‘ତୁ ଯଦି ମୋର ନୁଁହ; କାହାର ନୁହଁ’

ଅନ୍ୟତ୍ର ବିବାହ ଠିକ୍ ହେବାରୁ ପ୍ରେମିକାକୁ ଛୁରୀ ଭୁସି ହତ୍ୟା : ଯୁବକ ଗିରଫ
ରାଉରକେଲା : ଜଣେ ଯୁବତୀଙ୍କ ଅନ୍ୟତ୍ର ବିବାହ ଠିକ୍ ହେବାରୁ ପ୍ରେମିକ ନିରାଶ ଏବଂ ପ୍ରତିଶୋଧପରାୟଣ ହୋଇ ଛୁରୀ ୁଷି ନିର୍ମମ ଭାବେ ହତ୍ୟା କରିବା ଘଟଣା କୁଆଁରମୁଣ୍ଡା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଘଟଣାରେ ବୀରମିତ୍ରପୁର ଥାନା ପୁଲିସ ସମ୍ପୃକ୍ତ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ ଝିରପାଣି ଜେନା ବସ୍ତି ଅଞ୍ଚଳରେ ବାସ କରୁଥିବା ମୁକେଶ କୁଲୁ(୩୯)ଙ୍କ ୨୦୧୨ ରୁ କୁଆଁରମୁଣ୍ଡା ଫାଣ୍ଡି ଅଧୀନ ଗୋବିରା ନିକଟସ୍ଥ ଖଡିଆଟୋଲି ଅଞ୍ଚଳର ଶିଖା ସ୍ୱପ୍ନା କୁଲୁ (୩୬)ଙ୍କ ସହ ପ୍ରେମସମ୍ପର୍କ ଥିଲା । ତେବେ ୨୦୨୦ରେ ମୁକେଶ କୁଲୁର ବିବାହ ହୋଇ ଯାଇଥିଲା । ହେଲେ ମୁକେଶ ଓ ଶିଖା ସ୍ୱପ୍ନା ମଧ୍ୟରେ ପୂର୍ବପରି ପ୍ରେମ ସମ୍ପର୍କ କାଏମ ରହିଥିଲା । ମୁକେଶ ଝିରପାଣିରୁ ଗୋବିରାକୁ ଯାଆ ଆସ କରିବା ସହ ଶିଖାସହ ସମ୍ପର୍କ ରଖୁଥିଲେ । ମାତ୍ର ଶିଖାର ପରିବାର ଲୋକେ ଶିଖାର ଅନ୍ୟତ୍ର ବିବାହ ଠିକ କରି ଦେଇଥିଲେ । ଆସନ୍ତା ୧୨ ତାରିଖରେ ଶିଖାର ବିବାହ ହୋଇଥାନ୍ତା । ନିମନ୍ତ୍ରଣକାର୍ଡ ବଣ୍ଟା ସରିବା ସହ ବିବାହ ଓ ଭୋଜି ପାଇଁ ସମସ୍ତ ପ୍ରସ୍ତୁତି ସରି ଯାଇଥିଲା । ତେବେ ପ୍ରେମିକ ମୁକେଶ ଏଥିରେ ବ୍ୟତିବ୍ୟସ୍ତ ହୋଇ ବିବାହ ବନ୍ଦ କରିବାକୁ ଶିଖାକୁ ବାଧ୍ୟ କରିଥିଲା । ମାତ୍ର ଶିଖା ଏଥିରେ ରାଜି ନ ହେବାରୁ ଶୁକ୍ରବାର ରାତିରେ ମୁକେଶ ଗୋବିରା ଯାଇ ଶିଖାକୁ ଫାଇନାଲ କଥା ହେବା ପାଇଁ ଖଡିଆଟୋଲିରେ ଥିବା ଏକ ଅଙ୍ଗନବାଡି କେନ୍ଦ୍ର ନିକଟକୁ ଡାକିଥିଲା । ଶିଖା ସେଠାକୁ ଆସିବା ପରେ ମୁକେଶ ପୁନର୍ବାର ବିବାହ ବନ୍ଦ କରିବାକୁ ତାକୁ କହିଥିଲା । ହେଲେ ଶିଖା ଏଥିରେ ରାଜି ନ ହେବାରୁ ପ୍ରତିଶୋଧ ପରାୟଣ ହୋଇ ମୁକେଶ ଶିଖାର ପେଟରେ ଛୁରି ଭୁସି ହତ୍ୟାକରି ଫେରାର ହୋଇଯାଇଥିଲା । ଏହି ଘଟଣା ପରେ ପରିବାର ଓ ଗାଁ ଲୋକେ ଶିଖାକୁ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ଆଜି ଶିଖାକୁ ମୃତ ଘୋଷଣା କରିଥିଲେ । ବୀରମିତ୍ରପୁର ଥାନା ଅଧିକାରୀ ରାମ ପ୍ରସାଦ ନାଗ ଘଟଣାର ତଦନ୍ତ କରିବା ସହ ହତ୍ୟାକାରୀ ମୁକେଶ କୁଲୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

Spread the love