ଆଜି ଗଡ଼ିବ ଶ୍ରୀଲିଙ୍ଗରାଜଙ୍କ ଅଣଲେଉଟା ରୁକୁଣା ରଥ : ସାମିଲ ହେବେନି ଭକ୍ତ, ଟାଣିବେ କରୋନା ନେଗେଟିଭ ସେବାୟତ-ପୋଲିସ

ଆଜି ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା। ମାଉସୀ ମା’ ଛକସ୍ଥିତ ରାମେଶ୍ବର ମନ୍ଦିର ଅଭିମୁଖେ ରୁକୁଣା ରଥରେ ଯାତ୍ରା କରି ବେ ପ୍ରଭୁ ଶ୍ରୀଲିଙ୍ଗରାଜ। ରଥରେ ବିରାଜମାନ କରିବେ ପ୍ରଭୁ ଚନ୍ଦ୍ରଶେଖର, ଦେବୀ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ। ସାରଥୀ ସାଜି ସ୍ବୟଂ ବ୍ରହ୍ମା ରଥ ଚାଳନା କରିବେ। ପାଞ୍ଚ ଦିନ ପାଇଁ ପ୍ରଭୁ ରାମେଶ୍ବର ମନ୍ଦିରରେ ଅବସ୍ଥାନ କରିବେ। ଚଳିତ ବର୍ଷ କରୋନା କଟକଣା ପାଇଁ ବିନା ଭକ୍ତରେ ଏହି ପ୍ରସିଦ୍ଧ ରଥଯାତ୍ରା ହେବ । ସେବାୟତମାନେ ରଥକୁ ଟାଣି ଟାଣି ନେବେ। ପୋଲିସ ଏଥିରେ ସେବାୟତମାନଙ୍କୁ ସହଯୋଗ କରିବେ। ଆଗ ଭଳି ଆଉ ଏବର୍ଷ ରଥଦାଣ୍ଡ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ କୋଳାହଳରେ ଉଛୁଳି ପଡ଼ିବ ନାହିଁ। ଏହି ରଥର ବିଶେଷତ୍ୱ ହେଉଛି ଏହା ଅଣଲେଉଟା। ଯେଉଁଭଳି ଭାବେ ରଥଟି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ ଠିକ୍ ସେହିଭଳି ପୁନର୍ବାର ପଛକୁ ଫେରିଥାଏ। ବିନା ମୋଡ଼ରେ ରଥ ଫେରିଥାଏ। ରୁକୁଣା ରଥ ଯାତ୍ରା ପାଇଁ ମନ୍ଦିର ପ୍ରଶାସନ ନୀତିନିର୍ଘଣ୍ଟ କରିଛି। ମନ୍ଦିରରେ କେବଳ ପାଳିଆ ସେବାୟତ ରହି ସେବା କରିବେ। ଭୋର୍ ୫ଟାରେ ଠାକୁରଙ୍କ ଆଳତି ଅବକାଶ ନୀତି ସମ୍ପନ୍ନ ହୋଇଛି । ସାଢ଼େ ୫ଟାରୁ ଘଣ୍ଟାଏ ପର୍ଯ୍ୟନ୍ତ ଠାକୁରଙ୍କ ସାହାଣ ମେଲା ଚାଲିଥିଲା। ଏହାପରେ ରୋଷହୋମ, ପାକକାର୍ଯ୍ୟ ସମ୍ପନ୍ନ ହୋଇ ଛାମୁ ପରିଷ୍କାର ହେବ। ସକାଳ ୭ଟାରୁ ୮ଟା ଭିତରେ ମହାସ୍ନାନ, ବେଶ, ଦ୍ୱାରପାଳ ଓ ସୂର୍ଯ୍ୟଦେବଙ୍କ ପୂଜା କରାଯିବ। ପୂର୍ବାହ୍ନ ୯ଟା ୧୫ମିନିଟ୍ ସୁଦ୍ଧା ସକାଳ ଧୂପ ନୀତି ସରିବ। ସେହିପରି ଭୋଗ ମଣ୍ଡପ ନୀତି ୯ଟା ୪୫ମିନିଟ୍ ରେ ଆରମ୍ଭ କରି ଘଣ୍ଟାକ ଭିତରେ ସାରିବେ ସେବାୟତ। ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରା ପୂଜା ସମାପନ ହେବ। ସାଢ଼େ ୧୨ଟାରୁ ୧ଟା ମଧ୍ୟରେ ମହାପ୍ରଭୁ ରଥକୁ ପହଣ୍ଡି ବିଜେ କରିବେ। ଦିନ ସାଢ଼େ ଗୋଟାଏ ସୁଦ୍ଧା ପହଣ୍ଡି ସାରି ଠାକୁର ରଥାରୂଢ଼ ହେବେ। ରଥ ବିଜେସ୍ଥଳୀରେ ଠାକୁରଙ୍କ ପୂଜାର୍ଚ୍ଚନା ନୀତି କାର୍ଯ୍ୟ ଦେଢ଼ ଘଣ୍ଟା ମଧ୍ୟରେ ସାରି ରଥ ଟଣା ପ୍ରସ୍ତୁତି ଆରମ୍ଭ ହେବ।

Spread the love