ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ ହେଲା ‘ରୋପୱେ’

ଭୁବନେଶ୍ବର: ୧୨ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ନନ୍ଦନକାନନ ‘ରୋପୱେ’ର ଉଦ୍‌ଘାଟନ ହୋଇଛି। ଆସନ୍ତାକାଲି (ଶନିବାର) ଠାରୁ ଏଠାରେ ହ୍ରଦ ଉପରେ ରଶିରେ ଝୁଲୁଥିବା ବାକ୍ସ ଭିତରେ ବସି ପର୍ଯ୍ୟଟକମାନେ ପ୍ରକୃତିକ ସୌନ୍ଦର୍ଯ୍ୟର ଆନନ୍ଦ ନେବେ। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହାକୁ ଆଜି ଅପରାହ୍ନରେ ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି। ‘ରୋପୱେ’ର ଟିକେଟର ମୂଲ୍ୟ ରହିଛି ୧୨୦ ଟଙ୍କା। ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରୁଛି ଏହି ରୋପ୍ ୱେ। କାଞ୍ଜିଆ ହ୍ରଦର ମଜା, ପ୍ରାକୃତିକ ସୌନଦର୍ଯ୍ୟର ମନୋରମା ଦୃଶ୍ୟ ଦେଖିପାରିବେ ପର୍ଯ୍ୟଟକ। ସୋମବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ବନ୍ଦ ଥିବାରୁ ବାକି ୬ ଦିନ ସକାଳ ୮ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରୋପ ୱେର ମଜା ଉଠାଇ ପାରିବେ ପର୍ଯ୍ୟଟକ। ଉଭୟ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପାଶ୍ୱରୁ ସୁବିଧା ପାଇପାରିବେ ପର୍ଯ୍ୟଟକ।

ତେବେ ଟିକେଟର ପ୍ରବେଶ ମୂଲ୍ୟ ୧୨୦ ଟଙ୍କା ରହିଥିବା ବେଳେ ଯେଉଁ ପର୍ଯ୍ୟଟକମାନେ ପ୍ରାଣୀ ଉଦ୍ୟାନର ରାଜ୍ୟ ଉଦ୍ଭିଦ ଉଦ୍ୟାନ ବୁଲିବାକୁ ଚାହୁଛନ୍ତି ସେମାନେ ଅଧିକ ୨୦ ଟଙ୍କା ଅଧିକ ଦେବାକୁ ପଡ଼ିବ। ଅର୍ଥାତ ୧୪୦ ଟଙ୍କା ଦେବାକୁ ପଡିବ। କିନ୍ତୁ ୧୨ବର୍ଷରୁ କମ ପିଲାଙ୍କୁ ଶୁଳ୍କ ଲାଗୁ ହେବନାହିଁ। ସେହିପରି ଭାବରେ ରାଜ୍ୟ ଉଦ୍ଭିଦ ଉଦ୍ୟାନରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ରୋପ ୱେରେ ବୁଲିବାକୁ ଆସିଲେ ଅଧିକ ୫୦ ଟଙ୍କା ଅଧିକ ଦେବା ଆବଶ୍ୟକ। ଅର୍ଥାତ ୧୭୦ ଟଙ୍କା ଦେବାକୁ ପଡିବ। ଏହା ସହ ୩ ବର୍ଷରୁ ୧୨ ବର୍ଷ ପିଲାଙ୍କୁ ୧୦ ଟଙ୍କା ଦେବାକୁ ପଡ଼ିବ। ଏହା ସମେତ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ୧୦୦ ଟଙ୍କା ଅଧିକ ଦେବାକୁ ପଡ଼ିବ। ଅର୍ଥାତ ୨୨୦ ଟଙ୍କା ଦେବାକୁ ପଡିବ। ଉଭୟ ସୁବିଧା ପାଇଁ ରୋପୱେ କାଉଣ୍ଟର ନିକଟରେ ସ୍ୱତନ୍ତ୍ର କାଉଣ୍ଟରରେ ଟିକେଟ୍‍ ରହିଛି। ସକାଳ ୮ ଟା ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଟିକେଟ ମିଳିବ ସହ ପର୍ଯ୍ୟଟକ ରୋପ ୱେ ର ମଜା ନେଇପାରିବେ।

ସୂଚନା ଅନୁଯାୟୀ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୯୮୮ ମସିହାରେ ରୋପ ୱେ ଚାଲିବା ପାଇଁ ଭୂମିପୂଜନ କରାଯାଇ ୧୯୯୪ ମସିହା ଅକ୍ଟୋବର ୨୦ ତାରିଖରେ ଏହାର କାର୍ଯ୍ୟକ୍ଷମ ହୋଇଥିଲା। ତେବେ କିଛି ବର୍ଷ ଚାଲିଲା ପରେ ୨୦୧୧ ମସିହାରେ ଏହାକୁ ଅସୁରକ୍ଷିତମନେ କରି ଏହା ବନ୍ଦ କରି ଦିଆଯାଇଥିଲା। ଦୀର୍ଘ ୧୨ ବର୍ଷ ପରେ ପୁଣିଥରେ କାର୍ଯ୍ୟକ୍ଷମ ହୋଇଛି। ଏହି ରୋପ ୱେରେ ମୋଟ ୧୨ଟି କ୍ୟାବିନ ରହିଛି।ପ୍ରତ୍ୟେକ କ୍ୟାବିନରେ ୬ ଜଣ ବସିବାର ସୁବିଧା ରହିଛି।

Spread the love