ରୁଚି-ଫ୍ରୋଜିଟ୍ ଇଣ୍ଡିଆସ୍ ବେଷ୍ଟ ହୋମ ସେଫ୍‌-୨୦୨୧, ପୁରସ୍କୃତ ହେଲେ ୪ଜଣ ଶ୍ରେଷ୍ଠ ଗୃହିଣୀ

କଟକ ୦୨/୧୧ : ଓଡ଼ିଶାର ଅଗ୍ରଣୀ ମସଲା ଉଦ୍ୟୋଗ ରୁଚି ଆନୁକୂଲ୍ୟରେ ତଥା ଲୋକପ୍ରିୟ ସେଫ୍ ସୁନୀଲ୍ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଆୟୋଜିତ ପ୍ରଥମ “ରୁଚି-ଫ୍ରୋଜିଟ୍ ଇଣ୍ଡିଆସ୍ ବେଷ୍ଟ ହୋମ୍ ସେଫ୍‌-୨୦୨୧” ର ପୁରସ୍କାର ବିତରଣୀ ଉତ୍ସବ ମଧୁପାଟଣାସ୍ଥିତ ଫ୍ରୋଜିଟ୍ ପରିସରରେ ଥିବା ଫ୍ରୋଜିଟ୍ କନ୍‌ଫରେନ୍ସ ହଲ୍‌ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ପୁରଷ୍କାର ବିତରଣୀ ଉତ୍ସବରେ ରୁଚିର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ ମୂଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ରୁଚିର ମାର୍କେଟିଂ ମୂଖ୍ୟ ଦେବବ୍ରତ ପଟ୍ଟନାୟକ ଓ ଫ୍ରୋଜିଟ୍‌ର ଫାଇନାନ୍ସ ମୂଖ୍ୟ ଶ୍ରୀକାନ୍ତ ମହାପାତ୍ର ସମ୍ମାନନୀୟ ଅତିଥିଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମର ମୂଖ୍ୟ ଆୟୋଜକ ସେଫ୍ ସୁନୀଲ ପ୍ରାରମ୍ଭିକ ସୂଚନା ଦେବା ସହ ଏଥିରେ ଅଂଶଗ୍ରହଣ କରିଥିବା ୫ ଟି ଦେଶ ଅଷ୍ଟ୍ରେଲିଆ, ସାଉଥ୍‌ଆଫ୍ରିକା, ଦୁବାଇ, ଇଣ୍ଡୋନେସିଆ ଓ ମସ୍‌କଟ୍ ତଥା ଆମ ଦେଶର ୧୫ ଟି ରାଜ୍ୟ ୧୦୦ ଜଣ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ରୁଚି ମସଲାର ସହଯୋଗରେ ଏହା ବେଶ୍ ରୁଚିକର କାର୍ଯ୍ୟକ୍ରମ ହୋଇଯାଇଛି ବୋଲି ସେ ପ୍ରକାଶ କରିଥିଲେ ।

ଦୀର୍ଘ ୩ ମାସ ଧରି ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମଧୁସ୍ମିତା ସୋରେନ୍ ପ୍ରଥମ, ସୋନାଲିରେ ଦ୍ୱିତୀୟ, ବନଜା ପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ରାଜସ୍ଥାନର ଗାୟତ୍ରୀ ରତନ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପୁରଷ୍କାର ସ୍ୱରୂପ ପ୍ରଥମ ବିଜେତାକୁ ୫୦୦୦ ଟଙ୍କାର ଅର୍ଥରାଶି, ସୁନା କଏନ, ଦ୍ୱିତୀୟ ବିଜେତାକୁ ୩୦୦୦ ଟଙ୍କାର ଅର୍ଥରାଶି ଓ ସୁନା କଏନ ଏବଂ ତୃତୀୟ ବିଜେତାଙ୍କୁ ୨୦୦୦ ଟଙ୍କାର ଅର୍ଥରାଶି ଓ ସୁନା କଏନ ପ୍ରଦାନ କରାଯାଇଥିଲା । ସମସ୍ତ ପ୍ରତିଯୋଗୀ ରୁଚିର ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ କୋଭିଡ୍ ସମୟରେ ଏହିଭଳି କାର୍ଯ୍ୟକ୍ରମ ସମସ୍ତ ଗୃହିଣୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉଲ୍ଲାସ ଚନ୍ଦ୍ର ବେହୁରା ସଂଯୋଜନା କରିଥିବାବେଳେ ଦେବସ୍ମିତା ମିଶ୍ର, ଅମୃତରଂଜନ ଦାଶ, କୃଷ୍ଣଚନ୍ଦ୍ର ଦାଶ, ଜ୍ଞାନରଂଜନ ରାୟ, ସନ୍ତୋଷ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

Spread the love