ମହେଶ ସାହୁ ଯେଉଁ ଥାଳିରେ ଖାଆନ୍ତି, ସେହି ଥାଳିକୁ ଛେଦ କରନ୍ତି- ରୁଦ୍ର ନାରାୟଣ ପାଣି

ଢେଙ୍କାନାଳ, ୦୭ ଅକ୍ଟୋବର ୨୦୨୩ – ଢେଙ୍କାନାଳ ସାଂସଦ ମହେଶ ସାହୁ ନିଜକୁ ବଞ୍ଚାଇବା ପାଇଁ ହୀନ ବକ୍ତବ୍ୟ ଦେଉଛନ୍ତି, ଯାହା ହାସ୍ୟାସ୍ପଦ । ମହେଶ ସାହୁ ତାଙ୍କ କାଉନସିଲର ଜୀବନ ଆରମ୍ଭରୁ ଏ ପର୍ଯ୍ୟନ୍ତ ଯେଉଁ ଥାଳିରେ ଖାଆନ୍ତି, ସେହି ଥାଳିକୁ ଛେଦ କରନ୍ତି । ଏହା ତାଙ୍କର ଚରିତ୍ର ଅଟେ ବୋଲି ଏକ ପ୍ରେସମିଟରେ କହିଛନ୍ତି ଢେଙ୍କାନାଳର ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ।

ଶ୍ରୀ ପାଣି କହିଛନ୍ତି ଯେ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ମହେଶ ସାହୁଙ୍କ ଏପରି ବ୍ୟବହାର କାରଣରୁ ତାଙ୍କର କାହା ସାଙ୍ଗରେ ନ ପଡୁନାହିଁ । ଏହି କାରଣରୁ ସେ କେବଳ ବାଚାଳମି କରୁଛନ୍ତି । ଶଙ୍ଖ ଭବନ ଓ ବିଜେଡି ତାଙ୍କୁ ଗୁରୁତ୍ୱ ନଦେବାରୁ ପାଗଳର ପ୍ରଳାପ ଭଳି କଥା କହୁଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ହୋଇଥିବା ଅନେକ ବିକାଶମୂଳକ କାର୍ଯ୍ୟକ୍ରମକୁ ସେ ପୂର୍ବରୁ ସର୍ବସାଧାରଣରେ ପ୍ରଶଂସା କରିଛନ୍ତି । ମାତ୍ର ଆଜି ତାଙ୍କ ମୁହଁରେ ଉସୁନା, ତାଙ୍କରୁ ମୁହଁରେ ଅରୁଆ । ଦଳର ଚାପରେ ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ଏପରି ପ୍ରଶ୍ନ କରିଛନ୍ତି ।

ଆମ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଣ, ସମସ୍ତେ ଜାଣିଛନ୍ତି । ଢେଙ୍କାନାଳର ସବୁ ଅଞ୍ଚଳ ସହ ତାଙ୍କର ପ୍ରତ୍ୟକ୍ଷ ଭାବାବେଗ ରହିଛି । କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଓଡ଼ିଶାର ରତ୍ନ ବୋଲି କହିଛନ୍ତି । ତାଙ୍କୁ ସାରା ଭାରତବର୍ଷ ବିକାଶ ପୁରୁଷ, ପ୍ରଗତିର ସାରଥୀ, ଉଜ୍ଜ୍ୱଳା ମ୍ୟାନ କହୁଛନ୍ତି । ଛାତ୍ର ଜୀବନରୁ ରାଜନୀତିରେ ରହି କେନ୍ଦ୍ରମନ୍ତ୍ରୀ ଭାବେ ନିଜ ପରିଚୟ ସୃଷ୍ଟି କରିଛନ୍ତି । ଆଜି ପର୍ଯ୍ୟନ୍ତ ତ ମହେଶ ସାହୁଙ୍କୁ କେହି ଗୁରୁତ୍ୱ ଦେଉ ନଥିଲେ । ହୁଏତ ଏଥିପାଇଁ ଅନୁଗୁଳ ଓ ଢେଙ୍କାନାଳରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ହୋଇଥିବା ବିକାଶକୁ ଦେଖି ସାଂସଦ ସବୁ ଜାଣି ବି ଅଜଣା ଭଳି ହେଉଛନ୍ତି । ୨୦୧୯ ମସିହାରେ ବିଧାନସଭା ଭୋଟ ତୁଳନାରେ ଲୋକସଭା ଭୋଟରେ ମହେଶ କାହିଁକି ପଛରେ ରହିଲେ, ଏ ଜବାବ ତାଙ୍କ ପାଖରେ ଅଛି କି? ପାଲଲହଡା ବିଧାନସଭା ଆସନରୁ ମହେଶ ସାହୁ ବିଧାୟକ ଥିଲେ । ମାତ୍ର ଲୋକସଭା ନିର୍ବାଚନରେ ସେ ପାଲଲହଡା ବିଧାନସଭା ଆସନରୁ ପାଇଥିବା ଭୋଟ ତୁଳନାରେ ଲୋକସଭା ଆସନରେ କାହିଁକି ପଛରେ ରହିଲେ ? ତାଙ୍କ କଥାର କିଛି ମୂଲ୍ୟ ନାହିଁ ।

ଶ୍ରୀ ପାଣି କହିଛନ୍ତି ଆମର ଓଡ଼ିଶାର ଗର୍ବ ଏବଂ ଆମେ ଓଡ଼ିଆବାସୀ ହିସାବରେ ଗର୍ବିତ ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମ ଓଡ଼ିଆ ଭାବରେ ଦୁଇ ଥର ଦୁଇଟି ରାଜ୍ୟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସେ ଓଡ଼ିଶାରୁ ଥରେ ବିଧାୟକ, ଥରେ ଲୋକସଭା ସାଂସଦ ନିର୍ବାଚିତ ହୋଇଛନ୍ତି । କେନ୍ଦ୍ରରେ ପ୍ରାୟ ୯ ବର୍ଷରୁ ଉର୍ଦ୍ଧ୍ୱ ପେଟ୍ରୋଲିୟମ ଏବଂ ଶିକ୍ଷା ମନ୍ତ୍ରଣାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦାୟିତ୍ୱ ନିର୍ବାହ କରୁଛନ୍ତି । ଶ୍ରୀ ପ୍ରଧାନ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଦାୟିତ୍ୱରେ ଥିବା ସମୟରେ ଓଡ଼ିଶାକୁ ୨ ଲକ୍ଷ ୩ ହଜାର ୪୭୨ କୋଟି ଟଙ୍କାର କାର୍ଯ୍ୟ କରିବା ପାଇଁ ଅର୍ଥ ଆଣିଛନ୍ତି, ଯେଉଁଥିରୁ ବହୁତ ବଡ ଲାଭ ଅନୁଗୋଳ ଓ ଢେଙ୍କାନାଳର ଲୋକଙ୍କୁ ମିଳିବ । ଆମ ନେତାଙ୍କୁ କିଛି କହିବା ପୂର୍ବରୁ ନିଜେ ଥରେ ଭାବିବା ଦରକାର, ସେ ନିଜେ କଣ କହୁଛନ୍ତି ?

ନିଜ ଜନ୍ମ ମାଟିର ବିକାଶ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ କାରଣରୁ ୧୭ ହଜାର କୋଟି ଟଙ୍କା ବ୍ୟୟରେ ତାଳଚେର ସାର କାରଖାନାର ପୁନରୁଦ୍ଧାର ହେଉଛି । ୧୧ ହଜାର ୮୪୩ କୋଟି ବ୍ୟୟରେ ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରର ସମ୍ପ୍ରସାରଣ ହୋଇଛି । ୫୦୦ କୋଟି ଟଙ୍କାରେ ତାଳଚେର ମେଡ଼ିକାଲ କଲେଜର ନୂତନ ଭବନ ନିର୍ମାଣ ହୋଇଛି । ତାଳଚେର ବିମଳାଗଡ଼ ନୂଆ ରେଳ ଲାଇନ, ଅନୁଗୋଳ ସୁକିନ୍ଦା ନୂଆ ଲାଇନ, ସମ୍ବଲପୁର ତାଳଚେର ରେଳଲାଇନର ଦୋହରୀକରଣ, ଅନୁଗୋଳରୁ ବଳରାମ କୋଇଲା ଖଣିକୁ ରେଳ ସଂଯୋଗ ସହ ରେଳ ଭିତ୍ତିଭୂମିକୁ ମଜଭୂତ କରାଯାଇଛି । ଅନୁଗୋଳ ଜିଲ୍ଲାରେ ଚାରି ଚାରିଟି କେନ୍ଦ୍ରୀୟ ବିଦ୍ୟାଳୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉଦ୍ୟମରେ ସଫଳ ହୋଇଛି । ଖାଲି ସେତିକି ନୁହେଁ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଆଦର୍ଶ ରେଳ ଷ୍ଟେସନ, ବିପିସିଏଲ କମନ ୟୁଜର ଫେସିଲିଟି,ଜୋରନ୍ଦାକୁ ଜଳ ଯୋଗାଣ ପାଇଁ ପ୍ରାୟ ୧୫ କୋଟି ଦେବାର ବ୍ୟବସ୍ଥା କରାଇଛନ୍ତି । ଏହା ସହ ସିଟି ଗ୍ୟାସବିତରଣ ଭଳି ଅନେକ ବିକାଶମୂଳକ କାର୍ଯ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ ଭୂମିକା ଅବର୍ଣ୍ଣନୀୟ ।

ମୋଦିଜୀ ୯ ବର୍ଷରେ ଚାଉଳ, ଘର, ପାଇଖାନା, ଉଜ୍ଜ୍ୱଳା ଗ୍ୟାସ, ମୁଦ୍ରା ଋଣ, ବାର୍ଦ୍ଧକ୍ୟ ଭତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ଏବଂ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଅନୁଗୋଳ ଜିଲ୍ଲାର ୩ ଲକ୍ଷ ୯ ହଜାର ୩୭୮ ଟି ପରିବାରକୁ ସର୍ବମୋଟ ୮ ହଜାର ୭୨୦ କୋଟି ଟଙ୍କା ଦେଇଛନ୍ତି । ସେହିପରି ଯୋଜନାରେ ଢେଙ୍କାନାଳ ଜିଲ୍ଲାର ୨ ଲକ୍ଷ ୭୦ ହଜାର ୮୭୬ ଟି ପରିବାରକୁ ସର୍ବମୋଟ ୮ ହଜାର ୮୧୬ କୋଟି ଟଙ୍କା ମୋଦି ସରକାରରେ ଅନୁଦାନ ଆସିଛି । ଏହିସବୁ ଦ୍ୱାରା ଅନୁଗୋଳ ଓ ଢେଙ୍କାନାଳରେ ହେବ ନାହିଁ କି ବୋଲି ପୂର୍ବତନ ସାଂସଦ ଶ୍ରୀ ପାଣି ପ୍ରଶ୍ନ କରିଛନ୍ତି ।

Spread the love