ଆର୍ଜେଣ୍ଟିନାରୁ ଫିଫା ବିଶ୍ୱକପ୍‌ ହାରିବା ପରେ ଫ୍ରାନ୍ସରେ ଭୀଷଣ ଦଙ୍ଗା

କତାରରେ ଆୟୋଜିତ ଫିଫା ବିଶ୍ୱକପରେ ଆର୍ଜେଣ୍ଟିନାଠାରୁ ପରାସ୍ତ ହେବା ପରେ ଫ୍ରାନ୍ସର ଅନେକ ସହରରେ ଭୀଷଣ ଦଙ୍ଗା ସୃଷ୍ଟି ହୋଇଛି। ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ ସହ ଲିୟନ, ନାଇସ୍‌ ଆଦି ସହରରେ ବିଭିନ୍ନ ସ୍ଥାନରେ ଦଙ୍ଗା ପରିସ୍ଥିତି ଦେଖାଦେଇଛି। ଲୋକମାନେ ସହରମାନଙ୍କରେ ହେଉଥିବା ଭଙ୍ଗାରୁଜା ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଭିଡିଓଗୁଡ଼ିକୁ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ଜଣେ ୟୁଜର ଟ୍ୱିଟ୍ କରିଛନ୍ତି, ‘ଫ୍ରାନ୍ସର ଲିୟନ ସହରରେ ଦଙ୍ଗା ଆରମ୍ଭ ହେବା ପରେ ଲୋକ ମାନେ ନିଜ କାରରେ ବସି ପଳାଇ ଯାଉଛନ୍ତି। ବାସ୍ତବରେ, ଏହା ବହୁତ ଦୁଃଖଦାୟକ, ଭୁଲ ଏବଂ ଗ୍ରହଣୀୟ ନୁହେଁ। ଦୁନିଆ ପାଗଳ ହେଉଥିବା ନଜର ଆସୁଛି’। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ବିଶ୍ୱକପ ଫାଇନାଲରେ ଜାତୀୟ ଦଳର ପରାଜୟ ପରେ ଫ୍ରାନ୍ସରେ ହିଂସାତ୍ମକ ଦଙ୍ଗା ଘଟୁଛି’।

ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ, ଫ୍ରାନ୍ସରେ ସାର୍ବଜନିକ ସ୍ଥାନରେ ଫାଇନାଲ ମ୍ୟାଚ୍ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା। ଏଥିପାଇଁ ବହୁ ସଂଖ୍ୟାରେ ଲୋକେ ମ୍ୟାଚ୍ ଦେଖିବା ପାଇଁ ରେଷ୍ଟୁରାଣ୍ଟ ଏବଂ ବାର୍‌ରେ ଏକାଠି ହୋଇଥିଲେ। କିନ୍ତୁ ଫ୍ରାନ୍ସର ପରାଜୟ ପରେ ଲୋକ ମାନେ ଉତ୍ତେଜିତ ହୋଇ ହିଂସାତ୍ମକ କାଣ୍ଡ ଘଟାଇବା ଆରମ୍ଭ କରିଥିଲେ। ଏହାପରେ ପୋଲିସ ଦଙ୍ଗାକୁ ବନ୍ଦ କରିବା ପାଇଁ ଫୁଟବଲ ଫ୍ୟାନ୍‌ ମାନଙ୍କ ଉପରକୁ ଟିୟର ଗ୍ୟାସ୍‌ ଛାଡ଼ିଥିଲା। ଲିୟନ ସହରରେ କିଛି ଏହି ପ୍ରକାରର ହିଂସା ଦେଖିବାକୁ ମିଳିଛି। କେତେକ ରିପୋର୍ଟରେ କୁହାଯାଇଛି ଯେ ଦଙ୍ଗାକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ପାଣି ସ୍ପ୍ରେ ମଧ୍ୟ କରିବାକୁ ପଡ଼ିଥିଲା। ଲିୟନ ପୋଲିସ ବହୁ ସଂଖ୍ୟକ ଲୋକଙ୍କୁ ଗିରଫ କରିଛି। ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଭିଡିଓରେ ଫ୍ରାନ୍ସର ନାଇସ୍‌ ସହରରେ ହିଂସା ସ୍ପଷ୍ଟ ଭାବରେ ନଜର ଆସୁଛି। ସୂଚନା ରହିଛି, ଲୋକ ମାନେ ଏଠାରେ ପୋଡ଼ାଜଳା ମଧ୍ୟ କରିଛନ୍ତି। ରବିବାର ପୂରା ଫ୍ରାନ୍ସରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ୧୪,୦୦୦ରୁ ଅଧିକ ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଛି।

Spread the love