ଋଷ ଟାର୍ଗେଟରେ ଡୋନବାସ୍ : ଜୀବନ ବଞ୍ଚାଇବାକୁ ସହର ଛାଡିଲେଣି ହଜାର ହଜାର ଲୋକ

ନୂଆଦିଲ୍ଲୀ ୨୩/୦୫:  ରୁଷ-ୟୁକ୍ରେନ ଯୁଦ୍ଧ ଇତିମଧ୍ୟରେ ୮୮ ଦିନରେ ପହଞ୍ଚିଛି । ରୁଷ ସେନା ଏବେ ୟୁକ୍ରେନର ପୂର୍ବାଞ୍ଚଳ ଡୋନବାସ (ଡୋନେସ୍କ ଓ ଲୁହାଂସ୍କ) କବ୍‌ଜା କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଛି । ସେଥିପାଇଁ ଏହି ଅଞ୍ଚଳର ପ୍ରମୁଖ ସହର ଭାବେ ପରିଚିତ ଲୁହାଂସ୍କର କିଛି ସହରକୁ ରୁଷୀ ସେନା କବ୍‌ଜା କରିସାରିଲେଣି । ତେବେ ଏଠାକାର ପ୍ରମୁଖ ସହର ତଥା ଶେଷଗଡ ଭାବେ ପରିଚିତ ସେଭେରୋଡୋନେସ୍କକୁ ଦଖଲ କରିବା ଲାଗି ରୁଷୀ ସେନା ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ।

ଲୁହାଂସ୍କ ଗଭର୍ଣ୍ଣର ସେରହିୟି ହାଇଦାଇ କହିଛନ୍ତି ଯେ ରୁଷର ମିସାଇଲ ଓ ଗୋଳା ମାଡ଼ ଯୋଗୁ ସହରର ୭୦ ପ୍ରତିଶତ କୋଠବାଡି ଧ୍ୱଂସ ପାଇଗଲାଣି । ସହରର ବହୁ ଲୋକ ନିଜ ଜୀବନ ବଞ୍ଚାଇବାକୁ ଅନ୍ୟତ୍ର ପଳାଇଛନ୍ତି । ଡୋନେସ୍କ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ସ୍ଳୋଭିଆନ୍‌ସ୍କ ସହରକୁ କବ୍‌ଜା କରିବା ଲାଗି ରୁଷୀ ସେନା ଉଦ୍ୟମ କରୁଛନ୍ତି । ପୂର୍ବ ୟୁକ୍ରେନକୁ ନିଜ ନିୟନ୍ତ୍ରଣରେ ରଖିବାକୁ ହେଲେ ରୁଷୀ ସୈନ୍ୟ ମାନଙ୍କୁ ଉଭୟ ସେଭେରୋଡୋନେସ୍କ ଓ ସ୍ଳୋଭିଆନ୍‌ସ୍କ ସହର ଦଖଲ କରିବାକୁ ପଡିବ । ସେପଟେ ମାରିଉପଲ ସହର ସମ୍ପୂର୍ଣ୍ଣ ଭାବେ ରୁଷ କବ୍‌ଜାକୁ ଚାଲିଯାଇଥିଲା ବେଳେ ଆଜୋଭଷ୍ଟଲ ଷ୍ଟିଲ ପ୍ଲଣ୍ଟରେ ଥିବା ୨,୫୦୦ ୟୁକ୍ରେନ ସୈନ୍ୟ ରୁଷୀ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ ।

ସୈନ୍ୟମାନେ ସୁରକ୍ଷିତ ଥିବା ରୁଷ ପାର୍ଲାମେଣ୍ଟର ଜଣେ ପ୍ରମୁଖ ସଦସ୍ୟ ଲିଓନିଡ ସ୍ଲଟସ୍କି ସୂଚନା ଦେଇଛନ୍ତି । ଇତିମଧ୍ୟରେ ରୁଷ ଦାବି କରିଛି କି ପାଶ୍ଚାତ୍ୟ ରାଷ୍ଟ୍ରମାନେ ୟୁକ୍ରେନ ପାଇଁ ପଠାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଜିଟୋମିର ସହରରେ ଗଚ୍ଛିତ ରଖାଯାଇଥିଲା ବେଳେ ତାକୁ କୃଷ୍ଣସାଗର ମଧ୍ୟରୁ ଯୁଦ୍ଧଜାହାଜରୁ କାଲିବର ମିସାଇଲ ମାଡ଼ କରି ଧ୍ୱଂସ କରିଦିଆଯାଇଛି । ଓଡେଶା ନିକଟରେ ୟୁକ୍ରେନର ଦୁଇଟି ଏସ୍‌ୟୁ-୨୫ ବିମାନ ଓ ୧୪ଟି ଡ୍ରୋନକୁ ମଧ୍ୟ ଧ୍ୱଂସ କରିଦେଇଥିବା ରୁଷ ପକ୍ଷରୁ ଦାବି କରାଯାଇଛି ।

Spread the love