ଆଦିବାସୀଙ୍କ ପାରମ୍ପାରିକ ଖାଦ୍ୟ ମଧ୍ୟରୁ ଅନ୍ୟତମ ଚାଉଳ ଚା’

ଚା’ କହିଲେ ସାଧାରଣତଃ ସମସ୍ତେ କ୍ଷୀର ଚା’ ଓ ନାଲି ଚା’କୁ ବୁଝିଥାନ୍ତି। ଏଥି ସହିତ ଲୋମନ୍‌ ଟି, ଗ୍ରୀ ଟି, ମସାଲା ଟି ମଧ୍ୟ ମିଳୁଛି। ହେଲେ କେବେ ଶୁଣିଛନ୍ତି କି ଚାଉଳ ଚା’ କଥା।  ଏବେ ଚାଲିଥିବା ମୟୂରଭଞ୍ଜ ମହୋତ୍ସବରେ ମିଳୁଛି ଏହି ଚାଉଳ ଚା’। ଏବେ ଏହି ଚାଉଳ ଚା’ର ଦିଓ୍ଵାନା ସାଜିଛନ୍ତି ହଜାର ହଜାର ଲୋକ । ଚା’ କହିଲେ ଆମେ ସମସ୍ତେ କ୍ଷୀର ଚା’ ଓ ନାଲି ଚା’କୁ ବୁଝିଥାଉ। ହେଲେ ଚାଉଳ ଚା’ ଶୁଣିକି ଟିକେ ଅଲଗା ଲାଗୁଛି ନା? ଆଜ୍ଞା ହଁ ଇଏ ହେଉଛି ଆଦିବାସୀଙ୍କ ପାରମ୍ପାରିକ ଚାଉଳ ଚା।

ବାରିପଦାର ଐତିହାସିକ ଛଉ ପଡିଆ ହୋଇଉଠିଛି ଉତ୍ସବ ମୁଖର। ଚାଲିଛି ମୟୂରଭଞ୍ଜ ମହୋତ୍ସବ। ମୟୂରଭଞ୍ଜ ଜିଲ୍ଲାର ପାରମ୍ପାରିକ ନୃତ୍ୟ ଓ ସଂଗୀତରେ ମତୁଆଲା ହୋଇ ଉଠିଛନ୍ତି ସମଗ୍ର ଜିଲ୍ଲାବାସୀ। ଏଥି ସହିତ ଶିତୁଆ ରାତିରେ ମୁଢି ମାଂସର ଆସର ମଧ୍ୟ ମହୋତ୍ସବରେ ଖୁବ ଜମୁଛି। କେବଳ ମୁଢି ମାଂସ ନୁହଁ, ପାରମ୍ପାରିକ ଆଦିବାସୀ ଖାଦ୍ୟ ମଧ୍ୟ ସାଜିଛି ଦର୍ଶକଙ୍କ ପ୍ରଥମ ପସନ୍ଦ। ସେ ମଧ୍ୟରୁ ଚାଉଳ ଚା’ ଅନ୍ୟତମ। ପ୍ରଥମ କରି ମହୋତ୍ସବରେ ଏଭଳି ନିଆରା ଚାହା ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଇଏ ହେଉଛି ମୟୂରଭଞ୍ଜ ମହୋତ୍ସବର ଷ୍ଟଲ ନମ୍ବର ଥାର୍ଟି ଥ୍ରୀ। ଏଠି ଖୋଲିଛି ଆଦିବାସୀ ହାଣ୍ଡିଶାଳ। ବିଭିନ୍ନ ପାରମ୍ପାରିକ ଆଦିବାସୀ ଖାଦ୍ୟ ସହ ଏଠି ମିଳୁଛି ଚାଉଳ ଚା’। ଚା’ କପ୍‌କୁ ୨୦ ଟଙ୍କା। ଆଉ ଶୀତୁଆ ସନ୍ଧ୍ୟାରେ ଏଭଳି ଚା’ ସମସ୍ତଙ୍କୁ ମତୁଆଲା କରୁଛି। ଏହି ଚା’ରେ ରହିଛି ବହୁ ଔଷଧୀୟ ଗୁଣ।

ପ୍ରକୃତିର ଭଣ୍ଡାର ଜଙ୍ଗଲ ସମାଜ ପାଇଁ ଭିନ୍ନ ଭିନ୍ନ ରୁତୁରେ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ଫଳ, ପୁଷ୍ପ ପତ୍ର ମାଧ୍ୟମରେ ଲୋକଙ୍କୁ ଯୋଗାଇଥାଏ। କେବଳ ଆଦିବାସୀ ସମ୍ପ୍ରଦାୟର ଲୋକେହିଁ ଏହାର ସୁଫଳ ନେଇଥାନ୍ତି। ଏଭଳି ମହୋତ୍ସବରେ ଲୋକଙ୍କ ନିକଟରେ ସେହି ପାରମ୍ପାରିକ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ନେଇ ଆସିଛନ୍ତି ଶିକ୍ଷିତ ଆଦିବାସୀ ମହିଳା ମାନେ। ଚେଷ୍ଟା କରିଛନ୍ତି ପ୍ରାକୃତିକ ଖାଦ୍ୟ ଖାଇ କିଭଳି ସୁସ୍ଥ ରହିହେବ ସେନେଇ ଲୋକଙ୍କୁ ସଚେତନ କରିବାକୁ। ଏହି ଚା’ରେ ବହୁ ଔଷଧୀୟ ଗୁଣ ରହିଥିବା ଦାବି କରିଛନ୍ତି ଏହି ମହିଳା ମାନେ। ସମଗ୍ର ଦେଶରେ ପ୍ରଚାର ପ୍ରସାରର ଲକ୍ଷ୍ୟ ରଖିଛନ୍ତି ଏମାନେ। ଏହି ଚା’ର ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ବେଶ ଭିନ୍ନ। ମାଟି ପାତ୍ରରେ ଦେଶୀ ଚାଉଳ ସାଙ୍ଗକୁ ଗୁଡରୁ ପ୍ରସ୍ତୁତ ହୁଏ ଏହି ଚା’। ସାଙ୍ଗରେ ଗୋଲମରିଚ, ଅଳେଇଚ ଓ ତେଜପତ୍ର ଏହାର ସ୍ୱାଦକୁ ବଢାଇ ଦେଇଥାଏ।

କେବଳ ଯେ ମୟୂରଭଞ୍ଜ ବାସୀ ଏହି ମହୋତ୍ସବକୁ ଉପଭୋଗ କରୁଛନ୍ତି ତା’ ନୁହେଁ, ପଶ୍ଚିମବଙ୍ଗ ଓ ଝାରଖଣ୍ଡର ଲୋକଙ୍କ ପାଇଁ ଏହି ମହୋତ୍ସବ ମନୋରଞ୍ଜନର ଖୋରାକ ଯୋଗାଇଛି। ଏଥିସହିତ ମୁଢି ମାଂସ ଓ ଏହି ପାରମ୍ପାରିକ ଆଦିବାସୀ ଖାଦ୍ୟର ମୋହ ସମସ୍ତଙ୍କୁ ଟାଣି ଆଣୁଛି ଏହି ମହୋତ୍ସବକୁ।

Spread the love