ସିକ୍ସର କିଙ୍ଗ୍ ରୋହିତ ଶର୍ମା : ଭାଙ୍ଗିଲେ ସାହିଦ ଆଫ୍ରିଦିଙ୍କ ଏହି ବଡ ରେକର୍ଡ

ନୂଆଦିଲ୍ଲୀ, ୦୭|୦୮:  ଭାରତୀୟ ଦଳ ଓ୍ୱେଷ୍ଟ୍ ଇଣ୍ଡିଜକୁ  ଚତୁର୍ଥ ଟି୨୦ରେ ପରାସ୍ତ କରିଛି । ଏହାସହ ସିରିଜକୁ ୩-୧ରେ ଆଗୁଆ ଦଖଲ କରିନେଇଛି । ଏବେ ଉଭୟ ଦଳ ମଧ୍ୟରେ ଶେଷ ତଥା ପଞ୍ଚମ ଟି୨୦ ଫ୍ଲୋରିଡାରେ ରବିବାର ଖେଳାଯିବ । ଚତୁର୍ଥ ଟି୨୦ରେ ଅଧିନାୟକ ରୋହିତ ଶର୍ମା ଭଲ ଆରମ୍ଭ କରିଥିଲେ । କିନ୍ତୁ ଅର୍ଧଶତକ ହାସଲ କରିପାରିନଥିଲେ । ସେ ୧୬ ବଲରୁ ବିସ୍ଫୋରକ ୩୩ ରନ୍ କରିଥିଲେ । ଏଥିରେ ଦୁଇଟି ଚଉକା ଓ ତିନି ଛକା ସାମିଲ ଥିଲା । ଏହି ଇନିଂସ ସହ ସେ ଏକ ବିରାଟ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ରୋହିତ ଏବେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା ଲଗାଇବା ମାମଲାରେ ଦ୍ୱିତୀୟ ସ୍ଥାନରେ ପହଁଚିଛନ୍ତି । ସେ ପାକିସ୍ତାନର ପୂର୍ବତନ ଖେଳାଳି ସାହିଦ ଆଫ୍ରିଦିଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ରୋହିତଙ୍କ ନାମରେ ଅନ୍ତର୍ଜାତୀୟ କ୍ରିକେଟରେ ୪୦୯ ମ୍ୟାଚରେ ମୋଟ୍ ୪୭୭ ଛକା ରହିଛି । ତେବେ ସାହିଦ ଆଫ୍ରିଦି ୫୨୪ ମ୍ୟାଚରୁ ୪୭୬ ଛକା ଲଗାଇଥିଲେ ।

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା ଲଗାଇବାର ରେକର୍ଡ ୟୁନିଭର୍ସ ବସ୍ କ୍ରିସ୍ ଗେଲଙ୍କ ନାଁରେ ରହିଛି । ସେ ଏବେସୁଦ୍ଧା ୫୫୩ଟି ଛକା ଲଗାଇଛନ୍ତି । ତେବେ ରୋହିତଙ୍କ ପାଖରେ ଛକା ମାମଲାରେ ଗେଲଙ୍କୁ ପଛରେ ପକାଇବାର ସୁଯୋଗ ରହିଛି । କାରଣ ଗେଲ୍ ଏବେ ଆଉ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳୁନାହାଁନ୍ତି । ଏହି ମାମଲାରେ ଚତୁର୍ଥ ସ୍ଥାନରେ ଅଛନ୍ତି ନ୍ୟୁଜିଲାଣ୍ଡ ବ୍ୟାଟର୍ ବ୍ରେଣ୍ଡନ୍ ମ୍ୟାକକୁଲମ୍ । ତାଙ୍କ ପଛକୁ ମାର୍ଟିନ୍ ଗୁପ୍ଟିଲ୍ ରହିଛନ୍ତି ।

Spread the love