ଆମ ବିନା ବିରୋଧୀ ଏକତା ସମ୍ଭବ ନୁହେଁ : କଂଗ୍ରେସ

ନୂଆଦିଲ୍ଲୀ: ବିଜେପିକୁ ହଟାଇବାକୁ ବିରୋଧୀ ଦଳଙ୍କ ଏକତା ପାଇଁ  ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦେଇଥିବା ବୟାନର ପ୍ରତିକ୍ରିୟା ରଖିଛି କଂଗ୍ରେସ । କଂଗ୍ରେସ ନିଜର ଭୂମିକା ଜାଣିଛି ଓ ଏହା ବିନା ବିରୋଧୀ ଏକତା ସମ୍ଭବ ନୁହେଁ ବୋଲି ଦଳ କହିଛି । ଆସନ୍ତା ସପ୍ତାହରେ ଛତିଶଗଡ଼ରେ ହେବାକୁ ଥିବା ଦଳର ତିନି ଦିନିଆ ପୂର୍ଣ୍ଣାଙ୍ଗ ଅଧିବେଶନରେ ଦଳର ଶୀର୍ଷ ନେତାମାନେ ବିରୋଧୀ ଏକତା ଉପରେ ଆଲୋଚନା କରିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଆସନ୍ତା ୨୪ ତାରିଖରୁ ଛତିଶଗଡ଼ର ନବ ରାୟପୁରଠାରେ ଏହି ସମ୍ମିଳନୀ ଆରମ୍ଭ ହେବ ଏବଂ ଏଥିରେ ପାଖାପାଖି ୧୫ ହଜାର ପ୍ରତିନିଧି ଯୋଗଦେବେ ବୋଲି ଆଶା କରାଯାଉଛି ।

କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି)କୁ ହଟାଇବା ଏବଂ ବିଭିନ୍ନ ବିରୋଧୀ ଦଳକୁ ଏକାଠି କରି ମେଣ୍ଟ କରିବାରେ କଂଗ୍ରେସର ଭୂମିକା ବିଷୟରେ ଭଲ ଭାବେ ଜାଣିଛି । ସେ କହିଛନ୍ତି ଯେ କଂଗ୍ରେସ ବିଭିନ୍ନ ରାଜନୈତିକ ଦଳ ସହ ଯୋଗାଯୋଗରେ ରହିଛି । ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ପାଇଁ କଂଗ୍ରେସ ପକ୍ଷରୁ ସ୍ପଷ୍ଟ ପଦକ୍ଷେପ ନିଆଯାଇଛି ଏବଂ ୨୦୨୪ ନିର୍ବାଚନରେ ଆମେ ନିଶ୍ଚିତ ଭାବେ ସେମାନଙ୍କୁ ବିଜେପି ବିରୋଧରେ ଏକାଠି କରିବୁ ।

Spread the love