍‌ ଓଭରବ୍ରିଜ୍‌, ରେଲୱେ ୟାର୍ଡ, ଆରପିଏଫ୍‌ ବାରାକ୍‌ସ, ରେଲୱେ କ୍ବାଟର୍ସ, ଗେଷ୍ଟ ହାଉସ୍‌, ପ୍ରଶାସନିକ କାର୍ଯ୍ୟାଳୟ, ପାର୍ସଲ ଅଫିସ୍‌ ଆଦି ରହିବ। ଆଜି ଏହି ପ୍ରତିକ୍ଷୀତ ପ୍ରକଳ୍ପର ଭିତ୍ତିପ୍ରସ୍ତର ପଡ଼ିବା ପରେ ଓଡ଼ିଶାବାସୀ ଏକ ବିଶ୍ବସ୍ତରୀୟ ରେଳଷ୍ଟେସନର ଫାଇଦା ପାଇବେ।

‌ଅନ୍ୟପକ୍ଷରେ ଲିଙ୍ଗରାଜ ଟେମ୍ପଲ ରୋଡ୍‌ ଓ ମଞ୍ଚେଶ୍ବର ରେଳଷ୍ଟେସନର ବିକାଶ ନକ୍ସା ପ୍ରସ୍ତୁତ ସରିଛି। ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଅଗଷ୍ଟ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ କାମ ଆରମ୍ଭ କରାଯିବ। ମଞ୍ଚେଶ୍ୱର ଷ୍ଟେସନ ପାଇଁ ୨୬.୯ କୋଟି ଓ ଲିଙ୍ଗରାଜ ଟେମ୍ପଲ ରୋଡ୍‌ ଷ୍ଟେସନ ବିକାଶ କରିବାକୁ ୧୯.୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୨୦୨୪ ମାର୍ଚ୍ଚ ସୁଦ୍ଧା ଏହି ଦୁଇ ଷ୍ଟେସନର ନବୀକରଣ କାର୍ଯ୍ୟ ଶେଷ ହେବ। ଷ୍ଟେସନର ଦୁଇ ପାର୍ଶ୍ବ ବିକାଶ ହେବ। ପାନୀୟ ଜଳ, ଏସ୍କାଲେଟର, ସପିଂ ଅଞ୍ଚଳ, ଅପେକ୍ଷା ସ୍ଥଳ, କାଫେଟେରିଆ, ୱାଇ ଫାଇ ସୁବିଧା, ଲିଫ୍ଟ, ପାର୍କିଂ ଅଞ୍ଚଳ, ଅଧିକ ସଂଖ୍ୟକ କାଉଣ୍ଟର ଖୋଲାଯାଇ ଯାତ୍ରୀ ଭିଡ଼କୁ କମାଯିବ। ଏଥିସହ ଫୁଟ୍‌ ଓଭରବ୍ରିଜ୍‌, ଶୌଚାଳୟ, ଜଳ ସଂରକ୍ଷଣ, ଆଲୋକୀକରଣ, ସୌନ୍ଦର୍ଯ୍ୟୀକରଣ, ପର୍ଯ୍ୟଟକ ସୂଚନା କେନ୍ଦ୍ର ରହିବ। ଅମୃତ ଭାରତ ଷ୍ଟେସନ ଯୋଜନାର ଦ୍ବିତୀୟ ପର୍ଯ୍ୟାୟରେ ଭୁବନେଶ୍ବର ନ୍ୟୁ ରେଳଷ୍ଟେସନର ନବୀକରଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

Spread the love