୪ ଶ୍ରମିକଙ୍କ ମୃତ୍ୟୁ ଘଟଣା: ଆରଏସପିର ୨ ଡିଜିଏମ୍‌ ପାହ୍ୟା ଅଧିକାରୀ ନିଲମ୍ବିତ

ରାଉରକେଲା ଇସ୍ପାତ କାରଖାନାରେ (ଆରଏସପି) ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ୪ ଜଣଙ୍କ ମୃତ୍ୟୁ ଘଟଣାରେ କାରଖାନାର ୨ ଡିଜିଏମ୍‌ ପାହ୍ୟା ଅଧିକାରୀ ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ଇଏମ୍‌ଡି ବିଭାଗର ଗୋପବନ୍ଧୁ ବାରିକ୍ ଓ ସିସିଡି ମେକାନିକାଲ ବିଭାଗର ନବେନ୍ଦୁ ଦାଶଙ୍କୁ କାରଖାନା କର୍ତ୍ତୃପକ୍ଷ ନିଲମ୍ବନ କରିଛନ୍ତି। ଆରଏସପି ସିଇଓ ଦୀପକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ମୃତକ ପରିବାରକୁ ନିୟମାନୁଯାୟୀ କ୍ଷତିପୂରଣ ରାଶି ପ୍ରଦାନ ସହ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ଚାକିରି ଦିଆଯିବ।  ସେହିଭଳି ମୃତକଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିବା ଠିକା ସଂସ୍ଥା  ଷ୍ଟାର କନଷ୍ଟ୍ରକ୍ସନ ପକ୍ଷରୁ ପ୍ରତ୍ୟେକ ମୃତକ ପରିବାରକୁ ଅଢେଇ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଅନ୍ତିମ ସଂସ୍କାର ପାଇଁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ । ବିଭିନ୍ନ ଶ୍ରମିକ ସଙ୍ଗଠନର ପ୍ରତିନିଧି, ଠିକା ସଂସ୍ଥା ଓ ଆରଏସପି କର୍ତ୍ତୃପକ୍ଷଙ୍କ ମିଳିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହି ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଶୋକ ଓ ସମବେଦନା ଜଣାଇଛନ୍ତି।‌  ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏଥିସହ ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଶ୍ରମିକମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Spread the love