କୋଭିଡ୍‌ ସଂପର୍କିତ ସାମ୍ବାଦିକ ସମ୍ମିଳନୀ ପାଇଁ ଖର୍ଚ୍ଚ ହୋଇଛି ୭୦ଲକ୍ଷ

ଭୁବନେଶ୍ବର : ବିଶ୍ବରେ କୋଭିଡ୍‌ ସଂକ୍ରମଣ ଆରମ୍ଭ ହେବା ପରେ ରାଜ୍ୟ ସରକାର ଲୋକମାନଙ୍କୁ ସଚେତନ କରିବା ଲାଗି ଗୀତ ଗୋବିନ୍ଦ ସଦନରେ ଦୈନିକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ। ପ୍ରତ୍ୟେକ ଦିନ ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କୋଭିଡ୍‌ ବାର୍ତା ପହଞ୍ଚାଇଥିଲେ। ହେଲେ ଏହି ସାମ୍ବାଦିକ ସମ୍ମିଳନୀ ପାଇଁ ୭୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସୂଚନା ଅଧିକାର ଆଇନ ବଳରେ ୩ବର୍ଷର ବ୍ୟବଧାନ ପରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କୋଭିଡ ସଂପର୍କିତ ସମୁଦାୟ ୯୯ଦିନର ସାମ୍ବାଦିକ ସମ୍ମିଳନୀ ହୋଇଛି। ଏହା ମାର୍ଚ୍ଚ ମାସଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏପ୍ରିଲ ମାସରେ ସର୍ବାଧିକ ୩୦ଦିନ ପାଇଁ ଏହା ଆୟୋଜିତ ହୋଇଥିଲା। ଏହାର ସିଧା ପ୍ରସାରଣ ପାଇଁ ଇଲିଆନୋରା ଇମେଜ୍ ପ୍ରାଇଭେଟ୍ ଲିମିଟେଡ୍‌ ସଂସ୍ଥା ବୈଷୟିକ ସହାୟତା ପ୍ରଦାନ କରିଛି। ଏଥିରେ ୩ଟି କ୍ୟାମେରା ସେଟ୍‌ ଅପ୍, ସାଉଣ୍ଡ ସେଟ୍‌ ଅଫ ଓ ସୋସିଆଲ ମିଡିଆ ଲାଇଭ୍ ସାମିଲ ରହିଛି। ଏ ବାବଦରେ ସଂସ୍ଥା ପକ୍ଷରୁ ୫୮ଲକ୍ଷ ୪୧ହଜାର ଟଙ୍କା ବିଲ୍‌ ପ୍ରଦାନ କରାଯାଇଥିବା ବେଳେ ରାଜ୍ୟ ସରକାର ୫୬ଲକ୍ଷ ୪୩ହଜାର ଟଙ୍କା ପ୍ରଦାନ କରିଛନ୍ତି।

ସେହିପରି ସାମ୍ବାଦିକ ସମ୍ମିଳନୀ ପାଇଁ ଏଲ୍‌ଇଡି ୱାଲ ଇନଷ୍ଟଲେସନ୍‌ଠାରୁ ଆରମ୍ଭ କରି ଡିଜେଲ ଜେନେରେଟ୍‌ ଲଗାଯିବା, ସାନିଟାଇଜର, ନାପକିନ ଓ ହ୍ୟାଣ୍ଡୱାସ୍ ଇତ୍ୟାଦି ପାଇଁ ୨୫ ମାର୍ଚ୍ଚଠାରୁ ୧୮ ମେ’ ପର୍ଯ୍ୟନ୍ତ ୧୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଉଲ୍ଲେଖନୀୟ ହେଉଛି ସାମ୍ବାଦିକ ସମ୍ମିଳନୀରେ ଜଳଖିଆ ଓ ଆଇଇସି କାର୍ଯ୍ୟକ୍ରମ ପାଇଁ ୩୦,୨୯୦ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି, କୋଭିଡ୍‌ ସଂପର୍କିତ ସାମ୍ବାଦିକ ସମ୍ମିଳୀନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅସଂପୂର୍ଣ୍ଣ ଓ ଭ୍ରମାତ୍ମକ। ୨୦୨୦ ‌ମେ’ ମାସରେ ଏ ସଂପର୍କିତ ତଥ୍ୟ ମଗାଯାଇଥିଲା। ସୂଚନା କମିସନଙ୍କ ନିର୍ଦେଶ ପରେ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଥିଲା। ତେବେ ଏହା ଅସଂପୂର୍ଣ୍ଣ ଥିବାରୁ ପୁନର୍ବାର ତଥ୍ୟ ପାଇଁ ଆବେଦନ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଉଲ୍ଲେଖ ଯେ କୋଭିଡ୍‌ ସାମ୍ବାଦିକ ସମ୍ମିଳନୀ ପାଇଁ ସହାୟତା କରିଥିବା ଇଲିଆନୋରା ଇମେଜ୍ ପ୍ରାଇଭେଟ୍ ଲିମିଟେଡ୍‌ ସଂସ୍ଥାର ପରିଚାଳନା ନିର୍ଦେଶକ ହେଉଛନ୍ତି ନୀଳମାଧବ ପଣ୍ଡା। ତାଙ୍କ ସହ ଅନ୍ୟ ସହଯୋଗୀ ରହିଛନ୍ତି।

Spread the love