ବଢ଼ିଲା ଜାଭେଦ୍‌ ଅଖତର୍‌ଙ୍କ ଅଡ଼ୁଆ, RSSକୁ ତାଲିବାନ୍‌ ସହ ତୁଳନାକୁ ନେଇ କ୍ଷମା ମାଗିବାକୁ ଦାବି କଲା ବିଜେପି

ନୂଆଦିଲ୍ଲୀ, ୦୫/୦୯: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବା RSSକୁ ତାଲିବାନ୍ ସହ ତୁଳନା କରି ଗୀତିକାର ତଥା ଲେଖକ ଜାଭେଦ୍ ଅଖ୍‌ତର ଅଡ଼ୁଆ ପଡ଼ିଛନ୍ତି । ଭାରତୀୟ ଜନତା ପାର୍ଟି ଏହାକୁ ନେଇ ତୀବ୍ର ନିନ୍ଦା କରିବା ସହିତ ଅଖତର କ୍ଷମା ମାଗନ୍ତୁ ବୋଲି କହିଛି। ବିଜେପି ନେତା ରାମ କଦମ୍ କହିଛନ୍ତି ” ଯେତେ ପର୍ଯ୍ୟନ୍ତ RSS ଓ VHPକୁ ତାଲିବାନ୍‌ ସହ ତୁଳନା କରିଥିବା ଅଖତର ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିନାହାନ୍ତି ସେପର୍ଯ୍ୟନ୍ତ ତାଙ୍କ ଫିଲ୍ମ ଦେଶରେ ପ୍ରଦର୍ଶିତ କରାଯିବ ନାହିଁ।

ନିକଟରେ ଏକ ନ୍ୟୁଜ୍ ପୋର୍ଟାଲକୁ ସାକ୍ଷାତକାର ଦେବା ସମୟରେ ଜାଭେଦ୍ ଅଖତର୍ କହିଛନ୍ତି ଯେ “ତାଲିବାନ୍ ବର୍ବର, ଏହାର କାମ ନିନ୍ଦନୀୟ । କିନ୍ତୁ ଯେଉଁମାନେ RSS, VHP(ବିଶ୍ୱ ହିନ୍ଦୁ ପରିଷଦ), ବଜରଙ୍ଗ ଦଳକୁ ସମର୍ଥନ କରନ୍ତି ସେମାନେ ତାଲବାନିଙ୍କ ସହ ସମାନ। ଅଖତରଙ୍କ ଏହି ମନ୍ତବ୍ୟକୁ ନେଇ ଭାଜପା ପ୍ରତିକ୍ରିୟା ରଖିଛି ଯେ, ଯଦି RSS ତାଲିବାନୀଙ୍କ ପରି ହୋଇଥାନ୍ତା ତେବେ ତାଙ୍କୁ ଏଭଳି ବିବୃତି ଦେବାର ସୁଯୋଗ ମିଳିନଥାନ୍ତା।

ଭାଜପା ବିଧାୟକ ତଥା ମୁଖପାତ୍ର ରାମ କଦମ ପୁଣି କହିଛନ୍ତି, RSS ସହ ଜଡିତ ରାଜନେତା ସବୁବେଳେ ସରକାରଙ୍କର ଶୀର୍ଷ ସ୍ଥାନରେ ରହିଛନ୍ତି । ସେମାନେ ରାଜଧର୍ମ ପାଳନ କରିବା ସହିତ ଦେଶକୁ ଚଳାଉଛନ୍ତି । ତେଣୁ କହିବା ପୁର୍ବରୁ ଅଖତରଙ୍କୁ ଚିନ୍ତା କରିବାର ଥିଲା । RSSର ଯୁବ ଶାଖା ଏହି ମନ୍ତବ୍ଯକୁ ଆଦୌ ଗ୍ରହଣ କରୁନାହଁ। ତାଙ୍କ ମନ୍ତବ୍ୟ ପାଇଁ ସେ କ୍ଷମା ମାଗିବା ଆବଶ୍ୟକ।

ଜାଭେଦ୍ ଅଖତର ଦେଇଥିବା ଏହି ବୟାନରେ କହିଥିଲେ ଯେ, ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଏଠାରେ ଅଧିକାଂଶ ଲୋକ ଧର୍ମ ନିରପେକ୍ଷ ଅଟନ୍ତି। କିନ୍ତୁ ଆଜି ବି କିଛି ଲୋକ ଅଛନ୍ତି ଯେଉଁମାନେ RSS, VHP ଭଳି ସଂଗଠନକୁ ସମର୍ଥନ କରନ୍ତି ଓ ସେମାନଙ୍କ ଚିନ୍ତାଧାରା ନାଜି ତଥା ତାଲିବାନ ମାନଙ୍କ ସହିତ ପୁରା ସମାନ।

Spread the love