କୋଭିଡ୍ ଭାଇରସ୍ ଧନୀକୁ କଲା ଧନୀ- ଗରିବଙ୍କୁ କରିଛି ଆହୁରି ଗରିବ, ହୁ ହୁ ହୋଇ ବଢିଛି ବିଶ୍ଵର ୧୦ ସବୁଠୁ ଧନୀଙ୍କ ସମ୍ପତ୍ତି

ଭୁବନେଶ୍ଵର ୧୭।୦୧: କୋଭିଡ୍ ଭାଇରସ୍ ଧନୀକୁ ଧନୀ କରିଛି- ଗରିବକୁ ଆହୁରି କରିଛି । ଗତ ବର୍ଷକ ଭିତରେ ସାରା ବିଶ୍ବକୁ କୋଭିଡ ଭାଇରସ୍ ଆକ୍ତାମାକ୍ତା କରିଛି, ୯୯ ପ୍ରତିଶତ ଲୋକଙ୍କ ଆୟ କମିଛି, ଠିକ ସେତିକି ବେଳେ ବିଶ୍ବର ୧୦ ସବୁଠୁ ଧନୀ ସେମାନଙ୍କ ସମ୍ପତ୍ତି ଦିଗୁଣ କରିଛନ୍ତି । ବିଶ୍ବର ୧୦ ସବୁଠୁ ଧନୀଙ୍କ ସମ୍ପତ୍ତି ୭ଶହ କୋଟି ଡଲାରରୁ ୧୫ଶହ କୋଟି ଡଲାର ପହଞ୍ଚି ଯାଇଛି । କହିବାକୁ ଗଲେ ଏମାନଙ୍କ ସମ୍ପତ୍ତି ପ୍ରତି ସେକେଣ୍ଡରେ ୧୫ ହଜାର ଡଲାର, ମାନେ ଦିନକୁ ୧୩୦କୋଟି ଡଲାର ହିସାବରେ ବଢିଛି । ଆଉ ଏପଟେ ୯୯ ପ୍ରତିଶତ ଲୋକ ଗରିବ ହୋଇ ଯାଇଛନ୍ତି । ବିଶ୍ବର ୩୧୦କୋଟି ସବୁଠୁ ଗରିବଙ୍କ ସମ୍ପତ୍ତିରର ୬ ଗୁଣ ସମ୍ପତ୍ତି ରହିଛି ଏହି ୧୦ଜଣଙ୍କ ପାଖରେ । କୋଭିଡ କୋପରେ ଯେତେବେଳେ ବିଶ୍ବରେ ପ୍ରତି ସେକେଣ୍ଡରେ ଜଣେ ବ୍ୟକ୍ତି ଆଖି ବୁଜୁଥୁଲେ,ସେତେବେଳେ ପ୍ରତି ୨୬ ଘଣ୍ଟାରେ ତିଆରି ହୋଇଛନ୍ତି ଜଣେ ନୂଆ କୋଟିପତି ।

World economic forumର  ସଦ୍ୟ ପ୍ରକାଶିତ Enequlity Survey ରିପୋର୍ଟରେ ରହିଛି ଏମିତି କିଛି ତଥ୍ୟ ଯାହା ବିଶ୍ବର ବିଷମତାକୁ ଦର୍ଶାଉଛି । ଭାରତର ଚିତ୍ର ମଧ୍ୟ ଠିକ ସେହିଭଳି । ୨୦୨୧ରେ କୋଭିଡ କଷଣରେ ଯେତେବେଳେ ସାରା ଭାରତ ତ୍ରାହି ତ୍ରାହି ଡାକୁଥିଲା, ସେହି ସମୟରେ ଦେଶର ଟପ୍ ଶହେ କୋଟିପତି ସେମାନଙ୍କ ସମ୍ପତ୍ତିକୁ ଦିଗୁଣ କରିଛନ୍ତି । ଗତ ୧୨ ମାସ ଭିତରେ ଦେଶରେ ଅରବପତିଙ୍କ ସଂଖ୍ୟା ୧୦୨ରୁ ବଢି ହୋଇଛି ୧୪୨। ଭାରତର ଏହି ୧୪୨ ଅରବପତିଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୫୩ଲକ୍ଷ କୋଟି ଟଙ୍କା ପହଞ୍ଚି ଯାଇଥିବା ବେଳେ ଦେଶର ୮୪ପ୍ରତିଶତ ଲୋକ ସେମାନଙ୍କ ଆୟ ହରାଇଛନ୍ତି । ଅକ୍ସଫାମ୍ ର ରିପୋର୍ଟ ଅନୁଯାୟୀ, ଭାରତର ୯୮ ଜଣ ଧନୀଙ୍କ ସମ୍ପତ୍ତି ଦେଶର ୬୦କୋଟି ଗରିବଙ୍କ ସମ୍ପତ୍ତି ସହ ସମାନ ।

ଦେଶର ସବୁଠୁ ଧନୀ ରିଲିଆନ୍ସ କମ୍ପାନୀ ମାଲିକ ମୁକେଶ ଆମ୍ବାନୀଙ୍କ ସମ୍ପତ୍ତି ମୂଲ୍ୟ ୯୨୭୦କୋଟି ଡଲାର ବା ପ୍ରାୟ ୭ଲକ୍ଷ କୋଟି ଟଙ୍କା । ଦେଶର ଦ୍ବିତୀୟ ଧନୀ ଗୌତମ ଆଦାନୀ ୭୪୮୦କୋଟି ଡଲାର ବା ପ୍ରାୟ ୫.୬ ଲକ୍ଷ କୋଟି ଟଙ୍କାର ମାଲିକ । ତୃତୀୟ ଧନୀ ଶିବ ନାଦାରଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୩୧୦୦କୋଟି ଡଲାର ବା ପ୍ରାୟ୨.୩ଲକ୍ଷ କୋଟି ଟଙ୍କା । ୨୦୨୧ କୋଭିଡ କାଳ ପରେ ଆର୍ଥିକ ବିଷମତା ଅତି ସ୍ପଷ୍ଟ ହୋଇଛି। ଭାରତର ୧୦ପ୍ରତିଶତ ଧନୀକଙ୍କ ହାତରେ ରହିଛି ୬୪ପ୍ରତିଶତ ସମ୍ପତ୍ତି । ଆଉ ଏପଟେ ଦେଶର ୫୦ପ୍ରତିଶତ ଗରିବଙ୍କ ପାଖରେ ରହିଛି ମାତ୍ର ୫.୯ପ୍ରତିଶତ ସମ୍ପତ୍ତି । ଦେଶର ୧୦ପ୍ରତିଶତ ଧନୀକଙ୍କ ପାଖରେ କେତେ ସମ୍ପତ୍ତି ଅଛି ତାକୁ କିଛି ସହଜ ଅଙ୍କ ମାଧ୍ୟମରେ ବୁଝିହେବ।

ଏହି ୧୦ପ୍ରତିଶତ ଧନୀକଙ୍କ ଉପରେ ଯଦି ଅତିରିକ୍ତ ୧ପ୍ରତିଶତ ଟିକସ ଲଗାଯାଏ ତେବେ ଏଥିରୁ ଯେଉଁଅର୍ଥ ମିଳିବ ସେଥିରେ ୧୮ଲକ୍ଷ ଅକ୍ସିଜେନ୍ ସିଲିଣ୍ଡର ଯୋଗାଣ ହୋଇ ପାରିବ । ପୁଣି ଦେଶର ମାତ୍ର ୯୮ ଅରବପତିଙ୍କ ଉପରେ ଯଦି ଅତିରିକ୍ତ ୧ପ୍ରତିଶତ ଟିକସ ଲଗାଯାଏ ତେବେ ସେଥିରେ ଆୟୁଷ୍ମାନ ଭାରତ ଭଳି ଯୋଜନା ୭ବର୍ଷ ଚାଲିପାରିବ। ଦେଶର ୯୮ ଜଣ ଅରବପତିଙ୍କ ଉପରେ ଯଦି ୪ପ୍ରତିଶତ ଅତିରିକ୍ତ ଟିକସ ଲଗାଯାଏ ତେବେ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ସବୁ ଯୋଜନା ୨ବର୍ଷ ଧରି ଚାଲିପାରିବ । ୯୮ ଜଣ ଅରବପତିଙ୍କ ଉପରେ ୧ପ୍ରତିଶତ ଟିକସ, ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚାଇ ପାରିବ,ସେହିଭଳି ୪ପ୍ରତିଶତ ଅତିରିକ୍ତ ଟିକସ ,ମିଡ ଡେ ମିଲ୍ଯୋଜନାରୁ ୧୭ବର୍ଷ ଧରି ଚଲାଇ ପାରିବ ।

Spread the love