ରାଜ୍ୟର ଟପ୍ପର ବିଦ୍ୟାର୍ଥୀ ଓ କୃତୀ ପ୍ରତିଭାଙ୍କୁ ରୁଚି ପ୍ରତିଭା ସମ୍ମାନ

ନିଜର ଅସାମାନ୍ୟ ପ୍ରତିଭା ଓ ଦକ୍ଷତା ପାଇଁ ସବୁ କ୍ଷେତ୍ରରେ ଓଡ଼ିଆମାନେ ଆଜି ଆଗରେ । ଏ ଜାତି କୌଣସି
କ୍ଷେତ୍ରରେ ବି ଆଜି ହାର୍ ମାନି ନାହିଁ । ବିଶେଷକରି ଶିକ୍ଷା କ୍ଷେତ୍ରରେ ଆମ ରାଜ୍ୟର ବିଦ୍ୟାର୍ଥୀମାନେ ସେମାନଙ୍କର ନିଷ୍ଠା ଓ ସାଧନା ପାଇଁ ଆଜି ବିଶ୍ୱଦରବାରରେ ଉତ୍କର୍ଷତା ପ୍ରଦର୍ଶନ କରି ଆସିଛନ୍ତି ।

ଏ ପରିପ୍ରେକ୍ଷୀରେ ଓଡ଼ିଶାର ପ୍ରମୁଖ ଶିଳ୍ପୋଦ୍ୟୋଗ ରୁଚି ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଟପ୍ପର ଛାତ୍ର ଓ କୃତବିଦ୍ୟ ଓଡ଼ିଆମାନଙ୍କୁ ସମ୍ମାନିତ କରି ଏକ ଉଚ୍ଚ ମୂଲ୍ୟବୋଧ ଓ ପରମ୍ପରାର ମହନୀୟ ପରିଚୟ ବଜାୟ ରଖିଛନ୍ତି । ଶିଳ୍ପର ଅଭିବୃଦ୍ଧି ସହିତ ପ୍ରତିଭା ପୂଜନ କ୍ଷେତ୍ରରେ ଏହି ଅନୁଷ୍ଠାନର କାର୍ଯ୍ୟକ୍ରମ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଛନ୍ତି ଶକ୍ତି, ଶିଳ୍ପ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ।
ରୁଚି ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଚତୁର୍ବିଂଶତମ ରୁଚି ପ୍ରତିଭା ସମ୍ମାନ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ମିଶ୍ର କହିଥିଲେ ଯେ, ଯୋଗ୍ୟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବା ଦ୍ୱାରା ସେମାନେ ଜୀବନରେ ଅଧିକ ବାଟ ଆଗକୁ ଯିବାପାଇଁ ଉତ୍ସାହିତ ହୋଇଥାନ୍ତି ।

ଓଡ଼ିଶାର ଏଭଳି ଗୋଟିଏ ଅନୁଷ୍ଠାନ ଯେଉଁ ସାମାଜିକ କାର୍ଯ୍ୟ କରୁଛି ସେଥିପାଇଁ ଆମେ ସମସ୍ତେ ନିଜକୁ ଗର୍ବିତ ମନେକରୁଛୁ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା କେନ୍ଦ୍ର ଆଇ.ଟି.ଆର୍‌.ର ନିର୍ଦ୍ଦେଶକ ଡକ୍ଟର ବିନୟ କୁମାର ଦାସ କହିଥିଲେ ଯେ, ଯୁବ ଓ ପ୍ରତିଭାବାନ ବିଦ୍ୟାର୍ଥୀମାନଙ୍କୁ ପ୍ରେରଣା ଦେବା ଆମ ସମାଜର ଏକ ଗୁରୁଦାୟିତ୍ୱ ।
ସେହିଭଳି ବାପା ମାଆମାନେ ପିଲାମାନଙ୍କୁ ସ୍ୱପ୍ନ ଦେଖିବାର ଅଧିକାର ଦେବା ସହିତ ସେମାନଙ୍କର ସେହି ସ୍ୱପ୍ନକୁ ସାକାର କରିବାପାଇଁ ମଧ୍ୟ ପ୍ରେରଣା ଦିଅନ୍ତୁ । ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପୂର୍ବତନ ଆୟକର ମହାନିର୍ଦ୍ଦେଶକ ବିଧୁଭୂଷଣ ମହାନ୍ତି କହିଥିଲେ ଯେ, ବ ର୍ମାନର ପ୍ରତିକୂଳ ପରିସ୍ଥିତି ଭିତରେ ବି ଗୁଣ ଚିହ୍ନେ ଗୁଣିଆ ଭଳି ପୁରପଲ୍ଲୀରୁ ସହର ଯାଏ ଏହି ଅନୁଷ୍ଠାନ ପ୍ରତିଭାମାନଙ୍କୁ ଖୋଜି ଖୋଜି ପୁରସ୍କୃତ କରି ଆସୁଛି ।

ପ୍ରାରମ୍ଭରେ ରୁଚି ପ୍ରତିଭା ଫାଉଣ୍ଡେସନର ଅଧ୍ୟକ୍ଷ ତଥା ବିଶିଷ୍ଟ ଉଦ୍ୟୋଗୀ ଡକ୍ଟର ଶରତ କୁମାର ସାହୁ ସ୍ୱାଗତ ଭାଷଣ ଦେବା ସହିତ
କହିଥିଲେ ଯେ, ୪୫ ବର୍ଷ ଧରି ଓଡ଼ିଶାର ଘରେ ଘରେ ପରିଚିତ ରୁଚି ଉଦ୍ୟୋଗର ପ୍ରତିଭା ପୂଜନ କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ସବୁବେଳେ
ପ୍ରେରଣାଦାୟୀ ଓ ଅନୁକରଣୀୟ ହୋଇଛି । ଏହାଦ୍ୱାରା ଆମେ କୋଟି କୋଟି ଓଡ଼ିଆଙ୍କ ଋଣ ସୁଝିବା ପାଇଁ ଏକ ସୁଯୋଗ ପାଇଛୁ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ ଓ ରଶ୍ମୀ ସାହୁ ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଚଳିତବର୍ଷ ସମ୍ମାନଜନକ ଦେଶ ଜ୍ୟୋତି ସମ୍ମାନ ବିଶିଷ୍ଟ ସାରସ୍ୱତ ସାଧକ ମନୋଜ ଦାସ, ସମ୍ମାନଜନକ ରୁଚି ଦେଶ ଗୌରବ ସମ୍ମାନ ଶିକ୍ଷା ଓ ଅନୁସନ୍ଧାନ
ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଂଜନ ନାୟକଙ୍କୁ ପ୍ରଦାନ କରାଯାଇଥିଲା । ଆଇ.ଏ.ଏସ୍‌. ଟପ୍ପର ସଂଜିତା ମହାପାତ୍ରଙ୍କୁ ରୁଚି ବିଦ୍ୟାସାଗର ସମ୍ମାନ, ସମାଜ ସେବାପାଇଁ ଚଳଚ୍ଚିତ୍ର ତାରକା ସବ୍ୟସାଚୀ ମିଶ୍ରଙ୍କୁ ରୁଚି ଦେଶ ସେବା ସମ୍ମାନ, ପାରା ବ୍ୟାଡ଼ମି ନ ତାରକା ପ୍ରମୋଦ ଭଗତଙ୍କୁ ରୁଚି ବାରବାଟୀ କ୍ରୀଡ଼ା ସମ୍ମାନ, ମାଟ୍ରିକ ଟପ୍ପର ଜିତେନ ମହାଳିକ ଓ ଯୁକ୍ତ ଦୁଇ ବିଜ୍ଞାନ ଟପ୍ପର ସୁଦୀପ ସୁଦର୍ଶନ ରଣାଙ୍କୁ ରୁଚି ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ସମସ୍ତ ପ୍ରତିଭାମାନଙ୍କ ସହ ରୁଚି ଦେଶ ସେବା ଓ ବାରବାଟୀ କ୍ରୀଡ଼ା ସମ୍ମାନ ପ୍ରତିଭା ଓ ଦୁଇ ଟପ୍ପର ବିଦ୍ୟାର୍ଥୀଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଅର୍ଥରାଶି, ଅଙ୍ଗବସ୍ତ୍ର ଓ ସମ୍ମାନଫଳକ ସହ ସମ୍ମାନିତ କରାଯାଇଥିଲା ।

ମନୋଜ ଦାସଙ୍କ ପକ୍ଷରୁ ତାଙ୍କ କନ୍ୟା ଡକ୍ଟର ସଂଘମିତ୍ରା ଦାସ ଏହି ସମ୍ମାନ ଗ୍ରହଣ କରିଥିଲେ । ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ
ଆୟୋଜିତ କାର୍ଯ୍ୟକ୍ରମରେ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର କହିଥିଲେ ଯେ, ରୁଚି ବରିଷ୍ଠ ଓ କନିଷ୍ଠ
ବର୍ଗର ସବୁ ପ୍ରତିଭାଙ୍କୁ ସମ୍ମାନିତ କରିଆସୁଛି, ଯାହାକି ଏକ ଅଭିନବ ପ୍ରୟାସ । ଆଇ.ଏ.ଏସ୍‌. ଟପ୍ପର କହିଥିଲେ ଯେ, ରୁଚିର ଏହି ସମ୍ମାନ ଆଗକୁ ଓଡ଼ିଶା ପାଇଁ କିଛି ଭଲ କାମ କରିବାପାଇଁ ମୋତେ ପ୍ରେରଣା ଦେବ । ଦେଶ ସେବା ସମ୍ମାନ ପ୍ରାପ୍ତ ସବ୍ୟସାଚୀ ମିଶ୍ର କହିଥିଲେ ଯେ, ଜଣେ ଅଭିନେତା ଭାବେ ନୁହେଁ ବରଂ ଜଣେ ସାଧାରଣ ମଣିଷ ଭାବେ ଜୀବନରେ ପ୍ରଥମଥର ପାଇଁ ଏଭଳି ସମ୍ମାନ ପାଇଛି ଯାହାକୁ ମୁଁ ବର୍ତ୍ତମାନ ସମୟର ଅସହାୟ ମଣିଷମାନଙ୍କ ପାଇଁ ଉତ୍ସର୍ଗ କରୁଛି । ମାଟ୍ରିକ ଟପ୍ପର ଓ ଯୁକ୍ତ ଦୁଇ ବିଜ୍ଞାନ ଟପ୍ପର ଛାତ୍ର ଦ୍ୱୟ କହିଥିଲେ ଯେ, ରୁଚି ପ୍ରତିଭା ସମ୍ମାନ ଆମଭଳି ଛାତ୍ରମାନଙ୍କ ପାଇଁ ସବୁବେଳେ ସ୍ମରଣୀୟ ଓ ପ୍ରେରଣାଦାୟୀ ।

ଜଗନ୍ନାଥ ରଥ ପ୍ରକାଶନର ମୁଖ୍ୟ ଶୁଭାନ୍ୱେଷ ରଥ ମନୋଜ ଦାସଙ୍କ ସଂପର୍କରେ ଆଲୋକପାତ କରିଥିଲେ । ରୁଚି ଫାଉଣ୍ଡେସନର ଯୁଗ୍ମ ସଂପାଦକ ତଥା ଲୋକସଂପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ ଦେଶ ଜ୍ୟୋତି ସମ୍ମାନ ପ୍ରାପ୍ତ ମନୋଜ ଦାସଙ୍କ ଲିଖିତ ଶୁଭେଚ୍ଛା ବାର୍ତ୍ତାପାଠ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ରୁଚିର ଆଇ.ଟି. ମୁଖ୍ୟ ଶୁଭେନ୍ଦୁ ଶୁଭଦର୍ଶନ ମହାନ୍ତି ବୈଷୟିକ ସହାୟତା ପ୍ରଦାନ କରିଥିଲେ । ‘ହ୍ୱାଇଟ୍ କାନଭାସ୍‌’ ଦ୍ୱାରା ସଂଚାଳିତ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଉଲ୍ଲାସ ଚନ୍ଦ୍ର ବେହୁରା ଓ ଶେଫାଳି ଉଦ୍‌ଗାତା ।

Spread the love