ରସଗୋଲାରେ ପାର୍ବତୀଙ୍କ ମାନଭଞ୍ଜନ କଲେ ପ୍ରଭୁ ଶ୍ରୀଲିଙ୍ଗରାଜ

ଭୁବନେଶ୍ବର: ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଶେଷ ହୋଇଛି। ମଙ୍ଗଳବାର ରାତିରେ ଲିଙ୍ଗରାଜ ଅନନ୍ତ ବାସୁଦେବ ଓ ରୁକୁଣିଙ୍କ ସହ ଦେଉଳକୁ ବିଜେ କରିଛନ୍ତି । ପାର୍ବତୀଙ୍କୁ ସାଙ୍ଗରେ ନ ନେଇ ଲିଙ୍ଗରାଜ ଯାତ୍ରା କରି ଯାଇଥିବାରୁ ପାର୍ବତୀ ଅଭିମାନ କରିଥିଲେ। ପ୍ରଭୁ ଲିଙ୍ଗରାଜ ଦେଉଳ ନିକଟରେ  ପହଞ୍ଚିବା ପରେ ହର ପାର୍ବତୀଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା।

ପାର୍ବତୀଙ୍କ ମାନଭଞ୍ଜନ କରିବା ପାଇଁ ଲିଙ୍ଗରାଜଙ୍କ ପକ୍ଷରୁ ରସଗୋଲା ଭେଟି ଦିଆଯିବା ପରେ ମା’ ପାର୍ବତୀଙ୍କ ରୋଷ ଥମିଥିଲା। ଚାହାଣି ମଣ୍ଡପରୁ ମା’ ପାର୍ବତୀଙ୍କ ସହ ରୁକୁଣା ରଥରେ ଲିଙ୍ଗରାଜଙ୍କ ସମସ୍ତ ନୀତି କାନ୍ତି ସରିଥିଲା। ଏହି ଅବସରରେ ଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କୁ ରସଗୋଲା ବଣ୍ଟନ କରାଯାଇଥିଲା। ତେବେ ଏହି ଉପଲକ୍ଷେ ପୁରା ପରିବେଶ ଭକ୍ତିମୟ ହୋଇଉଠିଥିଲା। ଘଣ୍ଟ ଘଣ୍ଟା ନାଦ ସହ ହର ହର ମହାଦେବ ଧ୍ବନିରେ ପ୍ରକମ୍ପିତ ହୋଇ ପଡ଼ିଥିଲା ସମଗ୍ର ଅଞ୍ଚଳ । ଏହା ବ୍ୟତୀତ ବିଭିନ୍ନ ପ୍ରକାର ଆତସବାଜୀ ସହ ନିଅ ଖେଳ ଓ ଲଉଡ଼ି ଖେଳର ଆସର ମଧ୍ୟ ଦେଖିବାକୁ ମିଳିଥିଲା।

Spread the love