ମିଟର୍ ରିଡର୍‌ଙ୍କୁ ହତ୍ୟା ଘଟଣା: ମୃତକଙ୍କ ପରିବାରକୁ କଂପାନି ପକ୍ଷରୁ ମିଳିବ ୧୬ ଲକ୍ଷଟଙ୍କାର କ୍ଷତିପୂରଣ

ଭୁବନେଶ୍ୱର/ବ୍ରହ୍ମପୁର: ବିଦ୍ୟୁତ୍ ବିଲ୍ ସଂଗ୍ରହ କରିବାକୁ ଯାଇଥିବା ମିଟର୍ ରିଡର୍‌ ଲକ୍ଷ୍ମୀନାରାୟଣ ତ୍ରିପାଠୀ (୫୦)ଙ୍କ ମୃତ୍ୟୁ ନେଇ ଟିପିଏସ୍‌ଓଡିଏଲ୍ ଦୁଃଖ ପ୍ରକାଶ କରିଛି। ଶ୍ରୀ ତ୍ରିପାଠୀଙ୍କ ପରିବାରର ପ୍ରତି ଆମର ଭାବନା ଓ ସମବେଦନା ରହିଛି ଏବଂ ଉପଯୋଗୀ ସୂଚନା ଉପଲବ୍ଧ ହେବା ପରେ ଆମେ ତାହା ସୂଚିତ କରିବୁ ବୋଲି ଟାଟା ପାୱାର କହିଛି। ଏଥି ସହିତ କଂପାନି ମୃତକଙ୍କ ପରିବାରକୁ ୧୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବ ବୋଲି ପ୍ରତିଶ୍ରୁତି ଦେଇଛି। ଟିପିଏସ୍‌ଓଡିଏଲ୍ କହିଛି ଯେ, ଆମର ସମର୍ପିତ ବିଜନେସ୍ ଆସୋସିଏଟ୍ (ବିଏ) ମିଟର ରିଡର ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କ ସହ ଘଟିଥିବା ଦୁଃଖଦ ଘଟଣାକୁ ନେଇ ଆମେ ତାଙ୍କ ପରିବାର ଓ ପ୍ରିୟଜନଙ୍କ ପ୍ରତି ଗଭୀର ସମବେଦନା ଜଣାଉଛୁ। ଏହି ଘଟଣାର ଗଭୀର ପ୍ରଭାବକୁ ଭଲ ଭାବେ ବୁଝିପାରି ଏହି କଠିନ ସମୟରେ ଶ୍ରୀ ତ୍ରିପାଠୀଙ୍କ ପରିବାର ସହିତ ଠିଆ ହେବା ପାଇଁ ଟିପିଏସ୍‌ଓଡିଏଲ୍ ପ୍ରତିବଦ୍ଧ ରହିଛି। ଗଭୀର ଚିନ୍ତା ଏବଂ ତାଙ୍କ ଅମୂଲ୍ୟ ଅବଦାନ ପ୍ରତି ସ୍ୱୀକୃତି ଭାବେ ତାଙ୍କ ପରିବାରକୁ ୧୬ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ଆମେ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛୁ। ପରଲୋକଗତଙ୍କ ଆଇନଗତ ଉତ୍ତରାଧିକାରୀଙ୍କ ପାଇଁ ନିଯୁକ୍ତି ସୁନିଶ୍ଚିତ କରିବା ଲାଗି ମଧ୍ୟ ଆମେ ସହଯୋଗୀ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛୁ।

ଗଂଜାମ ଜିଲ୍ଲା ଭଞ୍ଜନଗର ଡିଭିଜନ ତିଳିସିଂ ସେକ୍ସନ୍‌ରେ ଟିପିଏସ୍‌ଓଡ଼ିଏଲ୍‌ ମିଟର୍ ରିଡର୍ ଭାବେ ଲକ୍ଷ୍ମୀନାରାୟଣ ଓରଫ୍‌ ବାବି କାର୍ଯ୍ୟ କରୁଥିଲେ। ସୋମବାର ଦିନ ସକାଳ ପ୍ରାୟ ୯ଟାରେ ଗୋବିନ୍ଦର ଘରେ ପହଞ୍ଚି ରିଡିଂ ନେବା ପରେ ବିଲ୍ ହସ୍ତାନ୍ତର କରିଥିଲେ। କିନ୍ତୁ ବିଲ୍‌ରେ ଅଧିକ ଟଙ୍କା ଦେଖି ଗୋବିନ୍ଦ ଉତ୍‌କ୍ଷିପ୍ତ ହୋଇଉଠିଥିଲା। ଯାହାକୁ ନେଇ ଲକ୍ଷ୍ମୀନାରାୟଣଙ୍କ ସହ ତାର ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏନେଇ ବିଦ୍ୟୁତ୍ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବାକୁ ସେ ଗୋବିନ୍ଦକୁ କହିଥିଲେ ବି ସେ କିଛି ଶୁଣି ନଥିଲା। ଶେଷରେ ରକ୍ତମୁଖା ଗୋବିନ୍ଦ ଘରୁ ଏକ ଧାରୁଆ ଭୁଜାଲି ଆଣି ଲକ୍ଷ୍ମୀନାରାୟଣଙ୍କ ବେକ ଏବଂ ମୁଣ୍ଡକୁ ଏକାଧିକଥର ଆକ୍ରମଣ କରିଥିଲା। ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଲକ୍ଷ୍ମୀନାରାୟଣ ସେଠାରେ ହିଁ ଟଳି ପଡ଼ିଥିଲେ। ଖବର ପାଇ ମୃତକଙ୍କ ସଂପର୍କୀୟମାନେ ପହଞ୍ଚି ଗୋବିନ୍ଦକୁ କାବୁ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ଘରର କବାଟ କୋଣରେ ଲୁଚି ସମସ୍ତଙ୍କୁ ଆକ୍ରମଣ ଧମକ ଦେଇଥିଲା। କିନ୍ତୁ ଗାଲେରୀ ଗ୍ରାମର ରିଙ୍କୁ ସାହସ ଜୁଟାଇ ତାକୁ କାବୁ କରିବାକୁ ବାହାରିଥିଲେ। ଗୋବିନ୍ଦର ପାଲଟା ଆକ୍ରମଣରେ ରିଙ୍କୁଙ୍କ ବାମହାତର ଅଙ୍ଗୁଳି ଛିଣ୍ଡିଯାଇଥିଲା। ଧସ୍ତାଧସ୍ତିରେ ଗୋବିନ୍ଦର ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିଲା।

Spread the love