ହାଇଦ୍ରାବାଦ ହୁସେନ ସାଗର ସମେତ ଆଉ ୨ଟି ପୁଷ୍କରିଣୀରୁ ମିଳିଲା କରୋନା ଭୂତାଣୁ

କରୋନା ପାଣିରେ ବ୍ୟାପେ ଏହାର ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଧିଷ୍ଟ ପ୍ରମାଣ ନାହିଁ। ତେବେ ହାଇଦ୍ରାବାଦ ହୁସେନ ସାଗର ସମେତ ନିଜାମ ପୋଖରୀ ଓ ପେଡ୍ଡା ଚେରୁବୁ ପୋଖରୀ ପାଣିରେ କରୋନା ଭୂତାଣୁ ମହଜୁଦ ଥିବା ବୈଜ୍ଞାନିକ ପ୍ରଥମ ଥର ଦାବି କରିଛନ୍ତି। ପାଣିରେ କରୋନା ଭାଇରସ ଉପସ୍ଥିତି ଜାଣିବା ଲାଗି ଭାରତୀୟ ରସାୟନିକ ପ୍ରାଦ୍ୟୋଗିକ ସଂସ୍ଥାନ (ଆଇଆଇସିଟି), ହାଇଦ୍ରାବାଦ ସେଣ୍ଟର ଫର ସେଲୁଲାର ଏଣ୍ଡ ମଲିକ୍ୟୁଲାର ବାୟୋଲଜି (ସିସିଏମବି)  ଓ  ଏକାଡେମୀ ଅଫ ସାଇଣ୍ଟିଫିକ୍ ଏଣ୍ଡ ଇନୋଭେଟିଭ ରିସର୍ଚ୍ଚର ଗବେଷକମାନେ ଗତ ୭ ମାସ ହେଲା ଏହି ଅଧ୍ୟାୟନ ଚଳାଇଥିଲେ।

ଏହା ପୂର୍ବରୁ ଗବେଷକ ଦଳ ସିୱେଜ୍‌ ଏବଂ ୱେଷ୍ଟୱାଟରରେ ଭୂତାଣୁର ଉପସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ଏହି କ୍ରମରେ ଗବେଷକମାନେ ପାଣିରେ କରୋନା ଭୂତାଣୁ ଅନୁଧ୍ୟାନ କରିବା ବେଳେ ସହରର ୩ ପ୍ରମୁଖ ଜଳାଶୟରେ କରୋନା ଭୂତାଣୁ ଥିବା ସୂଚିତ କରିଛନ୍ତି। ତେବେ ହାଇଦ୍ରାବାଦ ସହର ବାହାରେ ଥିବା ପୋଖରୀ ଓ ବଡ଼ ଜଳାଶୟମାନଙ୍କରେ ଭୂତାଣୁ ପହଞ୍ଚିପାରି ନଥିବା କୁହାଯାଇଛି।

ତେବେ ହାଇଦ୍ରାବାଦ ଜଳଶୟରେ କରୋନା ଭୂତାଣୁ କଥା ଜଣାପଡିବା ପରେ ଚାଞ୍ଚଲ୍ୟ ଖେଳି ଯାଇଥିଲେ ହେଁ ପାଣିରେ କରୋନା ଭୂତାଣୁ ବ୍ୟାପିବାର ନିର୍ଦ୍ଧିଷ୍ଟ ପ୍ରମାଣ ନଥିବା ଲୋକଙ୍କୁ ଆଶ୍ୱସ୍ତ କରିଛି। ଏହି ଗବେଷକ ଦଳ ଦେଶରେ ପ୍ରଥମ କରୋନା ସଂକ୍ରମଣଠାରୁ ଏପର୍ଯ୍ୟନ୍ତ ସେମାନଙ୍କ ପରୀକ୍ଷଣ ଜାରି ରଖିଛନ୍ତି। ତେବେ ରାଜଧାନୀର କେନ୍ଦ୍ର ସ୍ଥଳରେ ଥିବା ପ୍ରକାଣ୍ଡ ଜଳାଶୟର ପାଣିରେ କରୋନା ଭୂତାଣୁ ନେଇ ଲୋକେଏବେ ବେଶ ସତର୍କତା ଅବଲମ୍ବନ କରୁଛନ୍ତି।

Spread the love