ୟୁକ୍ରେନ ସ୍ୱାଧିନତା ଦିବସରେ ଋଷର ମିସାଇଲ୍ ଆଟାକ୍ : ୨୨ ମୃତ, ୫୦ ଗୁରୁତର
ନୂଆଦିଲ୍ଲୀ, ୨୫|୦୮: ଋଷ ଓ ୟୁକ୍ରେନ ମଧ୍ୟରେ ୬ ମାସ ଧରି ଯୁଦ୍ଧ ଜାରି ରହିଛି । ଏହାମଧ୍ୟରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ବୁଧବାର ଏକ ବଡ ଦାବି କରିଛନ୍ତି । ୟୁକ୍ରେନ ସ୍ୱାଧିନତା ଦିବସରେ ଋଷ ଏକ ରେଳ ଷ୍ଟେସନରେ ମିସାଇଲ ମାଡ କରିଥିଲା । ଯେଉଁଥିରେ ୨୨ ଜଣ ପ୍ରାଣ ହରାଇଥିବା ବେଳେ ୫୦ ଜଣ ଆହତ ହୋଇଥିବା ସେ ଦାବି କରିଛନ୍ତି । ଜେଲେନସ୍କି ପୂର୍ବରୁ କହିଥିଲେ ଯେ, ଦେଶର ସ୍ୱାଧିନତା ଦିବସରେ ଋଷ କିଛି ବଡ ଅଘଟଣ ଘଟାଇପାରେ । ଏହାପର ଦିନ ସେ କହିଛନ୍ତି ଯେ, ଋଷ ଡୋନେସ୍କରୁ ୧୪୫ କିମି ଦୂରରେ ଥିବା ସହର ଚ୍ୟାମ୍ପଲିନ ଏକ ଟ୍ରେନ୍ ଉପରେ ରକେଟ୍ ଆକ୍ରମଣ କରିଥିଲା । ଯେଉଁଥିରେ ବଗିରେ ନିଆଁ ଲାଗିଯାଇଥିଲା । ସେ ଆହୁରି କହିଛନ୍ତି ଯେ, ଟ୍ୟାମ୍ପଲିନ୍ ଏବେ କଷ୍ଟ ସମୟ ଦେଇ ଗତି କରୁଛି । ଏସବୁ ପାଇଁ ଋଷ ଦାୟୀ । ସେମାନେ ଆକ୍ରମଣକାରୀଙ୍କୁ ନିଜ ମାଟିରୁ ତଡିଦେବେ । ୟୁକ୍ରେନରେ ଋଷ ପାପର କିଛି ଛିଟା ରହିବ ନାହିଁ । ତେବେ ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ଏପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେଇନାହିଁ ।
ସୂଚନାଯୋଗ୍ୟ, ୟୁକ୍ରେନରେ ଅଗଷ୍ଟ ୨୪ ତାରିଖରେ ସ୍ୱାଧିନତା ଦିବସ ଥିଲା । କିନ୍ତୁ କୌଣସି ସମାରୋହର ଆୟୋଜନ ହୋଇନଥିଲା । କିନ୍ତୁ ୟୁକ୍ରେନ ନାଗରିକ ଏକ ସ୍ୱତନ୍ତ୍ର କୁର୍ତ୍ତା ପରିଧାନ କରିଥିଲେ ।