ସେନାରେ ଭର୍ତ୍ତି ପାଇଁ ଅଧରାତିରେ ଦୌଡୁଥିବା ଯୁବକଙ୍କ ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ ୨୧।୦୩: ସାମାଜିକ ଗଣମାଧ୍ୟମରେ ସଂପ୍ରତି ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳିଛି ଯେ, କେମିତି ଜଣେ ଯୁବକ ସେନାରେ ଭର୍ତ୍ତି ପାଇଁ ରାତିରେ ନୋଏଡା ସଡକରେ ଦୌଡର ଅଭ୍ୟାସ୍ କରୁଛି। ଯୁବକଙ୍କ ନାଁ ହେଉଛି ପ୍ରଦୀପ ମେହରା(୧୯)। ସେ ଉତ୍ତରାଖଣ୍ଡର ଅଲମୋରା ଅଞ୍ଚଳର। ଗତକାଲି ପର୍ଯ୍ୟନ୍ତ ତାଙ୍କୁ କେହି ଜାଣିନଥିଲେ କିନ୍ତୁ ବର୍ତ୍ତମାନ ଏହି ଯୁବକ ଇଣ୍ଟରନେଟ୍‌ ସେନସେସନ ପାଲଟିଛନ୍ତି। ତାଙ୍କର ଇଚ୍ଛାଶକ୍ତି ଏବଂ ସମର୍ପିତ ମନୋଭାବ କୋଟି କୋଟି ଭାରତୀୟଙ୍କ ହୃଦୟ ଜିଣିଛି।

ବର୍ତ୍ତମାନ ଅବସର ପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସତୀଶ ଦୁଆ ଏକ ଭିଡିଓ ଟୁଇଟ୍ କରି ପ୍ରଦୀପ ମେହରାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସେ କହିଛନ୍ତି ଯୁବକଙ୍କ ଉତ୍ସାହ ପ୍ରଶଂସନୀୟ। ତାଙ୍କୁ ଯୋଗ୍ୟତା ଆଧାରରେ ନିଯୁକ୍ତି ପରୀକ୍ଷାରେ ପାସ୍ କରାଇବାରେ ମୁଁ ସାହାଯ୍ୟ କରିବ। ମୁଁ କୁମାଉଁ ରେଜିମେଣ୍ଟର କର୍ଣ୍ଣେଲ ପୂର୍ବ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ରାଣା କଲିତାଙ୍କ  ସହିତ କଥା ହୋଇଛି। ସେ ନିଜ ରେଜିମେଣ୍ଟରେ ଭର୍ତ୍ତି ପାଇଁ ଯୁବକଙ୍କୁ ଆବଶ୍ୟକୀୟ ପ୍ରଶିକ୍ଷଣ ଦେବାକୁ ଯଥା ସମ୍ଭବ ଉଦ୍ୟମ କରିବେ।

ସାମାଜିକ ଗଣମାଧ୍ୟମରେ ଯିଏ ବି ଏହି ଭିଡିଓ ଦେଖୁଛି ଯୁବକଙ୍କ ଉତ୍ସାହକୁ ପ୍ରଶଂସା କରି ରହି ପାରୁନାହାନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ, କେମିତି ଯୁବକ ନିଜ କାନ୍ଧରେ ବ୍ୟାଗ ପକାଇ ସଡକରେ ଦୌଡୁଛନ୍ତି। ରାତି ୧୨ଟାରେ ଯୁବକଙ୍କୁ ଏହି ପରି ଦୌଡୁଥିବା ଦେଖି ବିନୋଦ କାପାଡି ତାଙ୍କୁ ଲିଫ୍ଟ ଦେବାକୁ ଯାଚିଥିଲେ। ମାତ୍ର ଯୁବକ ଜଣ ସ୍ମିତହାସ୍ୟ ଦେଇ ମନା କରି ଦେଇଥିଲେ ଏବଂ କହିଥିଲେ ସେ ଏମିତି ଦୌଡି ଦୌଡି ନିଜ ଘରକୁ ଯିବେ।

ପୁଣି କାପାଡି ପଚାରିଥିଲେ ତୁମେ କଣ କାମ କର ? ଯୁବକ କହିଛନ୍ତି ମୁଁ ନୋଏଡା ସେକ୍ଟର-୧୬ରେ ମ୍ୟାକଡୋନାଲ୍ଡରେ କାମ କରେ। କାପାଡି ଏତେ ରାତିରେ ଦୌଡିବାର କାରଣ ପଚାରିବାରୁ ଯୁବକ କହିଛନ୍ତି, ସେ ସେନାରେ ଭର୍ତ୍ତି ହେବାକୁ ଚାହାନ୍ତି। କାମ କାରଣରୁ ତାଙ୍କୁ ଅଭ୍ୟାସ୍ ପାଇଁ ସମୟ ମିଳୁନାହିଁ। ତେଣୁ ସେ ଡ୍ୟୁଟି ସାରି ଏମିତି ଦୌଡି ଦୌଡି ଘରକୁ ଯାଆନ୍ତି। ଏଥିରେ ତାଙ୍କର ଦୌଡିବାର ଅଭ୍ୟାସ୍ ମଧ୍ୟ ହୋଇ ଯାଉଛି।

ଯୁବକଙ୍କ ଉତ୍ତର ଶୁଣି କାପାଡି ଭାବୁକ ହୋଇ ଯାଇଥିଲେ। ଯୁବକ କହିଛନ୍ତି, ତାଙ୍କ ମାଆଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଛି। ସେ ଏଠାରେ ନିଜ ଭାଇଙ୍କ ସହ ରହୁଛନ୍ତି। ପ୍ରତିଦିନ ଏହି ପରି ୧୦ କିଲୋମିଟର ଦୌଡି ଘରକୁ ଯାଆନ୍ତି।

ଯୁବକଙ୍କ କଥା ଶୁଣି କାପାଡି ତାଙ୍କ ସାହାସକୁ ସଲାମ କରିଛନ୍ତି। ଶେଷରେ ଯୁବକଙ୍କୁ ଅଲ ଦ ବେଷ୍ଟ କହି ନିଜ ରାସ୍ତାରେ ଚାଲି ଯାଆନ୍ତି। କାପାଡି ଭିଡିଓକୁ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ରବିବାର ସେୟାର କରିଛନ୍ତି। ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ପ୍ରାୟ ଏକ ଲକ୍ଷ ୪୦ ହଜାରରୁ ଅଧିକ ଲୋକ ପସନ୍ଦ କରି ସାରିଛନ୍ତି।

Spread the love