ସେପ୍ଟେମ୍ବରରୁ ରାଉରକେଲା-କୋଲକାତା ବିମାନସେବା

ରାଉରକେଲା: ରାଉରକେଲାରୁ କୋଲକାତାକୁ ବିମାନ ‌ଉଡ଼ାଣ ନେଇ ନା ନା କଳ୍ପନାଜଳ୍ପନା ଲାଗି ରହିଥିଲା। ତେବେ ଏହି ଆଶାଆଶଙ୍କାର ଅନ୍ତ ହୋଇଛି। ସେପ୍ଟେମ୍ବର ପହିଲାରୁ କୋଲକାତାକୁ ବିମାନ ସେବା ଆରମ୍ଭ ହେବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଲିଆନ୍ସ ଏୟାର୍‌ ପକ୍ଷରୁ ରାଉରକେଲା-ଭୁବନେଶ୍ବର ମଧ୍ୟରେ ଚଳାଚଳ କରୁଥିବା ଏଟିଆର୍‌-୭୨କୁ ହିଁ କୋଲକାତା ପର୍ଯ୍ୟନ୍ତ ସଂପ୍ରସାରିତ କରାଯାଇଛି। ସପ୍ତାହରେ ୪ ଦିନ ​ଏହା କୋଲକାତାରୁ ବାହାରି ରାଉରକେଲା ଦେଇ ଭୁବନେଶ୍ବର ଯିବ ଓ ପୁଣି ଭୁବନେଶ୍ବରରୁ ରାଉରକେଲା ଦେଇ କୋଲକାତା ଫେରିବ। ସେହିପରି ଆଉ ୩ ଦିନ ଏହା କୋଲକାତାରୁ ବାହାରି ଭୁବନେଶ୍ବର ଦେଇ ରାଉରକେଲା ଆସିବ ଓ ପୁଣି ଫେରନ୍ତା ପଥରେ ରାଉରକେଲାରୁ ବାହାରି ଭୁବନେଶ୍ବର ଦେଇ କୋଲକାତା ଯିବ। ଏହି ନୂଆ ସୂଚୀ ଯୋଗୁଁ ରାଉରକେଲା-ଭୁବନେଶ୍ବର ମଧ୍ୟରେ ପୂର୍ବରୁ ଚାଲୁଥିବା ବିମାନର ସମୟ ନିର୍ଘଣ୍ଟରେ ମଧ୍ୟ ପରିବର୍ତ୍ତନ ହୋଇଛି। ସେପ୍ଟେମ୍ବର ପହିଲାରୁ ଏହି ନୂଆ ପରିବର୍ତ୍ତିତ ପଥରେ ବିମାନ ଚଳାଚଳ ଆରମ୍ଭ ହେବ।

ନୂଆ ସମୟ ନିର୍ଘଣ୍ଟ ଅନୁଯାୟୀ ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର ଦିନ ଏହି ବିମାନ ଦିନ ୧୧ଟା ୪୦ରେ କୋଲକାତାରୁ ବାହାରି ୧ଟା ୧୦ରେ ରାଉରକେଲା ପହଞ୍ଚିବ। ପୁଣି ୧ଟା ୩୫ରେ ରାଉରକେଲାରୁ ଛାଡ଼ି ୨ଟା ୩୦ରେ ଭୁବନେଶ୍ବରରେ ଅବତରଣ କରିବ। ୨୫ ମିନିଟ୍‌ର ରହଣି ପରେ ୨ଟା ୫୫ରେ ଭୁବନେଶ୍ବରରୁ ବାହାରି ଦିନ ୩ଟା ୫୦ରେ ରାଉରକେଲା ପହଞ୍ଚିବ। ସଂଧ୍ୟା ୪ଟା ୧୫ରେ ରାଉରକେଲାରୁ ବାହାରି ୫ଟା ୪୫ରେ କୋଲକାତା ପହଞ୍ଚିବ ଓ ସେଠାରେ ରାତ୍ର ରହଣି କରିବ। ସେହିପରି ମଙ୍ଗଳବାର, ଗୁରୁବାର ଓ ଶନିବାର ଏହା ଓଲଟା ଦିଗରେ ଯାତାୟତ କରିବ। ଏହି ଦିନ ମାନଙ୍କରେ ଦିନ ୧ଟା ୧୦ରେ କୋଲକାତାରୁ ବାହାରି ୨ଟା ୪୦ରେ ଭୁବନେଶ୍ବର ପହଞ୍ଚିବ। ସେଠାରୁ ୩ଟା ୫ରେ ବାହାରି ସଂଧ୍ୟା ୪ଟାରେ ରାଉରକେଲାରେ ଅବତରଣ କରିବ। ପୁଣି ସଂଧ୍ୟା ୪ଟା ୨୫ରେ ରାଉରକେଲାରୁ ବାହାରି ୫ଟା ୨୦ରେ ଭୁବନେଶ୍ବରରେ ଓହ୍ଲାଇବ। ୫ଟା ୪୫ରେ ଭୁବନେଶ୍ବର ଛାଡ଼ି ୭ଟା ୧୫ରେ କୋଲକାତାରେ ପହଞ୍ଚିବ ଓ ରାତ୍ର ରହଣି କରିବ।

Spread the love