ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ୱାରା ଲୋକପ୍ରତିନିଧି ଆଇନ ୧୯୫୦/୧୯୫୧ର ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ କେତେଗୁଡ଼ିଏ ସଂଶୋଧନ କରାଯାଇଛି। ଏହା ଗତକାଲି ଠାରୁ କାର୍ଯ୍ୟକାରୀ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କହିବାନୁଯାୟୀ, ଭୋଟର ତାଲିକାରେ ନାମ ପଞ୍ଜୀକରଣ ଲାଗି କେବଳ ଫର୍ମ ନମ୍ବର-୬ରେ ଆବେଦନ କରାଯିବ। ପ୍ରବାସୀ ଭାରତୀୟ ନାଗରିକମାନେ ନାମ ପଞ୍ଜୀକରଣ ପାଇଁ ଫର୍ମ ନମ୍ବର-୬(କ)ରେ ଆବେଦନ କରିପାରିବେ। ଫର୍ମ ନମ୍ବର-୭ ଦ୍ୱାରା ଭୋଟର ତାଲିକାରୁ ନାମ ବାଦ୍‌ଦେବା ସହିତ ମୃତ୍ୟୁ ପ୍ରମାଣପତ୍ର ସଂଲଗ୍ନ କରାଯାଇପାରିବ।ସେହିପରି ଫର୍ମ ନମ୍ବର-୮ରେ ନିର୍ବଚାନମଣ୍ଡଳୀ ମଧ୍ୟରେ କିମ୍ବା ବାହାରକୁ ବାସସ୍ଥାନ ସ୍ଥାନାନ୍ତର ନିମନ୍ତେ ଆବେଦନ କରିବା, ଭୋଟର ତାଲିକାରେ ଥିବା ବିବରଣୀଗୁଡ଼ିକର ସଂଶୋଧନ, ପରିଚୟପତ୍ର ବଦଳ ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ଚିହ୍ନଟ ନିମନ୍ତେ ଆବେଦନ କରିହେବ।ସେହିପରି ଆଧାର ସଂଯୋଗୀକରଣ ନିମନ୍ତେ ଫର୍ମ ନମ୍ବର-୬(ଖ)ରେ ଆବେଦନ କରାଯିବ। ବୁଥ୍‌ସ୍ତରୀୟ ଅଧିକାରୀ ଭୋଟରଙ୍କଠାରୁ ଆଧାର ତଥ୍ୟ ଫର୍ମ ନମ୍ବର-୬(ଖ)ରେ ସଂଗ୍ରହ କରିବେ। ୨୦୨୩ ଏପ୍ରିଲ ୧ ସୁଦ୍ଧା ତାଲିକାଭୁକ୍ତ ଭୋଟରମାନେ ସେମାନଙ୍କ ଆଧାର ବିବରଣୀ ସମ୍ପୃକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କୁ ଜଣାଇବାକୁ ନିଷ୍ପତ୍ତି ନିଆଯାଇଛି। ଭୋଟର ତାଲିକାରେ ନାମ ପଞ୍ଜୀକରଣ ଲାଗି ୪ଟି ଯୋଗ୍ୟତାସୂଚକ ତାରିଖ ତଥା ଜାନୁୟାରୀ ୧, ଏପ୍ରିଲ ୧, ଜୁଲାଇ ୧ ଏବଂ ଅକ୍ଟୋବର ୧ ତାରିଖ ରହିବ।ପୂର୍ବରୁ କେବଳ ଜାନୁୟାରୀ ୧କୁ ଯୋଗ୍ୟତାସୂଚକ ତାରିଖ ଧରାଯାଉଥିଲା।୧୭ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଯୁବବର୍ଗ ବର୍ତ୍ତମାନ ସେମାନଙ୍କ ନାମ ଭୋଟର ତାଲିକାରେ ପଞ୍ଜୀକରଣ କରିବା ପାଇଁ ଆଗୁଆ ଆବେଦନ କରିପାରିବେ। ଯେଉଁ ନୂତନ ଭୋଟରଙ୍କ ବୟସ ଉପରୋକ୍ତ ୪ଟି ତାରିଖ ସୁଦ୍ଧା ୧୮ ବର୍ଷ ପୂରଣ ହେଉଥିବ ସେମାନେ ନିଜ ନାମ ପଞ୍ଜୀକରଣ କରିପାରିବେ। ଏହା ତିନିି ମାସ ଯାଏ ଚାଲିବ।

Spread the love