ଫଟୋ ଉଠା ଛାଡ଼ି ନିଆଁରୁ ରୋଗୀଙ୍କୁ ଉଦ୍ଧାର କଲେ ଟିଭି କ୍ୟାମେରାମ୍ୟାନ
ଚେନ୍ନାଇ : ଗତକାଲି ଅପରାହ୍ଣରେ ଚେନ୍ନାଇସ୍ଥିତ ରାଜୀବ ଗାନ୍ଧୀ ସରକାରୀ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବାର ସବିଶେଷ ଖବର ଓ ଫଟୋଚିତ୍ର ସଂଗ୍ରହ ପାଇଁ ସେଠାରେ ପହଞ୍ଚିଯାଇଥିଲେ ଇଣ୍ଡିଆ ଟିଭିର କ୍ୟାମେରାମ୍ୟାନ (ସାମ୍ବାଦିକ) ପ୍ରମୋଦ ମାଧବ ; ତେବେ ସେ ପରିସ୍ଥିତି ଦେଖିବା ପରେ ଫଟୋ ଉଠାଇବା ପରିବର୍ତ୍ତେ ନିଆଁ ଓ ଧୂଆଁରେ ଫସି ଥିବା ରୋଗୀଙ୍କୁ ଉଦ୍ଧାର କାର୍ଯ୍ୟରେ ମାତି ଯାଇଥିଲେ। ଫଟୋ ଉଠାଇବା ସମୟରେ ପ୍ରମୋଦ ଦେଖିଥିଲେ ଅନେକ ବୟସ୍କ ରୋଗୀ ନିଆଁ, ଧୂଆଁ ଘେରରେ ରହିଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ଆବଶ୍ୟକ ଅଗ୍ନିଶମ କର୍ମଚାରୀ ଓ ଉଦ୍ଧାରକାରୀ ନଥିଲେ। ତେଣୁ ଫଟୋ ଉଠା ପରିବର୍ତ୍ତେ ଲୋକଙ୍କ ଜୀବନ ବଞ୍ଚାଇବାକୁ ପ୍ରମୋଦ ପ୍ରାଥମିକତା ଦେଇଥିଲେ। ପ୍ରମୋଦଙ୍କ ଏହି ମାନବିକତା ଅନେକ ରୋଗୀଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇପାରିଥିଲା। ବ୍ୟକ୍ତି ନିଜର ବୃତ୍ତି ଓ କର୍ତ୍ତବ୍ୟ ମଧ୍ୟରେ ମାନବିକତାକୁ ସର୍ବଦା ସ୍ଥାନ ଦେବା ଦରକାର। ଯେଉଁ ବ୍ୟକ୍ତି ନିଜର ବୃତ୍ତି ଓ କର୍ତ୍ତବ୍ୟ ମଧ୍ୟରେ ମାନବିକତାକୁ ସ୍ଥାନ ଦେଇଥାନ୍ତି ସେମାନେ ସାଧାରଣରେ ପ୍ରଶଂସାର ପାତ୍ର ହେବା ସହ ଈଶ୍ବରଙ୍କ କୃପା ଲାଭ କରିଥାନ୍ତି। ପ୍ରମୋଦଙ୍କ ଏପରି ମାନବିକତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।